କଟକ: ଗୃହରକ୍ଷୀ ଚାକିରି ଦେବା ଆଳରେ ୪୦ ଜଣ ଯୁବକ ଯୁବତୀଙ୍କଠାରୁ ୫୦ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିବା ନକଲି ପୁଲିସ ଇନ୍ସ୍ପେକ୍ଟର ଗିରଫ ହୋଇଛି। କଟକ ଗ୍ରାମାଞ୍ଚଳ ଏସ୍ପିଙ୍କ କାର୍ଯ୍ୟାଳୟର ପୁଲିସ ଇନ୍ସ୍ପେକ୍ଟର ଭାବେ ପରିଚୟ ଦେଇ ଆସୁଥିଲା ଏହି ଠକ। ତିଗିରିଆ ଥାନା ନୂଆପାଟଣା ଅଞ୍ଚଳର ଠକ ଗୁଣ୍ଡିଚା ଦଳାଇ(୨୭)କୁ ଗିରଫ କରାଯିବା ସହିତ ତା ନିକଟରୁ ସ୍ପେସାଲ ଟାସ୍କଫୋର୍ସ ଲେଖାଥିବା ପରିଚୟପତ୍ର, ପୁଲିସ ପୋଷାକ, ୫ଟି ମୋବାଇଲ୍ ଫୋନ୍, ଷ୍ଟାମ୍ପ୍, ଚେକ୍ ବହି, ତାରକା, ଲୋଗୋ, ଟୋପି, ୪ ଲକ୍ଷ ଟଙ୍କା ଜବତ ହୋଇଛି। କଟକ ଗ୍ରାମାଞ୍ଚଳ ଏସ୍ପି ପ୍ରତୀକ ସିଂହ ଦସ୍ତଖତ ଜାଲ୍ କରି ସେ ପରିଚୟପତ୍ରରେ ବ୍ୟବହାର କରିଥିଲା। ଏଭଳି ଜାଲିଆତି ପଛରେ ବଡ଼ ଧରଣର ରୢାକେଟ୍ କାମ କରୁଥିବା ସନ୍ଦେହ କରାଯାଉଛି।
ଏସ୍ପିଙ୍କ ଜାଲ୍ ଦସ୍ତଖତ କରିଥିଲା ଠକ
ସୂଚନା ଅନୁଯାୟୀ ଠକ ଗୁଣ୍ଡିଚା ଗଲା ସୋମବାରଠାରୁ ନେତାଜୀ ବସ୍ ଟର୍ମିନାଲ୍(ସିଏନ୍ବିଟି)ରେ ଥିବା ହୋଟେଲରେ ରହୁଥିଲା। ମଙ୍ଗଳବାର ରାତି ପ୍ରାୟ ୧୧ଟା ବେଳେ ସିଏନ୍ବିଟିରେ ସୁରକ୍ଷାକର୍ମୀ ଭାବେ ଚାକିରି କରୁଥିବା ଜଣେ ଯୁବକ ସହିତ ତାର ଭେଟ ହୋଇଥିଲା। କଥାବାର୍ତ୍ତା ସମୟରେ ଉକ୍ତ ସୁରକ୍ଷାକର୍ମୀ ଜଣକ କଟକ ଗ୍ରାମାଞ୍ଚଳ ଏସ୍ପିଙ୍କ ଅଧୀନରେ ଗୃହରକ୍ଷୀ ପଦବି ପାଇଁ ଆବେଦନ କରିଥିବା କହିଥିଲା। ଗୁଣ୍ଡିଚା ନିଜକୁ କଟକ ଗ୍ରାମାଞ୍ଚଳ ଏସ୍ପି ଅଫିସର ଇନ୍ସ୍ପେକ୍ଟର ପରିଚୟ ଦେଇଥିଲା। ଗୁଣ୍ଡିଚା ନିଜର ପୁଲିସ ପୋଷାକ ଓ ପରିଚୟ ପତ୍ର ଦେଖାଇଥିଲା। ୧ ଲକ୍ଷ ୫୦ ହଜାର ଟଙ୍କା ଦେଲେ ଗୃହରକ୍ଷୀ ଚାକିରି ମିଳିଯିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ସୁରକ୍ଷାକର୍ମୀ ଜଣକ ପ୍ରାଥମିକ ଭାବେ ୧୦ ହଜାର ଟଙ୍କା ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସନ୍ଦେହ ହେବାରୁ ମଙ୍ଗଳବାର ବିଳମ୍ବିତ ରାତିରେ ବାଦାମବାଡ଼ି ଥାନାରେ ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ। ପୁଲିସ ତୁରନ୍ତ ହୋଟେଲରେ ଚଢ଼ଉ କରି ଗୁଣ୍ଡିଚାକୁ କାବୁ କରିଥିଲା। ହୋଟେଲ୍ ରୁମ୍ର ଏକ ଟ୍ରଲି ବ୍ୟାଗରୁ ଗୁଣ୍ଡିଚାର ନକଲି ପୁଲିସ ପୋଷାକ, ପରିଚୟପତ୍ର ଇତ୍ୟାଦି ଜବତ ହୋଇଥିଲା। ପୁଲିସ ବିଏନ୍ଏସ୍ର ଧାରା ୩୧୮(୪), ୩୧୯(୨), ୩୩୮, ୩୩୬(୩), ୩୩୬(୪), ୩୪୦(୨), ୨୦୪, ୨୦୫ରେ ଏକ ମାମଲା(କେସ୍ ନଂ ୧୨୭) ରୁଜୁ କରି ଗୁଣ୍ଡିଚାକୁ ଗିରଫ କରିଛି। ଗୁଣ୍ଡିଚାକୁ ତିଗିରିଆର ଏକ କଲେଜରେ ଯୁକ୍ତ ୩ ପଢ଼ିଛି। ଗଲା ଏକ ବର୍ଷ ଭିତରେ ସେ ୪୦ ଜଣ ବେକାର ଯୁବକ ଯୁବତୀଙ୍କ ଠାରୁ ପାଖାପାଖି ୫୦ ଲକ୍ଷ ଟଙ୍କା ଠକିନେଇଥିବା ସ୍ବୀକାର କରିଛି। ଠକାମିର ଶିକାର ହୋଇଥିବା ଯୁବକ ଯୁବତୀମାନେ ବାଙ୍କୀ, ବଡ଼ମ୍ବା, ନରସିଂହପୁର, ତିଗିରିଆ ଅଞ୍ଚଳର ବୋଲି ପୁଲିସ ଜାଣିବାକୁ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/03/8SI2QxoTLRGyJ3gp9O0M.jpg)