ସମ୍ବଲପୁର: ‘ମାସକୁ ୧୦ ପ୍ରତିଶତ ସୁଧରେ ଧାର ନେଇ ଝାଡ଼ୁଦାର ଚାକିରି ପାଇଁ ୧୨ ହଜାର ଟଙ୍କା ଦେଇଥିଲୁ। ସେହି ଟଙ୍କା ଫେରି ନ ପାଇଲେ ସର୍ବସ୍ବାନ୍ତ ହୋଇଯିବୁ’। ମିଛ ଚାକିରି ରୢାକେଟ୍ର ମାୟାଜାଲରେ ଫସି ଠକେଇର ଶିକାର ହୋଇଥିବା ଶହଶହ ମହିଳା ନିଜ ଟଙ୍କା ଫେରିପାଇବା ଲାଗି ମଙ୍ଗଳବାର ପୃଥକ ଭାବରେ ସମ୍ବଲପୁର ଜିଲ୍ଲାପାଳ ଓ ଏସ୍ପିଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଦୁର୍ଗାପାଲିରୁ ଭତ୍ରା, ବୁର୍ଲାରୁ ଚିପିଲିମା ଏଭଳି କୌଣସି ସ୍ଥାନ ନାହିଁ ଯେଉଁଠି ଲୋକେ ଏସ୍ଏଚ୍ଜି କିମ୍ବା ମହାଜନ ପାଖରୁ ସୁଧରେ ଋଣ ଆଣି ନାହାନ୍ତି। ଏଥିସହିତ ସମ୍ବଲପୁରର ପ୍ରତିଟି ପଡ଼ାରେ ଚାଲିଥିବା ବେଆଇନ ଋଣ କାରବାର (ଧାରକନ୍ତର)ର ଗୁମର ପଦାରେ ପଡ଼ିବା ସହିତ ଲୋକେ ଖୋଲାଖୋଲି ଭାବେ ଏହାକୁ ସ୍ବୀକାର କରିଛନ୍ତି।
ଆର୍ମେକ୍ସ ଇଣ୍ଟର୍ନ୍ୟାସନାଲ ପ୍ରାଇଭେଟ୍ ଲିମିଟେଡ୍ର ରାହୁଲ ଓରଫ୍ ସମ୍ରାଟ ରାୟ ଏବଂ ପଦ୍ମାବତୀ ତାଣ୍ଡିକୁ ବିଶ୍ବାସ କରି ଫସି ଯାଇଛନ୍ତି ସମ୍ବଲପୁର, ସୁବର୍ଣ୍ଣପୁର, ବରଗଡ଼ ଓ ବୌଦ୍ଧର ହଜାର ହଜାର ଗରିବ ଲୋକ। କିଏ ଅଳଙ୍କାର ତ ଆଉ କିଏ ମୂଲ୍ୟବାନ ସାମଗ୍ରୀ ବିକ୍ରି କରି ସଫେଇ କର୍ମଚାରୀ ଚାକିରି ପାଇଁ ଟଙ୍କା ଦେଇଥିଲେ। ବୁର୍ଲାର ମହିଳାଙ୍କୁ ସମଲେଶ୍ବରୀ ମନ୍ଦିର, ଦୁର୍ଗାପାଲିର ମହିଳାଙ୍କୁ ବରେଇପାଲି ଏବଂ ଅଇଁଠାପାଲିରେ ଝାଡ଼ୁ କରିବା ପାଇଁ କୁହାଯାଇଥିବା ସେମାନେ କହିଛନ୍ତି। ଅପରିଚିତ ଥିବା ରାହୁଲ ଏବଂ ପଦ୍ମାଙ୍କୁ ଏହି ମହିଳାମାନଙ୍କ ପାଖକୁ ପହଞ୍ଚାଇବାରେ ସେହି ପଡ଼ାର କିଛି ବ୍ୟକ୍ତି ସହଯୋଗ କରିଛନ୍ତି। ବଡ଼ବଜାରର କିଛି ମହିଳା କହିଛନ୍ତି, ତାଙ୍କ ଅଞ୍ଚଳର ଜଣେ ପରିଚିତ ବ୍ୟକ୍ତି ଏହି ଚାକିରି ବିଷୟରେ କହିବାରୁ ବିଶ୍ବାସ ସୃଷ୍ଟି ହୋଇଥିଲା। ଏକା ସଙ୍ଗରେ ୨୦ ଜଣ ଋଣ କରି ଟଙ୍କା ଦେଇଥିଲେ। ବିନା ଦସ୍ତାବିଜ୍ରେ ଆର୍ମେକ୍ସ ଇଣ୍ଟରନ୍ୟାସନାଲର ସୁପରଭାଇଜରମାନେ କିଭଳି ନିଜ ଅଞ୍ଚଳର ଗରିବ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଆଦାୟ କରିଥିଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆହୁରି ମଧ୍ୟ ୨ କୋଟି ଟଙ୍କା ଆଦାୟ ହୋଇଥିବାରୁ ରାହୁଲ ଏବଂ ପଦ୍ମା ଏତେ ଟଙ୍କା ରଖିବା ସମ୍ଭବ ନୁହେଁ। ଏଥିରେ ଆହୁରି କିଛି ବଡ଼ ଲୋକଙ୍କ ଭୂମିକା ଥିବା ସନ୍ଦେହ କରାଯାଉଛି। ଏହି ଘଟଣାରେ ଗିରଫ ହୋଇଥିବା ପଦ୍ମା ଏବଂ ରାହୁଲ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହିତ ରୢାକେଟ୍ରେ ସଂପୃକ୍ତ ଅନ୍ୟ ବ୍ୟକ୍ତିମାନଙ୍କୁ ଶୀଘ୍ର ଗିରଫ ପାଇଁ ମହିଳାମାନେ ଦାବି କରିଛନ୍ତି। ବହୁଜନ ମିଳିତ ମଞ୍ଚ ପକ୍ଷରୁ ମୂଳନିବାସୀ ସେନାର ହେମନ୍ତ ଗର୍ଡିଆ ଏବଂ ସିଟୁର ମହେଶ୍ବର ଷଣ୍ଢଙ୍କ ନେତୃତ୍ବରେ ଶହଶହ ସଂଖ୍ୟାରେ ମହିଳା ନିଜ ଟଙ୍କା ଫେରି ପାଇବା ପାଇଁ ମୁଦିପଡ଼ାରୁ ରାଲିରେ ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟ ପହଞ୍ଚିଥିଲେ। ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ସେମାନେ ଦାବିପତ୍ର ଦେଇଛନ୍ତି। ଆଜି ଆସିଥିବା ମହିଳାଙ୍କ ମଧ୍ୟରେ ଅଧିକାଂଶ କିଛି ଦିନ ପୂର୍ବରୁ ଆର୍ମେକ୍ସ ଇଣ୍ଟରନ୍ୟାସନାଲକୁ ଟଙ୍କା ଦେଇଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ କୌଣସି ବେତନ ପାଇନାହାନ୍ତି। କିଛି ଟଙ୍କା ଦେଇ ନିଯୁକ୍ତି ପାଇନଥିବାବେଳେ ଆଉ କେତେଜଣ ଦିନେ କିମ୍ବା ଦୁଇଦିନ କାମ କରିଛନ୍ତି। ଏହି ମାମଲାରେ ବୁର୍ଲା ପୁଲିସକୁ ସଫଳତା ମିଳିଛି। ଆହୁରି କିଛି ଟଙ୍କା ଉଦ୍ଧାର ହୋଇଥିବା ଜଣାପଡ଼ିଛି। ଆସନ୍ତାକାଲି ସୁଦ୍ଧା ଏହା ସ୍ପଷ୍ଟ ହୋଇପାରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/29/untitled-15-2025-10-29-07-37-21.jpg)