କଟକ : ରାଜ୍ୟରେ ନକଲି ଶିକ୍ଷକ ଓ ଜାଲ୍‌ ସ୍କୁଲ୍‌ ପ୍ରସଂଗରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ନେଇ ହାଇକୋର୍ଟ ରିପୋର୍ଟ ତଲବ କରିଛନ୍ତି। ଏହି ପ୍ରସଂଗକୁ ନେଇ ରୁଜୁ ଏତଲାଗୁଡ଼ିକର ତଦନ୍ତର ସାନି ସ୍ଥିତି ସଂକ୍ରାନ୍ତରେ ସତ୍ୟପାଠ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ଓ ଅନ୍ୟାନ୍ୟ ପ୍ରସଂଗକୁ ନେଇ ବିଚାରାଧୀନ ଅନ୍ୟ ଏକ ଜନସ୍ବାର୍ଥ ମାମଲା ସହିତ ଏହି ଆବେଦନର ଏପ୍ରିଲ୍‌ ୨୭ରେ ଏକତ୍ର ଶୁଣାଣି ହେବ ବୋଲି ହାଇକୋର୍ଟ କହିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର୍‌ ଜଷ୍ଟିସ୍‌ ଏସ୍‌. ମୁରଲୀଧର ଓ ଜଷ୍ଟିସ୍‌ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ସଂଜୟ କୁମାର ମହାରଣାଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

Advertisment

ମାମଲାର ବିବରଣୀରୁ ପ୍ରକାଶ ଯେ ରାଜ୍ୟରେ ଜାଲ୍‌ ସ୍କୁଲ୍‌, ଛାତ୍ରଛାତ୍ରୀ ଓ ଶିକ୍ଷକ ରହିଛନ୍ତି ବୋଲି ଅଭିଯୋଗ ହୋଇଥିଲା। ଆବେଦନକାରୀ ଦର୍ଶାଇଥିଲେ ଯେ ଆନ୍ଧ୍ରପ୍ରଦେଶ, ଜମ୍ମୁ କାଶ୍ମୀର, ରାଜସ୍ଥାନ ଓ ଅନ୍ୟ କେତେକ ରାଜ୍ୟରୁ ଜାଲ୍‌ ଶିକ୍ଷାଗତ ପ୍ରମାଣପତ୍ର ଆଣି ଓଡ଼ିଶାରେ କେତେକ ଶିକ୍ଷକ ଚାକିରି କରୁଛନ୍ତି।  ଏଥି ସହିତ କାଗଜପତ୍ରରେ ସ୍କୁଲ୍‌ ରହିଛି ଓ ଛାତ୍ରଛାତ୍ରୀ ପଢୁଛନ୍ତି ବୋଲି ଦର୍ଶାଯାଉଛି। କିନ୍ତୁ ବାସ୍ତବରେ ବହୁ ସ୍ଥାନରେ ସ୍କୁଲ୍‌ ବା ଦର୍ଶାଯାଉଥିବା ସଂଖ୍ୟା ଅନୁସାରେ ଛାତ୍ରଛାତ୍ରୀ ନାହାନ୍ତି। ଚଞ୍ଚକତା କରି ସରକାରୀ ଅର୍ଥ ହଡ଼ପ ପାଇଁ ଏପରି ଜାଲିଆତି କରାଯାଉଛି। ଏହି ଘଟଣାର ଉପଯୁକ୍ତ ତଦନ୍ତ ହେବା ସହିତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିବେଦନ କରାଯାଇଥିଲା। ମାମଲାରେ ଆମିକସ୍‌କ୍ୟୁରି ଭାବେ ଆଇନଜୀବୀ ସୁଦର୍ଶନ ନନ୍ଦଙ୍କୁ ହାଇକୋର୍ଟ ପୂର୍ବରୁ ନିଯୁକ୍ତି ଦେଇଥିଲେ। କେତେକ ଜିଲ୍ଲାରେ ନକଲି ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ନେଇ  ସରକାର ୨୦୨୧, ସେପ୍ଟେମ୍ବର ୮ରେ ସତ୍ୟପାଠ ଦେଇଥିଲେ। ସାନି ସ୍ଥିତି ନେଇ ଅବଗତ କରିବାକୁ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କୁ କହିଛନ୍ତି।