କଟକ: ମାଲଗୋଦାମ୍‌ର ପୁରୁଣା ଡକୟାର୍ଡରେ ଜବର ଦଖଲ ଉଚ୍ଛେଦ ଚାଲିଥିବା ବେଳେ ସେଠାରେ ଏକ ନକଲି ମସଲା କମ୍ପାନିର ଗୋଦାମକୁ ଠାବ କରାଯାଇଛି। ସିଏମ୍‌ସି ଓ ପୁଲିସ ପକ୍ଷରୁ ଉଚ୍ଛେଦ କାର୍ଯ୍ୟ ଚାଲିଥିବା ବେଳେ ତାହାକୁ ବନ୍ଦ କରି ଏହି ଗୋଦାମ ଉପରେ ଚଢଉ କରାଯାଇଥିଲା। ଏଥିରେ ସିଏମସି ସ୍ବାସ୍ଥ୍ୟ ବିଭାଗ ସାମିଲ ହୋଇଥିଲା। ଏହି କାରବାରରେ ସଂପୃକ୍ତ ବ୍ୟବସାୟୀ ବ୍ରହ୍ମପୁରର ବି ପାଣ୍ତବ ପାତ୍ରଙ୍କ ଗୋଦାମରୁ ୫ କୁଇଣ୍ଟାଲରୁ ଅଧିକ ହଳଦୀ, ଜିରା, ଲଙ୍କା ଗୁଣ୍ତ ଜବତ କରାଯାଇ ନମୁନାଗୁଡିକୁ ପରୀକ୍ଷା ପାଇଁ ଲାବୋରେଟୋରିକୁ ପଠା ଯାଇଛି। ଏହି ଗୋଦାମକୁ ସିଲ୍‌ କରି ଦିଆଯାଇଛି।

Advertisment

ସୂଚନା ଅନୁଯାୟୀ ମାଲଗୋଦାମର ପୁରୁଣା ଡକୟାର୍ଡରେ ୧୫ରୁ ୨୦ ପରିବାର ଦୀର୍ଘ ଦିନ ଧରି ଜବର ଦଖଲ କରି ରହୁଥିଲେ। ସେମାନଙ୍କୁ ବାରମ୍ବାର ନୋଟିସ୍‌ ଦିଆଯିବା ପରେ ବି ସେମାନେ ନ ହଟିବାରୁ ଆଜି ଡେପୁଟି କମିସନର ତ୍ରିଶୂଲ ମାର୍ଦ୍ଦିଙ୍କ ନେତୃତ୍ବରେ, ପ୍ରଫୁଲ୍ଲ ମଙ୍ଗଲ, ସିଏମସି ଏନଫୋର୍ସମେଣ୍ଟ ଟିମ୍ ସହ ସିଡିଇଏଫର ଦୁଇଟି ଦଳ ଓ ସ୍ଥାନୀୟ ପୁଲିସ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ସମୟରେ ନକଲି ମସଲା କାରବାର କରୁଥିବା ପାଣ୍ତବ ପାତ୍ର ସେଠାରେ ସନ୍ଦେହଜନକ ଭାବେ ବୁଲୁଥିବାରୁ ପୁଲିସ ତାଙ୍କୁ ଧରି ନେଇ ଜେରା କରିଥିଲା। ଫଳରେ ତାଙ୍କ ଠାରୁ ନକଲି ମସଲା ଗୋଦାମ ସଂପର୍କରେ ତଥ୍ୟ ମିଳିଥିଲା। ପରେ ସିଏମସିର ସିଟି ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ରଙ୍କ ନେତୃତ୍ବରେ ଖାଦ୍ୟ ସୁରକ୍ଷା ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଥିଲେ। ଏହି ଚଢଉରେ ଖାଦ୍ୟ ମାନ ନିରୂପଣ ଅଧିକାରୀ ରଶ୍ମିତା ବେହେରା ସହଯୋଗ କରିଥିଲେ।

ସୂଚନାଯୋଗ୍ୟ ଯେ ପୂର୍ବରୁ ବି ଏକାଧିକ ଘଟଣାରେ ମାଲଗୋଦାମରୁ ନକଲି ମସଲା ସାମଗ୍ରୀ ଜବତ ହୋଇଛି। କିନ୍ତୁ ଏଭଳି ଜବତ ଓ ପ୍ରାଥମିକ କାର୍ଯ୍ୟାନୁଷ୍ଠାନ ପରେ ପରବର୍ତ୍ତୀ ପର୍ଯ୍ୟାୟରେ ନକଲି କାରବାର ରୋକିବାକୁ କୌଣସି ଦୃଢ ପଦକ୍ଷେପ ନିଆଯାଉ ନଥିବାରୁ ନକଲି ସାମଗ୍ରୀ କାରବାର କମିବା ବଦଳରେ ବଢି ଚାଲିଛି। ପୂର୍ବରୁ କଟକ​ରେ ନକଲି ମସଲା ସାମଗ୍ରୀ ସମେତ ନକଲି ସିମେଣ୍ଟ, ନକଲି ରଙ୍ଗ, ନକଲି ଔଷଧ, ନକଲି ତେଲ, ନକଲି ଗଙ୍ଗା ଜଳ ସମେତ ନକଲି ପୂଜା ସାମଗ୍ରୀ କାରବାର ବି ଧରା ପଡିଛି।