ବଜାରରେ ନକଲି ସୋନପୁରୀ ପାଟ ଶାଢ଼ି!

ପାଟ ବଦଳରେ ପଲିଷ୍ଟର ସୂତାରେ କାମ, ବୁଣାକାରଙ୍କ ବେଉସା ସଂକଟରେ

ବଲାଙ୍ଗୀର/ସୋନପୁର : କିଛିଦିନ ତଳେ ବଜାରରେ ନକଲି ସମ୍ବଲପୁରୀ ଶାଢ଼ି ହଇଚଇ ସୃଷ୍ଟି କରିଥିଲା। ସମ୍ବଲପୁରୀ ଭଳି ଦିଶୁଥିବା ଏହି ଛାପା ଶାଢ଼ି ଖୁବ୍‌ ଶସ୍ତାରେ ମିଳୁଥିବା ଯୋଗୁଁ ପାରମ୍ପରିକ ବୁଣାକାରଙ୍କ ବେଉସା ପ୍ରତି ବିପଦ ଦେଖା ଦେଇଥିଲା। ଏବେ ପଶ୍ଚିମ ଓଡ଼ିଶାର ଅନନ୍ୟ ବିଭବ ସୋନପୁର ପାଟଶାଢ଼ି ବି ସମାନ ପରିସ୍ଥିତିର ସମ୍ମୁଖୀନ ହୋଇଛି। ଅର୍ଥ ଲୋଭରେ ପରମ୍ପରାକୁ ଧୋକା ଦେଇ କିଛି ବ୍ୟବସାୟୀ ଓ ବୁଣାକାର ଏହି ପାଟଶାଢ଼ିରେ ପଲିଷ୍ଟର ସୂତା ବ୍ୟବହାର କରୁଥିବାର ଚାଞ୍ଚଲ୍ୟକର ଖବର ମିଳିଛି। ବଜାରରେ ଏହି ଶାଢ଼ି ଅପେକ୍ଷାକୃତ କମ୍ ଦାମରେ ମିଳୁଥିବାରୁ ଗୁଣବତ୍ତା ସଂପର୍କରେ ଜାଣିପାରୁନଥିବା ଗ୍ରାହକମାନେ କମ୍‌ ଦାମର ଶାଢ଼ିକୁ ହିଁ ପସନ୍ଦ କରୁଛନ୍ତି। ତେଣୁ ପାରମ୍ପରିକ ସୋନପୁର ପାଟବସ୍ତ୍ର ଶିଳ୍ପ ସଂକଟରେ ପଡ଼ି ଯାଇଛି।

ପଶ୍ଚିମ ଓଡ଼ିଶାର ସୋନପୁର ଜିଲ୍ଲା ପାଟ ବୁଣାକୁ ନେଇ ବେଶ ପ୍ରସିଦ୍ଧ। ସାରା ରାଜ୍ୟ ସମେତ ଦେଶବିଦେଶରେ ବି ସୋନପୁର ପାଟ ଶାଢ଼ିର ଚାହିଦା ରହିଛି। ଏହା ଦେଖିବାକୁ ସୁନ୍ଦର ଓ ସାମାନ୍ୟ ମହଙ୍ଗା। ମାତ୍ର ଏହି ଶାଢ଼ିର ନକଲି ରୂପ ଏବେ ବଜାରରେ ଯାହାକୁ ଯେତେ। ନକଲି ଶାଢ଼ିରେ ପାରମ୍ପରିକ ପାଟ ସୂତା ବଦ‌ଳରେ ପଲିଷ୍ଟର ସୂତା ବ୍ୟବହାର କରାଯାଉଛି। ଏହି ଦୁଇପ୍ରକାର ସୂତାର ଦରରେ ତଫାତ ରହୁଥିବାରୁ ନକଲି ଶାଢ଼ି ଶସ୍ତାରେ ମିଳୁଛି। କିନ୍ତୁ ଏ ବିଷୟରେ ଜା‌ଣି ନଥିବା ଓ ସୂତା ଚିହ୍ନିପାରୁନଥିବା ଗ୍ରାହକମାନଙ୍କୁ କିଛି ଅସାଧୁ ବ୍ୟବସାୟୀ ଅସଲି ଶାଢ଼ିର ମୂଲ୍ୟରେ ଏହି ନକଲି ଶାଢ଼ି ବିକ୍ରି କରୁଛନ୍ତି। ଏଥିରେ ସେମାନଙ୍କର ମୁନାଫା ଅଧିକ ହେଉଛି।

ମିଳିଥିବା ସୂଚନା ଅନୁସାରେ, ସୋନପୁର ଜିଲ୍ଲାର ୯ହଜାର ବୁଣାକାର ପରିବାର ରହିଛନ୍ତି। ସେହିପରି ବୌଦ୍ଧ ଓ ବଲାଙ୍ଗୀର ଜିଲ୍ଲାରେ ମଧ୍ୟ କେତୋଟି ଗାଁରେ ମେହେର ବୁଣାକାର ପରିବାର ଅଛନ୍ତି। ଏମାନେ ପାଟଶାଢ଼ି ପ୍ରସ୍ତୁତ କରି ପରିବାର ପ୍ରତିପୋଷଣ କରିଥାନ୍ତି। କିନ୍ତୁ ଏବେ କିଛି ଲାଭଖୋର ବ୍ୟବସାୟୀ ଓ ସାହୁକାର (ବୁଣାକାରଙ୍କୁ ସୂତା ଓ ମଜୁରି ଦେଇ ସେମାନଙ୍କଠାରୁ ପ୍ରସ୍ତୁତ ଲୁଗା ନେଉଥିବା) ନକଲି ପାଟଶାଢ଼ି ବେପାରରେ ଲାଗିଛନ୍ତି। ଏ ନେଇ ଶାଢ଼ି ଉପରେ ଅଭିଜ୍ଞତା ରଖିଥିବା ଟେକ୍ସଟାଇଲ ବିଭାଗର ଟେକନିକାଲ ଆସିଷ୍ଟାଣ୍ଟ ତଥା ଗବେଷକ ପ୍ରଫୁଲ୍ଲ ମେହେରଙ୍କ ସହ ଯୋଗାଯୋଗ କରିବାରୁ ସେ କହିଥିଲେ, ପଲିଷ୍ଟର ପାଟଶାଢ଼ି ବଜାରରେ ଉପଲବ୍ଧ ଏ କଥା ସତ। ଏହାଦ୍ୱାରା ଆଗକୁ କ୍ଷତି ହେବ। ଏକଦା ବନାରସୀ ପାଟର ଯେଭଳି ନାଁ ଥିଲା, ଆଉ ଏବେ ନାହିଁ। ସୋନପୁର ପାଟଶାଢ଼ିରେ ପଲିଷ୍ଟର ସୂତା ବ୍ୟବହାର ବନ୍ଦ ନହେଲେ ଆଗକୁ ସେଭଳି ଅବସ୍ଥା ହେବ। ଗ୍ରାହକମାନେ ମଧ୍ୟ ପାଟଶାଢ଼ି ପ୍ରତି ବିଶ୍ୱସନୀୟତା ହରାଇବେ।

ସମ୍ବନ୍ଧିତ ଖବର