ନକଲି ଏସ୍‌ସି ପ୍ରାର୍ଥୀଙ୍କୁ ଭୋଟ ନ ଦେବାକୁ ଅନୁରୋଧ

ଭୁବନେଶ୍ୱର : ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ହଡ଼ପ କରିଥିବା ପ୍ରାର୍ଥୀମାନଙ୍କୁ ଭୋଟ ନଦେବାକୁ ଅସ୍ପୃଶ୍ୟ ଦଳିତ ସଂରକ୍ଷଣ ସୁରକ୍ଷା ସମିତି ପକ୍ଷରୁ ଅନୁରୋଧ କରାଯାଇଛି। ଆଜି ଭୁବନେଶ୍ୱରସ୍ଥିତ ହୋଟେଲ କେଶରୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂରକ୍ଷଣକୁ ହଡ଼ପ କରିଥିବା ନକଲି ତଫସିଲଭୁକ୍ତ ଜାତି (ଏସ୍‌ସି) ଯେପରିକି କେଉଟ, କୈବର୍ତ୍ତ, ଧୀବର ପ୍ରାର୍ଥୀଙ୍କୁ ଭୋଟ ନ ଦେଇ ଦଳିତ ଆଦିବାସୀ ଗରିବ ଓ ନିସହାୟ ମହିଳାମାନଙ୍କ କଲ୍ୟାଣ ତଥା ସାମ୍ବିଧାନିକ ଅଧିକାରର ସୁରକ୍ଷା ନିମନ୍ତେ କାର୍ଯ୍ୟ କରୁଥିବା ପ୍ରାର୍ଥୀମାନଙ୍କୁ ଭୋଟ ଦେବାକୁ ସମିତି ପକ୍ଷରୁ ଅନୁରୋଧ କରାଯାଇଛି। ଏଥିସହିତ ରାଜ୍ୟ ସରକାର ଚକ୍ରାନ୍ତ କରି ଏସ୍‌ସି ତାଲିକାରେ ପଶି ଆସିଥିବା କେଉଟ, କୈବର୍ତ୍ତ, ଧୀବର ଜାତିକୁ ବାଦ ଦେବା ସହ ମେହେନ୍ତର, ଝୁରିଆ ଓ ଦଳିତ ବୈଷ୍ଣବ ଜାତିମାନଙ୍କୁ ସାମିଲ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରନ୍ତୁ ବୋଲି ଦାବି କରାଯାଇଛି। ରାଜ୍ୟ ସରକାର ଏସ୍‌ସି ତାଲିକାରେ ସ୍ଥାନିତ କରିବା ପାଇଁ ସୁପାରିଶ କରିଥିବା ରାଢି, ନିଆରି, ଘଣି, ଆଦି ୭ ସବର୍ଣ୍ଣ ଜାତିର ପ୍ରସ୍ତାବକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ସମିତି ପକ୍ଷରୁ କୁହାଯାଇଛି।

ଆଜିର ସାମ୍ବାଦିକ ସମ୍ମିଳନୀରେ ଅସ୍ପୃଶ୍ୟ ଦଳିତ ସଂରକ୍ଷଣ ସୁରକ୍ଷା ସମିତି ଓଡ଼ିଶାର ସଭାପତି ଅଲେଖ ଚନ୍ଦ୍ର ମଲ୍ଲିକ, କାର୍ଯ୍ୟକାରୀ ସଭାପତି ବନ୍ଧୁ ସେଠୀ, ସାଧାରଣ ସମ୍ପାଦକ ପ୍ରଭାକର ମଲ୍ଲିକ, କାର୍ଯ୍ୟକାରୀ ସଭାପତି ଡିଙ୍ଗର କୁମ୍ଭାର, ସୁନାକର ବେହେରା, ଲକ୍ଷ୍ମଣ ମଲ୍ଲିକ, ରବି ନାରାୟଣ ସେଠୀ, ନାଗରିକ ଏକତା ପରିଷଦ, ଦଳିତ ଆଦିବାସୀ ସୁରକ୍ଷା ମଞ୍ଚ, ସାମାଜିକ ନ୍ୟାୟ ପରିଷଦ, ନୀଳମାଧବ ଶବର ସଂଘ, ଉତ୍କଳ ରଜକ ମହାସଂଘ, ରାଷ୍ଟ୍ରୀୟ ଦଳିତ ମହାସଭା, ଅଲ୍ ଓଡ଼ିଶା ଦଳିତ ସମାଜ କଲ୍ୟାଣ ପରିଷଦ, ବାଲ୍ମିକୀ ସମାଜ, କାଳନ୍ଦୀ ସମାଜ, ପାର୍ସି ସମାଜ ଓ ଅନ୍ୟାନ୍ୟ ବହୁ ସଂଗଠନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର