ସୋସିଆଲ ମିଡିଆରେ ସକ୍ରିୟ, ପୁଲିସ କିନ୍ତୁ ପାଉନି

ରାଜ୍ୟ ବାହାରେ ମଉଜ କରୁଛନ୍ତି ଠିକାଦାର ପରିବାର

ଜାଲ ଟିଡିଆର୍‌ ପଛରେ ବଡ଼ ର‍୍ୟାକେଟ୍‌

ଜୟପୁର : କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲାରେ ଜାଲ୍‌ ଟିଡିଆର ଦେଇ ଠିକା କାମ ହାତେଇଥିବା ଠିକାଦାର ବାପା-ପୁଅ ଗୌରାଙ୍ଗ ଓ ଗୋପାଳକୃଷ୍ଣ ନାୟକଙ୍କ କଳା କାରନାମାର ନୂଆ ତଥ୍ୟ ମିଳିବାରେ ଲାଗିଛି। ବାପା-ପୁଅଙ୍କ ଜାଲିଆତି ପରେ ଗୌରାଙ୍ଗଙ୍କ ପତ୍ନୀ ତଥା ଗୋପାଳକୃଷ୍ଣଙ୍କ ମା’ ଗୀତାଞ୍ଜଳି ନାୟକଙ୍କର ମଧ୍ୟ ଏଭଳି ଜାଲିଆତିରେ ସଂପୃକ୍ତି ସାମ୍ନାକୁ ଆସିଥିଲା। ଥାନାରେ ପୂରା ପରିବାର ବିରୋଧରେ ୩ଟି ପୃଥକ ପୃଥକ ମାମଲା ରୁଜୁ ହୋଇଛି। ପୁଲିସ ରେକର୍ଡରେ ଏହି ପରିବାର ବର୍ତମାନ ଫେରାର ଅଛନ୍ତି ବୋଲି ଦର୍ଶାଯାଉଛି। କିନ୍ତୁ ପରିବାର ସଦସ୍ୟମାନେ ସୋସିଆଲ୍‌ ମିଡିଆରେ ବେଶ୍‌ ସକ୍ରିୟ। ରାଜ୍ୟ ବାହାରେ ଛୁଟି ବିତାଇବାରେ ବ୍ୟସ୍ତ ଏହି ପରିବାରର ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଉଠାଯାଉଥିବା ଫଟୋ ସବୁ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହାସତ୍ୱେ ପୁଲିସ ସେମାନଙ୍କୁ ଧରୁନଥିବାରୁ ପୁଲିସର କାର୍ଯ୍ୟାନୁଷ୍ଠାନ ଓ ପାରିବା ପଣିଆ ଉପରେ ସନ୍ଦେହ ପ୍ରକାଶ ପାଇଛି। ଧର୍ମକୁ ଆଖି ଠାର ଭଳି ପୁଲିସ କେବଳ ପୂଜାରୀପୁଟ ସ୍ଥିତ ପୈତୃକ ଘର ଓ ଜୟନଗର ସ୍ଥିତ ଗୋଟିଏ ଘରେ ବାରମ୍ବାର ଛାପା ମାରି ଖାଲି ହାତରେ ଫେରୁଥିବା ଆଲୋଚନା ହେଲାଣି।

ସେହିପରି ଜାଲ୍‌ ଟିଡିଆର ପ୍ରସ୍ତୁତ କରିବା ପଛରେ ବଡ଼ ର‍୍ୟାକେଟ କାମ କରୁଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ଏହି ର‍୍ୟାକେଟରେ ୪ରୁ ଅଧିକ ନିର୍ଦ୍ଦିିଷ୍ଟ ବ୍ୟାଙ୍କର କର୍ମଚାରୀ, ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଛାତ୍ର ଓ ଅସାଧୁ ଠିକାଦାର ରହିଛନ୍ତି। କୌଣସି କାର୍ଯ୍ୟର ଟେଣ୍ଡର ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଲେ ଏହି ର‍୍ୟାକେଟ୍‌ ସକ୍ରିୟ ହୁଏ। ଠିକା କାମ ନେଇଥିବା ଠିକାଦାରଙ୍କ ସହ ବ୍ୟାଙ୍କ କର୍ମଚାରୀ ହାତ ମିଶାଇ ଆରମ୍ଭ କରନ୍ତି ଏହି ଜାଲ୍‌ କାରବାର। ଜଣେ ଠିକାଦାର କହିଛନ୍ତି ଯେ ପୂର୍ବରୁ କୌଣସି ଏକ କାମରେ ବ୍ୟାଙ୍କ କର୍ତ୍ତୃପକ୍ଷ ଦେଇଥିବା ଲିଖିତ ଦସ୍ତଖତକୁ କଲର ଜେରକ୍ସରେ କନସଲଟେନ୍ସି ସଂସ୍ଥା ମାଧ୍ୟମରେ ୫ଲକ୍ଷ ଟଙ୍କାକୁ ୫୦ଲକ୍ଷ କରି ଦିଆଯାଉଛି। ଏହାପରେ ଡିଲ୍‌ ଅନୁଯାୟୀ ଉପରୁ ତଳ ପର୍ଯ୍ୟନ୍ତ ସମସ୍ତଙ୍କୁ ଲାଭ ଅର୍ଥକୁ ଭାଗ ବଣ୍ଟାଯାଉଛି।

ଜୟପୁର ଟାଉନ ଥାନା ଦାୟିତ୍ୱରେ ଥିବା ସଦର ଥାନା ଅଧିକାରୀ ନିର୍ମଳ ମହାପାତ୍ର କହିଛନ୍ତି ଯେ ଗୌରାଙ୍ଗ ନାୟକ, ଗୋପାଳ ନାୟକଙ୍କ ନାମରେ ଜୟପୁର ଟାଉନ ଓ ସଦର ଥାନାରେ ପୃଥକ ପୃଥକ ଦୁଇଟି ମାମଲା ରୁଜୁ ହୋଇଛି। ସେହିପରି ଗୌରାଙ୍ଗଙ୍କ ପତ୍ନୀ ଗୀତାଞ୍ଜଳି ନାୟକଙ୍କ ନାମରେ ପୌରପାଳିକାର ଅଭିଯୋଗକ୍ରମେ ପୁଣି ଗୋଟିଏ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧିତ ଖବର