ସମ୍ବଲପୁର: ବିଶ୍ବପ୍ରସିଦ୍ଧ ହେଲାଣି ସମ୍ବଲପୁରୀ ଶାଢ଼ି। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ହୁଅନ୍ତି କି ବର୍ତ୍ତମାନର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସମସ୍ତଙ୍କ ପସନ୍ଦ ସେହି ସମ୍ବଲପୁରୀ ଶାଢ଼ି। ବଲିଉଡ୍‌ର ଅନେକ ଅଭିନେତ୍ରୀ ମଧ୍ୟ ସମ୍ବଲପୁରୀ ‌ଶାଢ଼ିର ମୋହରେ ପଡ଼ିଛନ୍ତି। ଯିଏ ବି ସମ୍ବଲପୁର ଆସନ୍ତି, ନିଶ୍ଚିତ ଭାବେ ସମ୍ବଲପୁରୀ ଶାଢ଼ି ସହିତ ଅନ୍ୟାନ୍ୟ ସମ୍ବଲପୁରୀ ପୋଷାକପତ୍ର ସାଙ୍ଗରେ ନେଇଯିବାକୁ ଭୁଲି ନଥାନ୍ତି। ହେଲେ, ସମ୍ବଲପୁରୀ ଶାଢ଼ି ନାମରେ କେତେକ ବେପାରୀ ଏବେ ଗ୍ରାହକମାନଙ୍କୁ ଠକୁଥିବା ଦେଖିବାକୁ ମିଳୁଛି।

Advertisment

ସୂଚନା ଅନୁସାରେ, ସମ୍ବଲପୁର ସହରରେ ବହୁଜାଗାରେ ନକଲି ସମ୍ବଲପୁରୀ ଛାପାଶାଢ଼ି ବିକ୍ରି ହେଉଛି। ହସ୍ତତନ୍ତ ତିଆରି ସମ୍ବଲପୁରୀ ଶାଢ଼ି ବଦଳରେ ସମ୍ବଲପୁରୀର ବିଭିନ୍ନ ଡିଜାଇନରେ ନକଲି ଛାପାଶାଢ଼ି ବିକ୍ରି ଚାଲିଛି। ବିଶେଷକରି, ସମଲେଇ ମନ୍ଦିର ଏବଂ ଆଖପାଖ ଅଞ୍ଚଳ ସହିତ ‌କେତେକ ଦୋକାନରେ ବି ନକଲି ସମ୍ବଲପୁରୀ ଶାଢ଼ି, ସାର୍ଟ, ରୁମାଲ, ବେଡ୍‌ସିଟ ସହିତ ଅନ୍ୟାନ୍ୟ ଜିନିଷ ଉପଲବ୍ଧ ରହିଛି। ସମଲେଇ ପ୍ରକଳ୍ପର ଲୋକାର୍ପଣ ସହିତ ବ୍ୟାପକ ପ୍ରଚାରପ୍ରସାର ‌ଯୋଗୁ ଏବେ ସମଲେଶ୍ବରୀ ମନ୍ଦିରକୁ ଭକ୍ତ ଓ ପର୍ଯ୍ୟଟକ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାର ସୁଯୋଗ ନେଉଛନ୍ତି ଏହି ବ୍ୟବସାୟୀମ‌ାନେ। କାରଣ, ବାହାରୁ ଆସୁଥିବା ଲୋ‌କେ ସାଧାରଣତଃ କେଉଁଟା ଅସଲି ଓ କେଉଁଟା ନକଲି ତାହା ଜାଣିପାରୁନାହାନ୍ତି। ମନ୍ଦିର ପାଖରେ ତଥା ରିଂରୋଡ଼ ପାର୍ଶ୍ବରେ ବସିଥିବା ପସରାରୁ ଲୁଗା କିଣୁଛନ୍ତି। ମାତ୍ର ୫୦୦ରୁ ହଜାରେ ଟଙ୍କା ମଧ୍ୟରେ ଏସବୁ ମିଳିଯାଉଥିବାରୁ ଶସ୍ତାରେ କ୍ରୟ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ଯାହାର ପ୍ରଭାବ ପଡ଼ୁଛି ପ୍ରକୃତ ସମ୍ବଲପୁରୀ ବସ୍ତ୍ର ଉପରେ। ଏହାଦ୍ବାରା ସମ୍ବଲପୁରୀ ବସ୍ତ୍ରର ‌ମାନକୁ ନେଇ ରାଜ୍ୟ, ଦେଶ ତଥା ବିଶ୍ବରେ ଯେଉଁ ଆଦର ରହିଛି, ତାହା ପ୍ରଭାବିତ ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ନକଲି ସମ୍ବଲପୁରୀ ବସ୍ତ୍ରର ବେପାର ଉପରେ ଅଙ୍କୁଶ ଲଗାଇବା ପାଇଁ ସ୍ବାଭିମାନ ସମ୍ବଲପୁରର ସଂପାଦକ ଶିଶିର ବହିଦାର ସରକାରଙ୍କଠାରେ ଦାବି କରିଛନ୍ତି।