ଭଦ୍ରକ: ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଜଣେ ଯୁବକ ନକଲି ପୁଲିସ ସାଜି ଏକ ମାମଲାର ତଦନ୍ତ କରିବାବେଳେ ହଟହଟା ହୋଇଛନ୍ତି। ଗାଁ ଲୋକେ ଏହା ଜାଣିପାରି ତାଙ୍କୁ ଅଟକ ରଖିଥିଲେ। ଏହି ଘଟଣାରେ ଆଜି ଥାନା ଏସ୍ଆଇ କାର୍ତ୍ତିକ ଜେନାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି।
ସୂଚନା ମୁତାବକ, ଭଦ୍ରକ ଗ୍ରାମାଞ୍ଚଳ ଥାନା ଏସ୍ଆଇ କାର୍ତ୍ତିକ ଜେନା ଧାମନଗର ବ୍ଲକ୍ ଧୂଷୁରୀ ଥାନା ସହିଦନଗର ଖପରପଦା ଅଞ୍ଚଳର ପୀୟୁଷ ପଣ୍ଡାଙ୍କୁ ଏକ ମାମଲାର ତଦନ୍ତ ପାଇଁ କଲେଇ ପଞ୍ଚାୟତ ରସିକାବାଗ ଗ୍ରାମକୁ ପଠାଇଥିଲେ। ସେଠାରେ ପହଞ୍ଚି ପୀୟୁଷ ମାମଲା ବାବଦରେ ପଚରାଉଚୁରା କରୁଥିବା ବେଳେ ତାଙ୍କ ଉପରେ ଗାଁ ଲୋକଙ୍କ ସନ୍ଦେହ ହୋଇଥିଲା। ସାଦା ପୋଷାକରେ ଥିବା ପୀୟୁଷଙ୍କୁ ଗ୍ରାମବାସୀ ପରିଚୟ ପଚାରିବା ସହ ତାଙ୍କ ପରିଚୟପତ୍ର ମାଗିଥିଲେ। ହେଲେ ପୀୟୁଷ ପରିଚୟପତ୍ର ଦେଖାଇ ନ ପାରି ହଡ଼ବଡ଼େଇ ଯାଇଥିଲେ। ଗ୍ରାମବାସୀଙ୍କଠାରୁ ଖବର ପାଇ ପୁଲିସ ଗାଁରେ ପହଞ୍ଚିବା ସହ ପୀୟୁଷଙ୍କୁ ଧରି ନେଇଥିଲା। ସେ ଥାନାରେ ଅଟକ ଥିବା ବେଳେ ପଚରାଉଚରା ଚାଲିଥିବା ଥାନା ଅଧିକାରୀ ନିରୋଜ ସାମଲ କହିଛନ୍ତି। ଏହି ମାମଲାରେ ଭଦ୍ରକ ଏସ୍ପି ମନୋଜ ରାଉତ ଏସ୍ଆଇ କାର୍ତ୍ତିକ ଜେନାଙ୍କୁ ଆଜି କାର୍ଯ୍ୟରୁ ନିଲମ୍ବନ କରିଥିବା ଜଣାପଡ଼ିଛି। ଅନ୍ୟପଟେ ଏହି ଘଟଣାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପୀୟୁଷଙ୍କ ସହ ନିଲମ୍ବିତ ଏସ୍ଆଇ ଶ୍ରୀ ଜେନାଙ୍କ କ’ଣ ସଂପର୍କ ରହିଛି? ଗତକାଲିଠାରୁ ପୀୟୁଷ ଧରାପଡ଼ିଥିବା ବେଳେ ଏଯାଏଁ କାହିଁକି ତାଙ୍କୁ ଗିରଫ କରାଯାଇନି, ଏମିତି ଅନେକ ପ୍ରଶ୍ନ ଉଙ୍କିମାରିଛି। ପୀୟୁଷଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନା ତାଙ୍କୁ ଖସାଇ ଦିଆଯିବ, ସେ ନେଇ ମଧ୍ୟ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/11/untitled-7-2025-10-11-07-14-52.jpg)