ପୁରୀ : ନିଜକୁ ସ୍ପେସାଲ୍‌ ସ୍କ୍ବାଡ୍‌ ପୁଲିସ ବୋଲି ଦର୍ଶାଇ ଘରେ ପଶି ଲୁଟ୍‌ ଉଦ୍ୟମ ବେଳେ ଜଣେ ଧରାପଡ଼ିଥିବା ବେଳେ ଅନ୍ୟ ଜଣେ ଖସିଯିବାରେ ସକ୍ଷମ ହୋଇଛି। ଏନେଇ ଟାଉନ ଥାନାରେ ଅଭିଯୋଗ ହେବାରୁ ପୁଲିସ ୨୫୮/୨୩ ନମ୍ବରରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ ପରେ କୋର୍ଟଚାଲାଣ କରିଛି।

Advertisment

ପୁଲିସ ସୂତ୍ରରୁ ପ୍ରକାଶ ଯେ ଗତ ୧୨ ତାରିଖ ଦିନ ସମୁଦ୍ରକୂଳ ଥାନା ଅନ୍ତର୍ଗତ ବାଙ୍କିମୁହାଣର ମାନସ ରଞ୍ଜନ ବିଶ୍ବାଳ(୨୫) ଓ ତା’ର ସହଯୋଗୀ ଦୁହେଁ ମିଶି ଟାଉନ ଥାନା ଅନ୍ତର୍ଗତ ହାଡ଼ଗୋଡ଼ିଆସାହିର ବିକାଶ ଅଗ୍ରୱାଲଙ୍କ ଘରେ ପହଞ୍ଚିଥିଲେ। ତାଙ୍କ କବାଟ ବାଡ଼େଇବାରୁ ବିକାଶଙ୍କ ମା’ କବାଟ ଖୋଲିଥିଲେ। ମାନସ ଓ ତା’ର ସାଥୀ ଦୁହେଁ ନିଜକୁ ସ୍ପେସାଲ ସ୍କ୍ବାଡ୍‌ ପୁଲିସ ବୋଲି ଦର୍ଶାଇ ଘରେ ପଶିଥିଲେ। ବଡ଼ପୁଅ ରାକେଶ ଓ ସାନପୁଅ ବିକାଶ କୁଆଡ଼େ ଗଲେ। ସେମାନେ ବ୍ରାଉନ୍‌ସୁଗାର୍‌ ବେପାର କରୁଛନ୍ତି। ତାକୁ ଧରିବାକୁ ଆସିଛୁ ବୋଲି କହି ତାଙ୍କ ଘରେ ପଶି ଲୁଟ୍‌ ଉଦ୍ୟମ କରିଥିଲେ। ମାତ୍ର ଏହି ସମୟରେ ସେଠାରେ ବିକାଶ ପହଞ୍ଚି ଯିବାରୁ ଲୁଟେରା ଦୁହେଁ ଖସିଯିବାକୁ ଚେଷ୍ଟା କରିଥିଲେ। ମାତ୍ର ବିକାଶ ଚତୁରତାର ସହ ମାନସକୁ ଧରିପକାଇବା ବେଳେ ଅନ୍ୟଜଣକ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ବିକାଶ ଧରିଥିବା ଅଭିଯୁକ୍ତକୁ ଟାଉନ୍‌ ଥାନା ଜିମାରେ ଦେଇ ଏନେଇ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତି କରି ପୁଲିସ ଆଜି ମାନସକୁ ଗିରଫ ପରେ କୋର୍ଟଚାଲାଣ କରିଛି। ଅନ୍ୟ ଅଭିଯୁକ୍ତକୁ ଧରିବା ପାଇଁ ଚାରିଆଡ଼େ ଜାଲ ବିଛାଇଛି।