ବରଗଡ଼: ସମ୍ବଲପୁରୀ ଶାଢ଼ିର ନକଲି ପ୍ରିଣ୍ଟ କରି କଳାବଜାରୀ ଘଟଣା ବହୁ ପୁରୁଣା। ଏନେଇ ଶନିବାର ବିଧାନସଭାରେ ପ୍ରଶ୍ନ ଉଠାଇଛନ୍ତି ବିଜେପି ବିଧାୟକ ମୁକେଶ ମହାଲିଂଗ। ୨୦୧୭ ମସିହା ଜୁଲାଇ ୨୧ ତାରିଖ ନକଲି ସମ୍ବଲପୁରୀ ଶାଢ଼ି ବାହାର ରାଜ୍ୟରେ ପ୍ରସ୍ତୁତ ହେବା ନେଇ ବରଗଡ଼ ଟାଉନ ଥାନାରେ ଅଭିଯୋଗ ହୋଇଥିଲା। ଏନେଇ ବର୍ତମାନ କେଉଁ ପଦକ୍ଷେପ ହୋଇଛି ବୋଲି ବିଭାଗୀୟ ମନ୍ତ୍ରୀ ରୀତା ସାହୁଙ୍କୁ ସେ ପ୍ରଶ୍ନ କରିଥିଲେ। ୨୦୨୦ ମସିହା ମାର୍ଚ୍ଚ ୧୬ ତାରିଖ ବରଗଡ଼ ଏସ୍ଡିଜେମ୍ କୋର୍ଟରେ ଚାର୍ଜସିଟ୍ ଦାଖଲ ହୋଇଛି ଏବଂ ୨୦୨୩ ଫେବ୍ରୁଆରି ୧୦ ତାରିଖ ପକ୍ଷ ରଖିବାକୁ ରାଜସ୍ଥାନର ଭାରତ ମୋହନ ଇଣ୍ଟଷ୍ଟ୍ରିଜ୍ର ସତ୍ବାଧିକାରୀ ଜଗଦୀଶ ଚାନ୍ଦ ଛାଜେଡ଼ଙ୍କୁ କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଥିବା ମନ୍ତ୍ରୀ ଶ୍ରୀମତୀ ସାହୁ ଉତ୍ତରରେ କହିଛନ୍ତି।
ସୂଚନାଯୋଗ୍ୟ, ସମ୍ବଲପୁରୀ ହସ୍ତତନ୍ତ କେବଳ ଭୌଗଳିକ ସଂପଦା (ଜିଆଇ) ମାନ୍ୟତା ପାଇଛି। କିନ୍ତୁ ବୁଣାକାରମାନେ ନିଜ ଉତ୍ପାଦ ପାଇଁ ପେଟେଣ୍ଟରୁ ବଂଚିତ ରହୁଛନ୍ତି। ଏହି ପ୍ରକ୍ରିୟା ପାଇଁ ବିଭାଗୀୟ କର୍ତୃପକ୍ଷ ମୁଣ୍ଡ ପୁରାଉନାହାନ୍ତି ଏବଂ ବୁଣାକାରମାନେ ପେଟେଣ୍ଟ ସଂପର୍କରେ ସଂପୂର୍ଣ୍ଣ ଅଜ୍ଞ ଅଛନ୍ତି। ଯଦ୍ବାରା ପଡ଼ୋଶୀ ଛତିଶଗଡ଼ ଏବଂ ଅନ୍ୟ ରାଜ୍ୟରେ ସମ୍ବଲପୁରୀ ଶାଢ଼ିର ଅବିକଳ ପ୍ରସ୍ତୁତି ହେଉଛି। ତାହା ପୁଣି ମେସିନ୍ରେ। ବରଗଡ଼ ସମେତ ବିଭିନ୍ନ ଜିଲ୍ଲାକୁ ମୁମ୍ବାଇ, ନାଗପୁର, କୋଲକତା, ତାମିଲନାଡ଼ୁରୁ କପଡ଼ା ବେପାରୀ ନିୟମିତ ଆସୁଛନ୍ତି। ଏଠାରୁ କମ୍ ଦରରେ ସମ୍ବଲପୁରୀ ଶାଢ଼ି କିଣି ନେଉଛନ୍ତି। ସେଠାରେ ସମ୍ବଲପୁରୀ ଭଳି ଅବିକଳ ବସ୍ତ୍ର ତିଆରି କରି ବିକ୍ରି କରୁଛନ୍ତି। ୨୦୧୭ ମସିହାରେ ରାଜ୍ୟ ବାହାରେ ନକଲି ସମ୍ବଲପୁରୀ ଶାଢ଼ି ବିକ୍ରି ହେଉଥିବା ମାମଲା ସାମନାକୁ ଅାସିଥିଲା। ଯାହାକୁ ନେଇ ବୁଣାକାର ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ମାମଲା ଥାନାକୁ ପହଂଚିଥିଲା। ଏନେଇ ସେତେବେଳେ ବରଗଡ଼ ଟାଉନ ଥାନାରେ କେସ ନମ୍ବର ୧୯୬ରେ ୩୯/ଜିଅାଇ ଅାକ୍ଟରେ ମାମଲା ରୁଜୁ ହୋଇଥିଲା। ନକଲି ବସ୍ତ୍ରର ନମୁନା ବରଗଡ଼ ପୁଲିସ୍ ପରୀକ୍ଷା କରିବାକୁ ହସ୍ତତନ୍ତ ତଥା ବୟନ ଶିଳ୍ପ ନିର୍ଦ୍ଦେଶାଳୟ ପାଖକୁ ପଠାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/14-22.jpg)