ଗରମ ଚିନି ପାଣିରେ ରଙ୍ଗ, କେମିକାଲ୍ ଦେଇ ଚାଲିଥିଲା ପ୍ରସ୍ତୁତି
ମାଲିକ ଅଟକ, କାରଖାନା ସିଲ୍, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ
କଟକ-ଜଗତପୁର : ଜଗତପୁର ଅଞ୍ଚଳରେ ପୁଣି ନକଲି ସାମଗ୍ରୀ ପ୍ରସ୍ତୁତି କାରଖାନା ଠାବ ହୋଇଛି। ଗଲା କିଛିବର୍ଷ ଭିତରେ ଏଭଳି ବାରମ୍ବାର ଚଢ଼ାଉ ହୋଇ ନକଲି ସାମଗ୍ରୀ ଜବତ ହେଉଥିଲେ ବି ଏଭଳି କାରଖାନା ମୁଣ୍ଡ ଟେକିବା ଘଟଣା ଉଦ୍ବେଗର କାରଣ ହୋଇଛି। ଜଗତପୁର ଥାନାଠାରୁ ମାତ୍ର ୫୦ ମିଟର ଦୂରରେ ଥିବା କଳାଗ୍ନି ହୋଟେଲ ମଧ୍ୟରେ ବେଆଇନ୍ ଭାବେ, ବିନା ଫୁଡ ସେଫ୍ଟି ଓ ଟ୍ରେଡ୍ ଲାଇସେନ୍ସରେ ଚାଲିଥିବା ଏକ ମୃଦୁ ପାନୀୟ ପ୍ରସ୍ତୁତି କାରଖାନାକୁ ଠାବ କରାଯାଇଛି। ଆଜି ମଧ୍ୟାହ୍ନରେ କମିସନରେଟ ପୁଲିସ୍ ଓ ସିଏମସି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିତ ଭାବେ ଚଢଉ କରାଯାଇ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ କରାଯିବା ସହିତ କାରଖାନାକୁ ସିଲ୍ କରି ଦିଆଯାଇଛି ଏବଂ ମାଲିକଙ୍କୁ ଅଟକ ରଖି ଜେରା କରାଯାଉଛି।
ସୂଚନା ଅନୁଯାୟୀ କଟକ-ଚାନ୍ଦବାଲି ରାଜ୍ୟ ରାଜପଥ କଡରେ ଥିବା ହୋଟେଲ ମଧ୍ୟରେ ବିନୋରୀ ଇଣ୍ଡଷ୍ଟ୍ରିଜ ନାମରେ ଜଗତପୁର ନୂତନ ଶିଳ୍ପାଞ୍ଚଳ ଠିକଣାରେ ଏହି କାରଖାନା ଚାଲିଥିଲା। ସ୍ପ୍ରିଙ୍ଗ-ଅପ ବ୍ରାଣ୍ଡ୍ରେ ସୋଡ଼ା, ମସଲା ଡ୍ରିଙ୍କ୍ସ, ଲେମନ ଓ ଅରେଞ୍ଜ ଫ୍ଲେଭର, ଲିଚି ଭଳି ନକଲି ମୃଦୁ ପାନୀୟଗୁଡିକୁ ଜଗତପୁର ସମେତ ଖୁଣ୍ଟୁଣୀ, ଢେଙ୍କାନାଳ, ଯାଜପୁର, ଜଗତସିଂହପୁର ପ୍ରଭୃତି ସ୍ଥାନକୁ ପଠାଯାଉଥିଲା। କାରଖାନାରେ ଚିନି ପାଣିକୁ ଗରମ କରାଯାଇ ରଙ୍ଗ ଓ କେମିକାଲ ମିଶାଯାଇ ଏହାକୁ ପ୍ରସ୍ତୁତ କରାଯାଉଥିଲା। ପୁଲିସ ପ୍ରାୟ ୪ ହଜାରରୁ ଉର୍ଦ୍ଧ୍ୱ ବୋତଲ, ଲୋଗୋ, ଷ୍ଟିକର ଓ ଉପକରଣକୁ ଜବତ କରିବା ସହ କାରଖାନାକୁ ସିଲ୍ କରିଛି। ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ପୁଲିସ୍ ସୂଚନା ଦେଇଛି।
ଏହି କାରଖାନାଟି ବର୍ଷେ ପୂର୍ବରୁ ନୂତନ ଶିଳ୍ପାଞ୍ଚଳ ସୀମା ପାର୍ଶ୍ୱ ନିଛାଟିଆ ସ୍ଥାନରେ ରହିଥିଲା। କିନ୍ତୁ ତାହାକୁ ଏବେ ଏହି ହୋଟେଲକୁ ସ୍ଥାନାନ୍ତର କରାଯାଇଥିଲା। ଆଜି ଜବତ ସାମଗ୍ରୀର ନମୁନାକୁ ପରୀକ୍ଷା ପାଇଁ ଲାବୋରେଟୋରିକୁ ପଠାଯାଇଛି। ଚଢାଉ ବେଳେ କାରଖାନାର ଫୁଡ୍ ସେଫ୍ଟି ଲାଇସେନ୍ସ, ଟ୍ରେଡ୍ ଲାଇସେନ୍ସ ଭଳି ଆବଶ୍ୟକୀୟ କାଗଜପତ୍ର ନ ଥିବାରୁ କାରଖାନା ମାଲିକ ଜିତେନ୍ଦ୍ର କୁମାର ସାହୁଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଜାରି ରହିଛି। ଆଜିର ଏହି ଚଢାଉରେ ସିଏମ୍ସି ପକ୍ଷରୁ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର, ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରତୀକ୍ଷା ଦାସ ମହାପାତ୍ର, ଖାଦ୍ୟ ନିରୀକ୍ଷକ ଭଗବାନ ଲେଙ୍କା ଓ କମିଶନରେଟ ପୁଲିସ ପକ୍ଷରୁ କଟକ ଜୋନ-୧ ଏସିପି ଶୁଭ ନାରାୟଣ ମୁଦୁଲି ଓ ଜଗତପୁର ଥାନା ଅଧିକାରୀ ରବୀନ୍ଦ୍ରନାଥ ମେହେର ପ୍ରମୁଖ ସାମିଲ ହୋଇଥିଲେ।
ପୂର୍ବରୁ ଜଗତପୁର ଥାନା ଅଞ୍ଚଳରେ ଅପମିଶ୍ରିତ ସସ୍, ମସଲା, ପାନ ମସଲା, ଘିଅ, ଲଡୁ, ସୋୟାବିନ, ସିମେଣ୍ଟ ଭଳି ନକଲି କାରଖାନା ଠାବ ହୋଇଥିବା ବେଳେ ଏହି ତାଲିକାରେ ଆଜି ନକଲି ମୃଦୁ ପାନୀୟ ଯୋଡ଼ି ହେଇଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/jagatpur-fake-drink.jpg)