ରଜ, ସାବିତ୍ରୀ ପାଇଁ ନକଲି ସପିଂ ୱେବସାଇଟ୍, ଅର୍ଡର ପରେ ଟଙ୍କା ନେଇ ପାର୍

କଟକ : ହୁସିଆର୍! ଆପଣ ଅନଲାଇନ୍ ୱେବ୍‌ସାଇଟରେ ଅଳ୍ପ ମୂଲ୍ୟରେ କୌଣସି ପୋଷାକ କିମ୍ବା କୋଭିଡ୍ ସଂକ୍ରାନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ସପିଂ କରୁଛନ୍ତି କି? ଏବେ ରଜ, ସାବିତ୍ରୀ ସମୟରେ ନକଲି ଅନଲାଇନ୍ ସପିଂ ଓ୍ବେବସାଇଟ ମାଧ୍ୟମରେ ସାଇବର୍ ଅପରାଧୀ ଅଳ୍ପ ମୂଲ୍ୟରେ ଶାଢ଼ୀ ଯୋଗାଇବାକୁ କହି ଟଙ୍କା ଠକି ନେଉଛନ୍ତି। ଗ୍ରାହକ ଟଙ୍କା ଜମା କରିବା ପରେ ସାଇବର୍ ଅପରାଧୀ ମୋବାଇଲ୍ ସୁଇଚ୍ ଅଫ୍ କରି ଦେଉଛି। କେବଳ ଶାଢ଼ୀ ନୁହେଁ, କୋଭିଡ ସଂକ୍ରାନ୍ତ ଅତ୍ୟାବଶ୍ୟକ ସାମଗ୍ରୀ କିଣାରେ ବି ସମାନ ସ୍ଥିତି ସୃଷ୍ଟି ହୋଇଛି। ଏଥିପ୍ରତି ସତର୍କ ନରହିଲେ ବ୍ୟାଙ୍କ ଆକାଉଣ୍ଟରୁ ସବୁ ଟଙ୍କା ଗୋଲ୍ କରିଦେଉଛନ୍ତି ସାଇବର୍ ଅପରାଧୀ।

ସୂଚନା ଅନୁଯାୟୀ, କରୋନା ଟିକାକରଣରେ ଏବେ ଗୋଟିଏ ପରେ ଗୋଟିଏ ନୂଆ ନୂଆ ଅପରାଧ ଶୈଳୀ ସାମନାକୁ ଆସିବାରେ ଲାଗିଛି। ଅବିକଳ ‘କୋ-ଓ୍ବିନ୍’ ଆପ୍ଲିକେସନ୍ ଭଳି ଦେଖିବାକୁ ‘ଭାକ୍ସିନ୍ ରେଜିଷ୍ଟର୍’ ଏବେ ମୋବାଇଲରୁ ମୋବାଇଲ୍ ଘୁରି ବୁଲୁଥିବା ଘଟଣା କମିସନରେଟ୍ ପୁଲିସର ଚିନ୍ତା ବଢ଼ାଇଥିବା ବେଳେ ଏବେ ନକଲି ସପିଂ ଓ୍ବେବସାଇଟ୍ ପୁଲିସ ପାଇଁ ଅଧିକ ସମସ୍ୟା ସୃଷ୍ଟି କରିଛି। ଲକଡାଉନରେ ମଲ୍ ବନ୍ଦ ଥିବାରୁ ରଜ, ସାବିତ୍ରୀ ପାଇଁ ବଜାରରୁ ଶାଢ଼ୀ କିଣିବା ସମ୍ଭବପର ହେଉନାହିଁ। ଏଥିପାଇଁ ଅଧିକାଂଶ ଲୋକ ଏବେ ଅନଲାଇନ୍ ସପିଂ ଓ୍ବେବସାଇଟ୍ ଉପରେ ନିର୍ଭର କରିବାକୁ ପଡ଼ୁଛି। ଏହି ମଉକାର ଫାଇଦା ଉଠାଉଛନ୍ତି ସାଇବର୍ ଅପରାଧୀ। ନକଲି ସପିଂ ଓ୍ବେବସାଇଟରେ ଏବେ ଅଳ୍ପ ମୂଲ୍ୟରେ ଶାଢ଼ୀ ଓ ସାର୍ଟ ପ୍ୟାଣ୍ଟ ଯୋଗାଇ ଦେବା ନେଇ ବିଜ୍ଞାପନ ଫେସବୁକ ପେଜରେ ଦେଉଛିନ୍ତି। ଡ୍ରେସ୍ କିଣିବା ପାଇଁ ଅନଲାଇନରେ ପେମେଣ୍ଟ କରିବାକୁ କୁହାଯାଉଛି। ପେମେଣ୍ଟ ପରେ ଡ୍ରେସ୍ ପହଞ୍ଚୁ ନାହିଁ। କିନ୍ତୁ ବ୍ୟାଙ୍କ୍ ଆକାଉଣ୍ଟରୁ ଟଙ୍କା ଗାଏବ୍ ହୋଇଯାଉଛି।

ସମାନ ଧରଣର ଘଟଣା ପୁରୀଘାଟ ଅଞ୍ଚଳରେ ଘଟିଛି। ଚୌଧୁରୀ ବଜାର ଅଞ୍ଚଳର ଶତାବ୍ଦୀ ଶୁକ୍ଳା ନାମକ ଜଣେ ବ୍ୟବସାୟୀ ଏପ୍ରିଲ ୩୦ ତାରିଖରେ ଇଣ୍ଡିଆ ମାର୍ଟ ଓ୍ବେବସାଇଟ ମାଧ୍ୟମରେ ମାସ୍କ, ଅକ୍ସିମିଟର, ଗ୍ଲୋବସ ପାଖାପାଖି ୨ ଲକ୍ଷ ୯୦ ହଜାର ଟଙ୍କାର ଅର୍ଡର କରିଥିଲେ। ସମସ୍ତ ଟଙ୍କା ଅନଲାଇନ୍ ମୋଡରେ ପୈଠ ହୋଇଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ସେ ଅର୍ଡର କରିଥିବା ସାମଗ୍ରୀ ତାଙ୍କ ନିକଟରେ ପହଞ୍ଚି ପାରିଲା ନାହିଁ। ପୁରୀଘାଟ ଥାନା ପୁଲିସ ସମ୍ପୃକ୍ତ ଠକର ମୋବାଇଲ୍ ଲୋକେସନ୍ ଉତ୍ତରପ୍ରଦେଶରେ ଠାବ କରିଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଠକ ନିକଟରେ ପୁଲିସ ପହଞ୍ଚି ପାରି ନାହିଁ। ଯେଉଁ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା କାରବାର ହୋଇଛି, ଉକ୍ତ ବ୍ୟାଙ୍କ ସହିତ ଠକର କୌଣସି ସମ୍ପର୍କ ବର୍ତ୍ତମାନ ସୁଦ୍ଧା ମିଳିପାରୁ ନାହିଁ। ଯେଉଁ ଓ୍ବେବସାଇଟରେ କୋଭିଡ ସଂକ୍ରାନ୍ତ ସାମଗ୍ରୀ କିଣିବାକୁ ଅର୍ଡର କରାଯାଇଥିଲା, ସାଇବର୍ ଅପରାଧୀଙ୍କ ଯୋଜନାବଦ୍ଧ ଷଡ଼ଯନ୍ତ୍ର ବୋଲି ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। କିନ୍ତୁ କରୋନା ସମୟରେ ବାହାର ରାଜ୍ୟକୁ ଯାଇ ପୁଲିସ ତଦନ୍ତ କରିବାକୁ ଭୟ କରୁଛି। ତେଣୁ ଏଭଳି ପରିସ୍ଥିତିରେ ଅଳ୍ପ ମୂଲ୍ୟରେ ପୋଷାକ କିମ୍ବା କୋଭିଡ୍ ସଂକ୍ରାନ୍ତ ସାମଗ୍ରୀ ଯୋଗାଇବାକୁ ଦାବି କରୁଥିବା ଓ୍ବେବସାଇଟରେ କୌଣସି ଆର୍ଥିକ କାରବାର ନକରିବାକୁ କମିସନରେଟ୍ ପୁଲିସ ପରାମର୍ଶ ଦେଇଛି।

ସମ୍ବନ୍ଧିତ ଖବର