ଭୁବନେଶ୍ବର/ବରଗଡ଼/ବରପାଲି : ନକଲି ନୋଟ୍‌ କାରବାର କରୁଥିବା ଏକ ରୢାକେଟ୍‌ର ପର୍ଦ୍ଦାଫାସ୍‌ କରିଛି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌। ଗୁରୁବାର ଦିନ ବରଗଡ଼ ଜିଲ୍ଲା ବରପାଲି ପୁଲିସ ମିଳିତ ସହଯୋଗରେ ଚଢ଼ଉ କରି ରୢାକେଟ୍‌ର ୨ଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୧୪ଲକ୍ଷ ୨୯ହଜାର ୫ଶହ ଟଙ୍କାର ନକଲି ‌ନୋଟ୍‌ ଜବତ କରିଛି। ସେମାନେ ହେଲେ, ଉତ୍ତରପ୍ରଦେଶ ଗୋରଖପୁର ପରୱାନୀ ଅଞ୍ଚଳର ପଟ୍ଟୁ ଯାଦବ(୫୩) ଓ ବରଗଡ଼ ଜିଲ୍ଲା ବରପାଲି ମହତ୍ତମପଡ଼ାର ବଳରାମ ମେହେର। ପଟ୍ଟୁ ଏଠାରେ ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅଞ୍ଚଳରେ ରହୁଥିଲା। ତେବେ ଏହି ରୢାକେଟ୍‌ରେ ଆଉ କିଛି ଅପରାଧୀଙ୍କ ସଂପୃକ୍ତି ଥିବା ଏସ୍‌ଟିଏଫ୍‌ ସନ୍ଦେହ କରୁଛି। ସେମାନଙ୍କୁ ଧରିବା ପାଇଁ ଓ ରୢାକେଟ୍‌ର ସବୁ ଗୁମର ଖୋଲିବା ପାଇଁ ଏସ୍‌ଟିଏଫ୍‌ ଏହି ଅଭିଯୁକ୍ତଦ୍ବୟଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା କରିଛି। ଏସ୍‌ଟିଏଫ୍‌ର ସୂଚନାନୁଯାୟୀ, ଏହି ରୢାକେଟ୍‌ର ଚେର ବିହାର ପର୍ଯ୍ୟନ୍ତ ଲମ୍ବିଛି।

Advertisment

କିଛି ଦିନ ହେବ ବରଗଡ଼ ଜିଲ୍ଲା ବରପାଲି ମହତ୍ତମପଡ଼ାରେ ପଟ୍ଟୁ ଓ ବଳରାମ ନକଲି‌ ନୋଟ୍‌ କାରବାର ଚଳାଇ ଆସୁଥିଲେ। ଏକ ବିଶ୍ବସ୍ତ ସୂତ୍ରରୁ ଏସ୍‌ଟିଏଫ୍‌ ହାତରେ ଏ ଖବର ଲାଗିବା ପରେ ସେମାନଙ୍କୁ ଧରିବା ପାଇଁ ଯୋଜନା କରାଯାଇଥିଲା। ବିଶେଷକରି, ଅଭିଯୁକ୍ତଦ୍ବୟ ବିହାରରୁ ନକଲି ନୋଟ୍‌ ଆଣି ଏଠାରେ ବ୍ୟସାୟୀଙ୍କୁ ଦେଉଥିଲେ। ଏହାଛଡ଼ା ଝାରଖଣ୍ଡ, ଉତ୍ତରପ୍ରଦେଶ, ଛତିଶଗଡ଼ରୁ ମଧ୍ୟ ନକଲି ନୋଟ୍‌ ଆସୁଥିବା ଏସ୍‌ଟିଏଫ୍‌ ଜାଣିବାକୁ ପାଇଛି। ସେମାନେ ପ୍ରତି ଲକ୍ଷେ ଟଙ୍କାର ନକଲି ନୋଟ୍‌ ପାଇଁ ୩୦ ହଜାର ଟଙ୍କା କମିସନ୍‌ ନେଉଥିଲେ। ଯାନିଯାତ୍ରା, ବଡ଼ ଉତ୍ସବ ସମୟରେ ସୁଯୋଗ ଦେଖି ଏହି ନକଲି ଟଙ୍କାକୁ ବ୍ୟବସାୟୀଙ୍କ ମଧ୍ୟରେ ବଜାରକୁ ଛାଡ଼ୁଥିଲେ। ଏସ୍‌ଟିଏଫ୍‌ ସେମାନଙ୍କୁ ଧରିବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲା। ବରପାଲି ଥାନାକୁ ଘଟଣା ବିଷୟରେ ଜଣାଇଥିଲା।

publive-image

ଯୋଜନା ମୁତାବକ ଗତରାତିରେ ଏସ୍‌ଟିଏଫ୍‌ର ଏକ ଟିମ୍‌ ଓ ବରପାଲି ପୁଲିସର ଦୁଇଟି ଟିମ୍‌ ପ୍ରଥମେ ବଳରାମର ଘରେ ଚଢ଼ଉ କରିଥିଲେ। ଚଢ଼ଉ ବେଳ ତା’ ଘରୁ ୧୨ଲକ୍ଷ ୯୭ ହଜାର ୫ଶହର ନକଲି ନୋଟ୍‌ ଓ କିଛି ପ୍ରିଣ୍ଟିଂ ମେସିନ୍‌ ଜବତ ହୋଇଥିଲା। ତାକୁ ଥାନାକୁ ନେଇ ଜେରା କରିବାରୁ ସେ ପଟ୍ଟୁ ନାଁ କହି ଦେଇଥିଲା। ରାତାରାତି ଏସ୍‌ଟିଏଫ୍‌ ଏବଂ ସ୍ଥାନୀୟ ପୁଲିସ ତାକୁ ସାଙ୍ଗରେ ଧରି ପଟ୍ଟୁ ଘରେ ଚଢ଼ଉ କରି ତାକୁ ଗିରଫ କରିବା ସହ ସେଠାରୁ ୧ଲକ୍ଷ ୩୨ ହଜାର ଟଙ୍କା ଜବତ କରିଥିଲେ। ଉଭୟଙ୍କୁ ଥାନାକୁ ଆଣି ପଚରାଉଚରା କରିବାରୁ ସେମାନେ ସବୁ ସତ ଉଗାଳି ଦେଇଥିଲେ।

ବଳରାମ ଆଗରୁ ନକଲି ଟଙ୍କା କାରବାର କରୁଥିବା ଜଣାପଡ଼ିଛି। ୨୦୧୫ ମସିହାରେ ନକଲି ଟଙ୍କା କାରବାର ବେଳେ ସେ ଧରାପଡ଼ିଥିଲା। ଅନ୍ତଃରାଜ୍ୟ ଲିଙ୍କ୍‌ ଥିବାରୁ ଘଟଣାକୁ ସେଣ୍ଟ୍ରାଲ୍‌ ଇଣ୍ଟେଲିଜେନ୍ସ ବ୍ୟୁରୋ(ସିଆଇବି) ଏବଂ ଏନ୍‌ଆଇଏକୁ ଅବଗତ କରାଯିବ ବୋଲି ଏସ୍‌ଟିଏଫ୍‌ ପକ୍ଷରୁ କୁହାଯାଇଛି। ଏନେଇ ଅଧିକ ତଦନ୍ତ ଜାରି ରହିଛି।