ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ନକଲି ଶିକ୍ଷକଙ୍କ ତାଲିକା ଲମ୍ବିବାରେ ଲାଗିଛି। ଏହି ତାଲିକାରେ ବାହାର ରାଜ୍ୟର ସାର୍ଟିଫିକେଟ୍ ଦାଖଲ କରିଥିବା ଚାକିରିଆ ମଧ୍ୟ କିଛି କମ୍ ନୁହେଁ। ଗଞ୍ଜାମ ଜିଲ୍ଲାରେ ଏଭଳି ଶହେରୁ ଅଧିକ ଶିକ୍ଷକ ଚିହ୍ନଟ ହୋଇ ସାରିଲେଣି। ତନ୍ମଧ୍ୟରୁ ଅଧିକାଂଶ ଆନ୍ଧ୍ର ଡିଗ୍ରିଧାରୀ ରହିଛନ୍ତି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ ଗଞ୍ଜାମ ଜିଲ୍ଲାର ରଂଗେଇଲୁଣ୍ଡା ବ୍ଲକ୍ରେ ସର୍ବାଧିକ ୩୦ଜଣ ଶିକ୍ଷକଶିକ୍ଷୟିତ୍ରୀ ବାହାର ରାଜ୍ୟର ସାର୍ଟିଫିକେଟ୍ ଦେଇ ଚାକିରି କରୁଥିବା ଚିହ୍ନଟ ହୋଇଛନ୍ତି। ଏଭଳି ଶିକ୍ଷକଙ୍କ ସାର୍ଟିଫିକେଟ୍ ଯାଞ୍ଚ୍, ଆଇନଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଶିଥିଳ ପଡ଼ି ଯାଇଥିବା ଅଭିଯୋଗ ହେଉଛି। ଗଞ୍ଜାମ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ସାର୍ଟିଫିକେଟ୍ର ନକଲ ଦାଖଲ ପାଇଁ ସମ୍ପୃକ୍ତ ବିଶ୍ବବିଦ୍ୟାଳୟକୁ ଚିଠି ଲେଖାଯାଇଛି। ହେଲେ ସମ୍ପୃକ୍ତ ବିଶ୍ବବିଦ୍ୟାଳୟ ଏଥିରେ ବିଳମ୍ବ କରୁଥିବାରୁ ତଦନ୍ତ ପ୍ରକ୍ରିୟା ତ୍ବରାନ୍ବିତ ହୋଇପାରୁ ନଥିବା ଜଣେ ଅଧିକାରୀ କହିଛନ୍ତି।
ଗଞ୍ଜାମ ଜିଲ୍ଲାରେ ୨୦୨୦ରୁ ଜାଲ୍ ଶିକ୍ଷକ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି। ବର୍ତ୍ତମାନ ଜାଲ୍ ଶିକ୍ଷକଙ୍କ ତାଲିକା ୪୪୧ରେ ପହଞ୍ଚିଛି। ତନ୍ମଧ୍ୟରୁ ୯୬ଜଣଙ୍କ ନାମରେ ଏତଲା ଦିଆଯାଇଥିବା ବେଳେ ୪୭ଜଣ ଚାକିରିରୁ ବିଦା ହୋଇ ସାରିଲେଣି। ସେପଟେ ସୂଚନା ଅଧିକାର କର୍ମୀ ସମରଜିତ ମହାନ୍ତି ଆର୍ଟିଆଇ ବଳରେ ବିଭିନ୍ନ ବ୍ଲକ୍ର ଶିକ୍ଷା ଅଧିକାରୀଙ୍କୁ ବାହାର ରାଜ୍ୟର ସାର୍ଟିଫିକେଟ୍ ଦାଖଲ କରି ଚାକିରି କରୁଥିବା ଶିକ୍ଷକଶିକ୍ଷୟିତ୍ରୀଙ୍କ ତାଲିକା ମାଗିଥିଲେ। ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୦ଟି ବ୍ଲକ୍ରୁ ମିଳିଥିବା ତଥ୍ୟ ଅନୁସାରେ ଏହି ସଂଖ୍ୟା ଶହେ ଟପି ସାରିଲାଣି। ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକ୍ ମଧ୍ୟରୁ ମାତ୍ର ୭ଟି ବ୍ଲକ୍ରୁ ଶହେ ଚିହ୍ନଟ ହୋଇ ସାରିଲେଣି।
ତେବେ ଅନ୍ୟ ବ୍ଲକ୍ରେ ଖୋଳତାଡ଼ା କଲେ ଏହି ସଂଖ୍ୟା ଆହୁରି ବଢ଼ିବ ବୋଲି କୁହାଯାଉଛି। ଆର୍ଟିଆଇ ବଳରେ ମିଳିଥିବା ସୂଚନା ଅନୁସାରେ ହିଂଜିଳିକାଟୁ ବ୍ଲକ୍ରେ ୧୪ଜଣ ଶିକ୍ଷକଶିକ୍ଷୟିତ୍ରୀ ବାହାର ରାଜ୍ୟର ବିଇଡି ସାର୍ଟିଫିକେଟ୍ ଦାଖଲ କରି ଚାକିରି କରୁଥିବା ବେଳେ ବେଲଗୁଣ୍ଠା ବ୍ଲକ୍ରେ ୧୯ଜଣ, ଖଲ୍ଲିକୋଟ ବ୍ଲକ୍ରେ ୭ଜଣ, କୁକୁଡ଼ାଖଣ୍ଡି ବ୍ଲକ୍ରେ ୧୯ଜଣ ଓ ସୋରଡ଼ା ବ୍ଲକ୍ରେ ୨୧ଜଣ ଶିକ୍ଷକଶିକ୍ଷୟିତ୍ରୀ ବାହାର ରାଜ୍ୟର ବିଇଡି ପ୍ରମାଣପତ୍ର ଦାଖଲ କରି ଚାକିରି କରୁଛନ୍ତି। ରଂଗେଇଲୁଣ୍ଡା ବ୍ଲକ୍ରେ ୩୦ଜଣ ଶିକ୍ଷକଶିକ୍ଷୟିତ୍ରୀ ବାହାର ରାଜ୍ୟର ବିଇଡି ପ୍ରମାଣପତ୍ର ଦେଇ ଚାକିରି କରୁଥିବା ନେଇ ଆର୍ଟିଆଇ ତଥ୍ୟରୁ ଜଣାପଡ଼ିଛି।
ଆର୍ଟିଆଇ ବଳରେ ମିଳିଥିବା ତଥ୍ୟ ଅନୁସାରେ ଅଧିକାଂଶ ଶିକ୍ଷକ ଆନ୍ଧ୍ରର ବିଭିନ୍ନ ବିଶ୍ବବିଦ୍ୟାଳୟର ଶିକ୍ଷା ପ୍ରମାଣପତ୍ର ଦେଇ ଚାକିରି କରୁଛନ୍ତି। ଆନ୍ଧ୍ର ବିଶ୍ବବିଦ୍ୟାଳୟ ସମେତ ଶ୍ରୀକାକୁଲମ୍ ଡ. ବି.ଆର୍ ଆମ୍ବେଦକର ବିଶ୍ବବିଦ୍ୟାଳୟ, ହରିୟାଣା କୁରୁକ୍ଷେତ୍ର ବିଶ୍ବବିଦ୍ୟାଳୟ, ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ବବିଦ୍ୟାଳୟ, ଗୁଣ୍ଟୁର୍ ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ବବିଦ୍ୟାଳୟ, କର୍ଣ୍ଣାଟକର ଗୁଲବର୍ଗ ବିଶ୍ବବିଦ୍ୟାଳୟ, ବେଙ୍ଗାଲୁରୁ ବିଶ୍ବବିଦ୍ୟାଳୟ, ମଦୁରାଇ, ମୁମ୍ବାଇ, ଭୋପାଳ, ତିରୁପତି ଭଳି ବିଭିନ୍ନ ବିଶ୍ବବିଦ୍ୟାଳୟର ବିଇଡି ପ୍ରମାଣପତ୍ର ଦେଇ ମଧ୍ୟ ବହୁ ଶିକ୍ଷକଶିକ୍ଷୟିତ୍ରୀ ଚାକିରି କରୁଛନ୍ତି। ଏମାନଙ୍କ ସାର୍ଟିଫିକେଟ୍ ଯାଞ୍ଚ ପରେ ବହୁ ଜାଲ୍ ଶିକ୍ଷକଶିକ୍ଷୟିତ୍ରୀ ବାହାରିବା ସୁନିଶ୍ଚିତ। ରାଜ୍ୟରେ ଜାଲ୍ ସାର୍ଟିଫିକେଟ୍ ଖୋଳତାଡ଼ ଜୋରଦାର କରାଯାଇଛି। ଏଣୁ ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହୋଇଥିବା ଏହି ଶିକ୍ଷକଶିକ୍ଷୟିତ୍ରୀଙ୍କ ସାର୍ଟିଫିକେଟ୍ ଯାଞ୍ଚ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି।