କଟକ : କଳମ ଶାଗରୁ ସସ୍ ଓ ଗୋଖାଦ୍ୟ ଭାବେ ବ୍ୟବହାର ହେଉଥିବା ଚୋକଡ଼ରୁ ତିଆରି ହେଉଛି ଚାଓମିନ୍। ଏଭଳି ସାମଗ୍ରୀରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ରାକେଟ୍ର ପର୍ଦ୍ଦାଫାସ କରିଛି ମାଲଗୋଦାମ ଥାନା ପୁଲିସ। ପାଖାପାଖି ୧୨ ଲକ୍ଷ ଟଙ୍କାର ନକଲି ଖାଦ୍ୟ ସାମଗ୍ରୀ ଜବତ ହୋଇଛି। ଏହି କାରବାରରେ ସମ୍ପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ ପୁଲିସ ଥାନାରେ ଅଟକ ରଖି ଜେରା କରୁଛି। ବାରଙ୍ଗ ଦାଢ଼ାପାଟଣା ଅଞ୍ଚଳରେ ଚାଲିଥିବା ଏକ ସସ୍ ଓ ଚାଓମିନ୍ ତିଆରି ଫ୍ୟାକ୍ଟ୍ରିକୁ ପୁଲିସ ଜବତ କରିଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ମାଲଗୋଦାମ ଭିତରେ ସାଥି ବ୍ରାଣ୍ଡ୍ର ନକଲି ସସ୍ ଓ ଚାଓମିନ୍ ବିକ୍ରି ହେଉଥିବା ସମ୍ପର୍କରେ ମାଲଗୋଦାମ ଥାନା ପୁଲିସ ଶନିବାର ଖବର ପାଇଥିଲା। ସିଏମସି ସହାୟତାରେ ପୁଲିସ ଟିମ୍ ଏହି ଗୋଦାମରେ ଚଢ଼ଉ କରିଥିଲା। ୨୦ ପେଟି ସାଥି ସସ୍, ପରିବାର ସସ୍, ଫୁଡ଼ି ସସ୍, ୪୫ ବସ୍ତା ମ୍ୟାଗି ଜବତ କରିଛି। ୫୦୦ ବୋତଲ ସସ୍ ଓ ଅଢ଼େଇ କୁଇଣ୍ଟାଲ୍ ଚାଓମିନ୍ ଜବତ ହୋଇଛି। ଏହି ସସ୍ ବିକ୍ରି ପଛର ଦୁଇ କାର୍ପଟଦାର ଚାଉଳିଆଗଞ୍ଜର ସନ୍ତୋଷ ସାହୁ, ପବିତ୍ର ସାହୁଙ୍କୁ ପୁଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଏହି ସସ୍ ବାରଙ୍ଗ ଦାଢ଼ାପାଟଣା ଅଞ୍ଚଳରେ ଏକ ୟୁନିଟରେ ଚାଲୁଥିବା ଜଣାପଡ଼ିବା ପରେ ପୁଲିସ ସେଠି ବି ଚଢ଼ଉ କରିଥିଲା। ଭୁବନେଶ୍ବରର ଜଣେ ମହିଳା ଦାଢ଼ାପାଟଣାରେ ଏକ ଘର ଭଡ଼ା ନେଇ ସେଠାରେ ସସ୍ ପ୍ରସ୍ତୁତ କରୁଥିଲେ। ଫ୍ୟାକ୍ଟ୍ରିରୁ ଦୁଇ ଜଣ କର୍ମଚାରୀଙ୍କୁ ପୁଲିସ ଆଣି ଜେରା କରୁଛି। ଏହି ଫ୍ୟାକ୍ଟ୍ରିରେ ସସ୍ ଓ ଚାଓମିନ୍ ପ୍ରସ୍ତୁତ ହେଉଥିବା ମେସିନ୍ ଓ ପ୍ୟାକିଂ ମେସିନ୍ ଜବତ କରିଛି।
୧୨ ଲକ୍ଷ ଟଙ୍କାର ସସ୍, ଚାଓମିନ୍ ଜବତ
୪ କର୍ମଚାରୀଙ୍କୁ ଅଟକ ରଖି ପୁଲିସ୍ର ଜେରା
/sambad/media/post_attachments/wp-content/uploads/2022/05/sus-300x169.jpg)
ସାଧାରଣଭାବେ ବିଭିନ୍ନ ଫାଷ୍ଟଫୁଡ ଦୋକାନୀ ବ୍ୟବହାର କରୁଥିବା ଏହି ସସ୍ ଓ ଚାଓମିନରେ ଏଭଳି ଅପମିଶ୍ରଣକୁ ନେଇ ପୁଲିସର ଚିନ୍ତା ବଢ଼ିଯାଇଛି। କଖାରୁ, ଆଳୁ ଓ କଳମ ସାଗରୁ ସସ୍ ପ୍ରସ୍ତୁତ ହେବା ପୂର୍ବରୁ ପ୍ରଥମେ ଏହାକୁ ହାଣ୍ଡିରେ ସିଝାଯାଉଛି। ଏଥିରେ ଭିନେଗାର, ଏସେନ୍ସ ଏବଂ ରଙ୍ଗ ମିଶାଯାଉଛି। ଭଲରେ ଏହାକୁ ସିଝାଇବା ପରେ ଗୋଳାଇ ସସ୍ ବୋତଲରେ ପୂରାଇ ବଜାରରକୁ ଛଡ଼ାଯାଉଛି। ସେହିଭଳି ଚାଓମିନରେ ଶସ୍ତା ଅଟା, ମଇଦା ସହିତ ଗୋଖାଦ୍ୟ ଭାବେ ବ୍ୟବହାର ହେଉଥିବା ଚୋକଡ଼ ବି ମିଶାଯାଉଛି। ତେବେ ଜବତ ହୋଇଥିବା ଖାଦ୍ୟସାମଗ୍ରୀରେ କି ପ୍ରକାର ଅଖାଦ୍ୟ ମିଶିଛି ସେ ନେଇ ତିନୋଟି ନମୁନା ରାଜ୍ୟ ଖାଦ୍ୟ ପରୀକ୍ଷା ଲାବରେଟୋରିକୁ ପରୀକ୍ଷା ପାଇଁ ପଠାଯାଇଛି। ଏହି ଚଢ଼ଉରେ ମାଲଗୋଦାମ ଥାନା ଆଇଆଇସି ତୃପ୍ତିରଞ୍ଜନ ନାୟକ ନେତୃତ୍ବ ନେଇଥିବା ବେଳେ ସିଏସମି ନଗର ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର, ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରତୀକ୍ଷା ଦାସ ମହାପାତ୍ର ସାମିଲ ହୋଇଥିଲେ।
ଜଗତପୁରରେ ମଧ୍ୟ ଚଳିତ ବର୍ଷ ଜବତ ହୋଇଥିବା ଏକ ସସ୍ ତିଆରି କାରଖାନାର ଚେର ଭୁବନେଶ୍ବର ମଞ୍ଚେଶ୍ବର ଶିଳ୍ପାଞ୍ଚଳ ଯାଏ ଲମ୍ବିଥିଲା।
ଗତକାଲି ଜଗତପୁରରୁ ଏକ ନକଲି ମୃଦୁ ପାନୀୟ ପ୍ରସ୍ତୁତକାରୀ ସଂସ୍ଥାକୁ ଠାବ କରାଯାଇଥିବା ବେଳେ ଆଜି ଏଭଳି ନକଲି ସସ୍ ଓ ଚାଓମିନ୍ ଜବତ ହେବା ଉଦବେଗର କାରଣ ହୋଇଛି। ନକଲି ଖାଦ୍ୟ ସାମଗ୍ରୀ ସ୍ବାସ୍ଥ୍ୟ ସମସ୍ୟାର ଅନ୍ୟତମ ପ୍ରମୁଖ କାରଣ ହେଉଥିବାରୁ ଏଭଳି ସାମଗ୍ରୀ ଆଗକୁ ଗୁରୁତର ସ୍ଥିତି ସୃଷ୍ଟି କରିବା ଆଶଙ୍କା କରାଯାଉଛି। ଗଲା ଦୁଇ ବର୍ଷ ଭିତରେ କଟକ ଏବଂ କଟକ ଉପକଣ୍ଠ ଅଞ୍ଚଳରେ ୩୦ରୁ ଅଧିକ ନକଲି ସାମଗ୍ରୀ ପ୍ରସ୍ତୁତକାରୀ ସଂସ୍ଥା ଧରାପଡିବା ପରେ ବି ଏହି କାରବାର ବନ୍ଦ ନ ହେବା ଘଟଣା ଚିନ୍ତାର କାରଣ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/t-43.jpg)