କଟକ : ପୁରୀର ୨୦ରୁ ଅଧିକ ହୋଟେଲ୍ ନାମରେ ଖୋଲିଛି ନକଲି ସାଇଟ୍। ରାଜ୍ୟ ବାହାରୁ ଏହାକୁ ଅପରେଟ୍ କରାଯାଉଛି। ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦିଆଯାଇ ସେଥିରେ ବୁକିଂ ରାଶି ନିଆଯାଉଛି। ହେଲେ ଗ୍ରାହକ ହୋଟେଲ୍ରେ ପହଞ୍ଚିବା ବେଳକୁ ସେଭଳି କିଛି ସାଇଟ୍ ହୋଟେଲ୍ର ନଥିବା ଜାଣିବାକୁ ପାଉଛନ୍ତି। ଗତ ୮ମାସ ଭିତରେ ପୁରୀର ୨୦ଟି ହୋଟେଲ୍ ନାମରେ ଏହିଭଳି ୨ହଜାରରୁ ଅଧିକ ନକଲି ବୁକିଂ କରାଯାଇ ଟଙ୍କା ନିଆଯାଇଛି। ଏ ନେଇ ହୋଟେଲ ପକ୍ଷରୁ ପୁଲିସ ଓ ଜିଲ୍ଲା ପ୍ରଶାସନକୁ ଅଭିଯୋଗ କରାଯାଇଛି। ହେଲେ ଏଯାଏ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ଲୁଟେରାମାନେ ଗ୍ରାହକମାନଙ୍କୁ ଲୁଟି ଚାଲିଛନ୍ତି।
ଅଭିଯୋଗ ଅନୁଯାୟୀ ଆଇଆଇଟି ଖଡ଼ଗପୁର୍ର ଛାତ୍ର ସାଗ୍ନିକ୍ ସରକାର ଓ ତାଙ୍କର ତିନି ଜଣ ସାଙ୍ଗ ଆଜି (୩୦ ଜୁନ୍) ପୁରୀ ବୁଲିବାକୁ ଆସିବା ପାଇଁ ଅନ୍ଲାଇନ୍ରେ ହୋଟେଲ୍ ଖୋଜିଥିଲେ। ଗୁଗୁଲ୍ ସାଇଟ୍ ସର୍ଚ୍ଚ କରି ପୁରୀର ବଳିଆପଣ୍ଡା ମେରାଇନ୍ ଡ୍ରାଇଭ୍ ରୋଡ୍ରେ ଥିବା ହୋଟେଲ୍ ବଙ୍ଗଲକ୍ଷ୍ମୀରେ ରହିବାକୁ ସେମାନେ ସ୍ଥିର କରିଥିଲେ। ଗୁଗୁଲ୍ ସାଇଟ୍ରେ ଥିବା ହୋଟେଲର ମୋବାଇଲ୍ ନମ୍ବର୍ (୮୯୨୬୩୮୭୭୬୪)ରେ ଯୋଗାଯୋଗ କରି ସାଗ୍ନିକ୍ ଆଜି ଦିନ ୧୨ଟା ୫୭ରେ ୩ ହଜାର ଟଙ୍କା ଓ ୧ଟା ୧୮ମିନିଟ୍ରେ ଆଉ ୧ ହଜାର ଟଙ୍କା ହୋଟେଲ୍ ଆକାଉଣ୍ଟକୁ ପଠାଇଥିଲେ। ଟଙ୍କା ପାଇବା ପରେ ରସିଦ୍ ମିଳିବ ବୋଲି କୁହାଯାଇଥିଲେ ବି କିଛି ରସିଦ୍ ନଆସିବାରୁ ସେମାନଙ୍କର ସନ୍ଦେହ ହେଲା। ଯୋଗାଯୋଗ କରିବାରୁ ମୋବାଇଲ୍ରୁ ଯେଉଁ ଉତ୍ତର ମିଳିଲା, ସେଥିରେ ଅଧିକ ସନ୍ଦେହ ବଢିଲା। ସାଗ୍ନିକ୍ ଅନ୍ୟ ସାଇଟ୍ ଖୋଜି ହୋଟେଲ୍ର ଲ୍ୟାଣ୍ଡଲାଇନ୍ ନମ୍ବର (୦୬୭୫୨-୨୩୦୭୧୧) ପାଇବାରୁ ସେଥିରେ ଯୋଗାଯୋଗ କରିବାରେ ପୂର୍ବ ଆକାଉଣ୍ଟ୍ ଓ ସାଇଟ୍ ନକଲି ବୋଲି ହୋଟେଲ୍ରୁ ଉତ୍ତର ମିଳିଲା। ହୋଟେଲ୍ ପକ୍ଷରୁ ପୂର୍ବରୁ ଏ ନେଇ ପୁଲିସ ଓ ପ୍ରଶାସନରେ ଅଭିଯୋଗ ଦିଆଯାଇଥିବାରୁ ହୋଟେଲ ଏହି ଠକାମି ପାଇଁ ଦାୟୀ ନୁହେଁ ବୋଲି କୁହାଯାଇଥିଲା।
ଏ ସମ୍ପର୍କରେ ହୋଟେଲ ବଙ୍ଗଲକ୍ଷ୍ମୀର ମ୍ୟାନେଜର୍ ରୂପକ୍ ଭକ୍ତ କହିଛନ୍ତି ଯେ ୮ମାସ ତଳେ ହୋଟେଲ୍ ନାମରେ ଏଭଳି ଅଭିଯୋଗ ପ୍ରଥମ ଥର ଆସିଥିଲା। ଖୋଳତାଡ଼ କରିବାରେ କେବଳ ଆମ ହୋଟେଲ୍ ନୁହେଁ, ହୋଟେଲ୍ ସୋନାଲି ଓ ହଲିଡେ ରିସର୍ଟ ଭଳି ପୁରୀର ୨୦ରୁ ଅଧିକ ହୋଟେଲ୍ର ଗୁଗୁଲ୍ରେ ନକଲି ସାଇଟ୍ ଥିବା ଜାଣିବାକୁ ପାଇଥିଲୁ। ଏ ନେଇ ଆମେ ସେତେବେଳେ ପୁରୀ ଏସ୍ପି ଓ ଜିଲ୍ଲାପାଳଙ୍କ ସମେତ ସ୍ଥାନୀୟ ଥାନାର ଆଇଆଇସିଙ୍କ ନିକଟରେ ଅଭିଯୋଗ କରିଥିଲୁ। ହୋଟେଲ ଆସୋସିଏସନ୍ ବୈଠକରେ ବି ଅଭିଯୋଗ କରିଥିଲୁ। ହେଲେ ଏଯାଏ ଗ୍ରାହକଙ୍କୁ ଲୁଟ୍ ବନ୍ଦ ହୋଇନି। ମଝିରେ କେତେ ମାସ ଟିକେ କମ୍ ଅଭିଯୋଗ ଆସିଥିଲା। ଏବେ ପୁଣି ପ୍ରାୟ ପ୍ରତିଦିନ ଅଭିଯୋଗ ଆସୁଛି। ଲୁଟେରାମାନେ ହୋଟେଲ୍ର ଗୋଟିଏ ଫଟୋ ପକାଇ ନକଲି ସାଇଟ୍ରେ ଟଙ୍କା ନେଇଯାଉଛନ୍ତି। ସେମାନେ ବିହାର, ଉତ୍ତରପ୍ରଦେଶ ଓ ହରିୟାଣାରୁ ରାକେଟ୍ ଚଳାଉଥିବା ଶୁଣିବାକୁ ମିଳୁଛୁ। ଜଣେ ବ୍ୟାଙ୍କ ମ୍ୟାନେଜର୍ ତାଙ୍କ ହୋଟେଲ୍ ନାମରେ ୯୬ହଜାର ଟଙ୍କା ଦେଇ ଫସିଥିବାର ବି ଉଦାହରଣ ରହିଛି। ଅବଶ୍ୟ, ସେ ବ୍ୟାଙ୍କ ମ୍ୟାନେଜର୍ ହୋଇଥିବାରୁ ଲୁଟେରାଙ୍କ ଆକାଉଣ୍ଟ୍ ଫ୍ରିଜ୍ କରି ଟଙ୍କା କୌଣସି ମତେ ଫେରି ପାଇ ଯାଇଥିଲେ। ଗଲା ୮ମାସରେ କେବଳ ତାଙ୍କ ହୋଟେଲ୍କୁ ଏଭଳି ଶହେରୁ ଅଧିକ ଗ୍ରାହକଙ୍କ ଅଭିଯୋଗ ଆସିଲାଣି ବୋଲି ଶ୍ରୀ ଭକ୍ତ କହିଛନ୍ତି। କିନ୍ତୁ ସାଧାରଣ ଲୋକ ଫସି ଚାଲିଥିବା ବେଳେ ପୁଲିସ ଅଭିଯୋଗ ପାଇ ମଧ୍ୟ ଚୁପ୍ ରହିବା ଘଟଣା ଉଦ୍ବେଗର କାରଣ ହୋଇଛି।