ବିନିକା: ସୁବର୍ଣ୍ଣପୁରଜିଲ୍ଲା ବିନିକା ଥାନା ପୁଲିସ ୪ ଲକ୍ଷ ୧୫ ଶହ ଟଙ୍କାର ଜାଲ୍ ନୋଟ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଲଛିପୁର ଥାନା ରେଙ୍ଗାଲି ଗ୍ରାମର ଜୟନାରାୟଣ ବସ୍ତିଆ (୨୭), ବିନିକା ଥାନା ଫୁଲମୁଠି ଗ୍ରାମର ଅଭିଷେକ ହୋତା (୨୩) ଓ ବିନିକା ସହର ବେତ୍ରାପଡ଼ାର ଅଶୋକ ନାଏକ (୨୮)। ଅଭିଯୁକ୍ତମାନଙ୍କଠାରୁ ୩ଟି ମୋବାଇଲ ଫୋନ୍ ପୁଲିସ ଜବତ କରିଛି। ଏ ସଂପର୍କରେ ଏସ୍ପି ନାରାୟଣ ନାୟକ ବିନିକା ଥାନାରେ ସାମ୍ବାଦିକମାନଙ୍କୁ ସବିଶେଷ ସୂଚନା ଦେଇଛନ୍ତି। ଏସ୍ପିଙ୍କ କହିବା ଅନୁସାରେ, ଗତ ୨୫ ତାରିଖ ବିଳମ୍ବିତ ରାତିରେ ଜାଲ୍ ନୋଟ କାରବାର ସମ୍ପର୍କରେ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିବା ପରେ ବିନିକା ଥାନା ଅଧିକାରୀ ସତ୍ୟନାରାୟଣ ପ୍ରଧାନଙ୍କୁ ଅନୁସନ୍ଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ପୁଲିସର ଏକ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଜାଲ୍ ନୋଟ କାରବାରରେ ସମ୍ପୃକ୍ତ ୩ ଦଲାଲଙ୍କୁ ଗିରଫ କରିଥିଲା। ଏ ନେଇ ବିନିକା ଥାନା କେସ୍ ନଂ ୨୨୯/୨୫.୧୦.୨୦୨୫ରେ ମାମଲା ରୁଜୁ ହୋଇ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
ଅଭିଯୁକ୍ତମାନେ ପଡ଼ୋଶୀ ବରଗଡ଼ ଜିଲ୍ଲାରୁ ୬ ଲକ୍ଷ ଟଙ୍କାର ଜାଲ୍ ନୋଟ ଆଣିଥିବା ବେଳେ ପ୍ରାୟ ୨ ଲକ୍ଷ ଟଙ୍କା ବଜାରରେ ଦେଇ ସାରିଛନ୍ତି। ଅଭିଯୁକ୍ତମାନଙ୍କଠାରୁ ପୁଲିସ ୮୦୩ଟି ପାଞ୍ଚଶହ ଟଙ୍କିଆ ଜାଲ୍ ନୋଟ ଜବତ କରିଛି। ଚଢ଼ଉରେ ଥାନା ଅଧିକାରୀ ଶ୍ରୀ ପ୍ରଧାନଙ୍କ ସମେତ ଏସ୍ଆଇ ତ୍ରିନାଥ ସାହୁ ଓ କର୍ମଚାରୀ ସାମିଲ ହୋଇଥିଲେ। କେଉଁମାନେ ଜାଲ୍ ଟଙ୍କା ଦେଇଛନ୍ତି ଓ କେଉଁମାନେ ନେଇଛନ୍ତି ଖୋଜାଚାଲିଛି। ଏହି ମାମଲାର ତଦନ୍ତ ଦାୟିତ୍ବ ଏସ୍ଆଇ ପ୍ରସନ୍ନଜିତ ବେହେରାଙ୍କୁ ଦିଆଯାଇଥିବା ଏସ୍ପି ଶ୍ରୀ ନାୟକ ସୂଚନା ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/27/fssfhfhfhf-2025-10-27-04-07-46.jpg)