ପୁଣି ଧରାପଡ଼ିଲା ନକଲି ସସ୍‌

ବୟାଳିଶମୌଜାରେ କାରଖାନା; ମାଲଗୋଦାମରେ ବିକ୍ରି, ପଚା କଖାରୁ ଓ ଆଳୁରେ ପ୍ରସ୍ତୁତ ହେଉଥିଲା

କଟକ : କଟକ ସହରରେ ବାରମ୍ବାର ନକଲି ସାମଗ୍ରି କାରଖାନା ଉପରେ ଚଢଉ ହେଉଥିଲେ ବି କାରବାର ଥମିବାର ନାଁ ଧରୁନି। ଗଲା ଦେଢବର୍ଷ ଭିତରେ କଟକ ସହର ଓ ଏହାର ଆଖପାଖ ଅଞ୍ଚଳରୁ ୨୫ରୁ ଅଧିକ ନକିଲି ସାମଗ୍ରୀ ପ୍ରସ୍ତୁତକାରୀ କାରଖାନା ସିଲ୍‌ କରାଯାଇ ଥିଲେ ବି ପୁଣି ନୂଆ ନୂଆ କାରଖାନା ସାମ୍‌ନାକୁ ଆସୁଛନ୍ତି। ମାତ୍ର କିଛିଦିନ ତଳେ ନକଲି ସିମେଣ୍ଟ କାରଖାନା ଜଗତପୁର ଅଞ୍ଚଳରେ ଠାବ ହୋଇଥିବାବେଳେ ଆଜି ସିଏମ୍‌ସି ଓ ମାଲଗୋଦାମ ଥାନା ପୁଲିସ ବୟାଳିଶମୌଜାରୁ ନକଲି ସସ୍ କାରଖାନା ଓ ମାଲଗୋଦାମରେ ତାହାକୁ ବିକ୍ରି କରୁଥିବା ଦୋକାନକୁ ଠାବ କରି ସିଲ୍ କରିଛି। ୪୨ ମୌଜାର କଳପଡ଼ାରେ ଏହାକୁ ପ୍ରସ୍ତୁତ କରାଯାଉଥିଲା। ଆଜିର ଚଢଉ ସମୟରେ ୫୦ ପେଟି ଟମାଟ ସସ୍‌, ୩୦ ପେଟି ଚିଲି ସସ୍‌, ୧୦ ପେଟି ସୋୟା ସସ୍‌ ଓ ଭିନେଗାର ଇତ୍ୟାଦି ଜବତ କରାଯାଇଛି। ଜବତ ସାମଗ୍ରୀର ନମୁନାକୁ ଭୁବନେଶ୍ବରସ୍ଥିତ ଖାଦ୍ୟମାନ ପରୀକ୍ଷାକେନ୍ଦ୍ରକୁ ପରୀକ୍ଷା ପାଇଁ ପଠାଯାଇଛି। ନକଲି ସାମଗ୍ରୀ ବିକ୍ରି କରୁଥିବା ରଂଜିତ ପ୍ରଧାନଙ୍କୁ ପୁଲିସ ଅଟକ ରଖି ରାଜ୍ୟର କେଉଁ କେଉଁ ସ୍ଥାନକୁ ଏହା ପଠାଯାଉଥିଲା ଓ ଏଥିରେ କେଉଁମାନେ ସାମିଲ ଅଛନ୍ତି, ସେ ସଂପର୍କରେ ଜେରା କରୁଛି।

ମାଲଗୋଦାମରେ ଏହି ନକଲି ସସ୍‌ ବିକ୍ରି କରୁଥିବା ଦୋକାନକୁ ସିଲ୍‌ କରାଯାଇଛି। ଦୋକାନରେ ନାମିଦାମି ବ୍ରାଣ୍ଡର ସସ୍‌ ସହିତ ଏହି ଅପମିଶ୍ରିତ ସସ୍‌ ବିକ୍ରି ହେଉଥିଲା। ଏହି ନକଲି ସସ୍‌ ପଚା କଖାରୁ, ଆଳୁ, ଅପମିଶ୍ରିତ ରଙ୍ଗ ଆଦିକୁ ବ୍ୟବହାର କରି ପ୍ରସ୍ତୁତ କରାଯାଉଥିବାର ପ୍ରମାଣ ମିଳିଛି। ନକଲି କାରଖାନାର ମାଲିକଙ୍କ ନିକଟରେ ଫୁଡ୍‌ ଲା‌ଇସେନ୍ସ ସହିତ ଅନ୍ୟ କାଗଜପତ୍ର ନଥିଲା। ଅପମିଶ୍ରିତ ସସ୍‌ର ଦାମ କମ୍‌ ଥିବାରୁ ଏହାକୁ ରାସ୍ତା ପାର୍ଶ୍ବର ଫାଷ୍ଟ ଫୁଡ୍‌ ଦୋକାନୀ ଓ କିଛି ହୋଟେଲ ମାଲିକ କିଣୁଥିଲେ।

ମାଲଗୋଦାମର ଏକ ଦୋକାନରେ ନକଲି ବା ଅପମିଶ୍ରିତ ସସ୍‌ ବିକ୍ରି କରାଯାଉଥିବା ପୁଲିସ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗପରେ ଆଜି ସିଏମ୍‌ସି ଓ ମାଲଗୋଦାମ ଥାନା ପୁଲିସ ଉପସ୍ଥିତିରେ ଏହି ଚଢଉ କରାଯାଇଥିଲା। ସହର ମଧ୍ୟରେ ଗତ କିଛିଦିନ ଧରି ସିଏମ୍‌ସି ଓ ପୁଲସି ପକ୍ଷରୁ ଏକାଧିକ ଚଢଉ କରାଯାଇ ନକଲି କାରଖନାକୁ ସିଲ୍ କରାଯାଇଛି। ଏହାକୁ ଦେଖି କିଛି ଅସାଧୁ ବ୍ୟବସାୟୀ ସହରଠାରୁ ଅଳ୍ପ ଦୂରରେ ଏବେ ନକଲି କାରଖାନା କରି ଏପରି ଅପମିଶ୍ରିତ ସାମଗ୍ରୀ ପ୍ରସ୍ତୁତ କରିବା ସହ ସହରର ବିଭିନ୍ନ ଦୋକାନରେ ବିକ୍ରି କରିବାକୁ ପଠାଉଛନ୍ତି। ବିଶେଷଭାବେ ମାଲଗୋଦାମ‌ ସେମାନଙ୍କ ପାଇଁ ଏକ ସୁରକ୍ଷିତ ସ୍ଥାନ ପାଲଟିଛି। ଏଠାରୁ ସହର ଓ ଗାଁରୁ ଆସୁଥିବା ଅନେକ ଫାଷ୍ଟଫୁଡ୍ ବ୍ୟବସାୟୀ ଓ ହୋଟେଲ ମାଲିକ ଏହାକୁ କିଣି ନେଉଛନ୍ତି। ଆଜିର ଚଢଉରେ ଜୋନ୍‌ ୫ ଏସିପି ଶୁଭନାରାୟଣ ମୁଦୁଲି, ମାଲଗୋଦାମ ଥାନା ଅଧିକାରୀ ତୃପ୍ତି ରଂଜନ ନାୟକ, ସିଏମ୍‌ସି ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର, ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରତୀକ୍ଷା ଦାସମହାପାତ୍ର, ଖାଦ୍ୟ ନିରୀକ୍ଷକ ଭଗବାନ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର