ଖରିଫ୍ ମଣ୍ଡି ପଞ୍ଜୀକରଣରେ ୮୫% ନକଲି ପ୍ଲଟ୍: ଧରିଲା ସ୍ୟାଟଲାଇଟ୍ ସର୍ଭେ, ୧୭୫୧୨ରୁ ୨୪୯୮ ପ୍ଲଟ ବୈଧ

ଯୋଗାଣ ବିଭାଗକୁ ଗଲା ୧୫୦୧୪ ନକଲି ପ୍ଲଟଧାରୀଙ୍କ ତାଲିକା

ରାୟଗଡ଼ା: ଖରିଫ୍ ମଣ୍ଡି ପଞ୍ଜିକରଣରେ ଠାବ ହୋଇଛି ୮୫ ପ୍ରତିଶତ ନକଲି ପ୍ଲଟ। ଧାନ ବଦଳରେ କପା, ମାଣ୍ଡିଆ ଏବଂ ପଡିଆ ପଡିଥିବା ଜମି, ଜଙ୍ଗଲ ଜମି, ନାଳ, ପ‌ୋଖରୀ, ପାମ ଅଏଲ୍ ଫାର୍ମକୁ ଧାନ ଜମି ଦର୍ଶାଇ କରାଯାଇଛି ପଞ୍ଜିକରଣ। ରାଜ୍ୟ ସରକାରଙ୍କ ନିର୍ଦେଶରେ ନକଲି ପ୍ଲଟଧାରୀଙ୍କୁ ଠାବ କରିଛି ସମବାୟ ବିଭାଗର ସ୍ୟାଟଲାଇଟ୍ ସର୍ଭେ। ଠାବ ହୋଇଥିବା ନକଲି ପ୍ଲଟଧାରୀଙ୍କ ତାଲିକା ଯୋଗାଣ ବିଭାଗକୁ ପଠାଯାଇଥିବା ବେଳେ ଧାନ ବିକ୍ରି ପାଇଁ ମାତ୍ର ୨୪୯୮ ପ୍ଲଟକୁ ମିଳିଛି ଅନୁମତି।

ଚଳିତ ବର୍ଷ ଖରିଫ୍ ମଣ୍ଡିରେ ଧାନ ବିକ୍ରି ପାଇଁ ୨୧୧୭୧ ପ୍ଲଟ୍ ପଞ୍ଜିକରଣ ହୋଇଥିଲା। ଆବଶ୍ୟକ କାଗଜପତ୍ର ଓ ଅନ୍ୟ କାରଣ ପାଇଁ  ଯାଞ୍ଚରେ କଟିବା ପରେ ୧୯୨୨୫ ପ୍ଲଟ୍ ବୈଧ ରହିଥିଲା। ପଦ୍ମପୁର ଲ୍ୟାମ୍ପସରୁ ସର୍ବାଧିକ ୩୩୬୧ ପ୍ଲଟ୍, ବିଷମକଟକ ଲ୍ୟାମ୍ପସରୁ ୨୫୦୨, ଚନ୍ଦ୍ରପୁର ଲ୍ୟାମ୍ପସରୁ ୨୯୦, ଗୁଡାରି ଲ୍ୟାମ୍ପସରୁ ୧୨୩୦, ଗୁଣପୁର ଲ୍ୟାମ୍ପସରୁ ୨୪୭୩, କଳ୍ୟାଣସିଂହପୁର ଲ୍ୟାମ୍ପସରୁ ୨୦୩୩, କାଶୀପୁର ଲ୍ୟାମ୍ପସରୁ ୩୮୪, ଟିକିରି ଲ୍ୟାମ୍ପସରୁ ୩୩୯, କୋଲନରା ଲ୍ୟାମ୍ପସରୁ ୧୧୮୦, ମୁନିଗୁଡ଼ା ଲ୍ୟାମ୍ପସରୁ ୧୦୯୩, ଅମ୍ବାଦଳା ଲ୍ୟାମ୍ପସରୁ ୫୭୧, ରାମନାଗୁଡା ଲ୍ୟାମ୍ପସରୁ ୨୫୨୧, ରାୟଗଡ଼ା ଲ୍ୟାମ୍ପସରୁ ୭୭୬, ରାୟଗଡ଼ା ଏମପିସିଏସରୁ ୫୧୨ ଚାଷୀ ପଞ୍ଜିକରଣ ତାଲିକାରେ ଥିଲେ। ଏହା ଭିତରୁ ୧୭୫୧୨ ପ୍ଲଟ୍ ସନ୍ଦେହକୁ ଆସିଥିଲା। ସନ୍ଦେହରେ ଥିବା ପ୍ଲଟରେ ଧାନ ଚାଷ ହୋଇଛି ନାହିଁ ସତ୍ୟାସତ୍ୟ ଜାଣିବା ପାଇଁ ସ୍ୟାଟଲାଇଟ୍ ସର୍ଭେ ଆରମ୍ଭ କରିଥିଲା ସମବାୟ ବିଭାଗ। ୪୭ଟି ଟିମ୍ ସର୍ଭେରେ ସାମିଲ୍ ହୋଇଥିବା ବେଳେ ୧୭ ହଜାର ୫୧୨ ପ୍ଲଟ ମଧ୍ୟରୁ ମାତ୍ର ୨ ହଜାର ୪୯୮ ପ୍ଲଟରେ ହିଁ ଧାନ ଚାଷ ହୋଇଥିବା ସ୍ପଷ୍ଟ ହୋଇଥିଲା। ବଳକା ୧୫ ହଜାର ୧୪ ପ୍ଲଟ ନକଲି ଭାବେ ପଞ୍ଜିକରଣ ହୋଇଥିବା ସର୍ଭେରୁ ଜଣା ପଡିଛି। ୮୫ ପ୍ରତିଶତରୁ ଉର୍ଦ୍ଧ୍ବ ନକଲି ପ୍ଲଟ ଠାବ ହେବା ପରେ ମଣ୍ଡି କେଳେଙ୍କାରୀକୁ ନେଇ ଚିନ୍ତାରେ ପଡିଛି ଜିଲ୍ଲା ପ୍ରଶାସନ, ଯୋଗାଣ ବିଭାଗ। ନକଲି ପ୍ଲଟଧାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହ ଚାଷ କ୍ଷେତ୍ରରେ ସରକାରଙ୍କ ସମସ୍ତ ସୁବିଧା ସୁଯୋଗ ପ୍ରଦାନ ବନ୍ଦ କରିବାକୁ ବିଭାଗ ନିଷ୍ପତ୍ତି ନେଇଛି।

ଜିଲ୍ଲାର ୧୪ ଲ୍ୟାମ୍ପସ, ଏମପିସିଏସ୍ ଅଧୀନରେ ଚାଷୀ ୮୮୭୪୬.୨୬୮ମେଟ୍ରିକ ଟନ୍ ଖରିଫ୍ ଧାନ ବିକ୍ରି କରିବା ପାଇଁ ପଞ୍ଜିକରଣ କରିଛନ୍ତି। ସାଧାରଣ ଧାନ ପାଇଁ କ୍ବିଣ୍ଟାଲ୍ ପିଛା ସରକାର ଏମଏସପି ବାବଦକୁ ୨୦୪୦ ଟଙ୍କା, ଗ୍ରେଡ୍ ଏ ପାଇଁ ୨୦୬୦ ଟଙ୍କା ଧାର୍ଯ୍ୟ କରିଛନ୍ତି। ଜଳସେଚିତ ଜମିରୁ ଏକର ପିଛା ୧୯ କ୍ବିଣ୍ଟାଲ୍, ଅଣଜଳସେଚିତ ଜମିରୁ ଏକର ପିଛା ୧୩ କ୍ବିଣ୍ଟାଲ୍ ଧାନ କିଣିବାକୁ ସରକାର ନିୟମ କରିଛନ୍ତି। ସରକାରୀ ନିୟମ ଯୋଗୁ ବହୁ ଚାଷୀ ନିଜର ବଳକା ଧାନକୁ ବିକ୍ରି କରିପାରୁନଥିବା ବେଳେ ଦଲାଲ୍ ଶାଗ ମାଛ ଦରରେ କିଣି ନେଉଛନ୍ତି। ମଣ୍ଡି ଧର ୨୦୪୦ ଥିବା ବେଳେ ଦଲାଲ୍ ଅଭାବୀ ବିକ୍ରିର ଶିକାର ଚାଷୀଙ୍କଠାରୁ ଧାନ କ୍ବିଣ୍ଟାଲ୍ ୧ ହଜାରରୁ ୧୨୦୦ ଟଙ୍କାରେ କିଣି ନେଇ ନକଲି ପଞ୍ଜିକରଣ ଜରିଆରେ ମଣ୍ଡି‌ରେ ବିକ୍ରି କରିବାକୁ ମସୁଧା ଚଲାଇଥିଲେ। ଗତ କିଛି ବର୍ଷ ଧରି ଏହି ପ୍ରକ୍ରିୟା ଚାଲିଥିବାରୁ ଚଳିତ ବର୍ଷ ସ୍ୟାଟଲାଇଟ୍ ସର୍ଭେକୁ ଗୁରୁତ୍ବ ଦେଇଥିଲା ବିଭାଗ। ଫଳରେ ୮୫ ପ୍ରତିଶତ ନକଲି ପ୍ଲଟ ଠାବ ହେବା ସହ ସରକାର କୋଟି କୋଟି ଟଙ୍କାର ରାଜସ୍ବ ହାନିରୁ ବର୍ତ୍ତିଛନ୍ତି।

ସମ୍ବନ୍ଧିତ ଖବର