କଟକ : ରାଜ୍ୟରେ ନକଲି ଶିକ୍ଷକ, ଜାଲ୍ ସ୍କୁଲ ଓ ସାର୍ଟିଫିକେଟ ପ୍ରସଙ୍ଗରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଓ ଏ ସଂପର୍କିତ ଘଟଣା ଗୁଡ଼ିକର ତଦନ୍ତର ସ୍ଥିତି ଏବେ କ’ଣ ରହିଛି, ସେ ନେଇ ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସରକାର ହାଇକୋର୍ଟରେ ଅଧିକ ସମୟ ଲୋଡ଼ିଛନ୍ତି। ହାଇକୋର୍ଟ ଏଥିପାଇଁ ଅନୁମତି ଦେବାସହିତ ଜୁଲାଇ ୧୭ ସୁଦ୍ଧା ସତ୍ୟପାଠ ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜୁଲାଇ ୨୪କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ସଂଜୟ କୁମାର ମହାରଣାଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ନକଲି ଶିକ୍ଷକ ଓ ଜାଲ ସାର୍ଟିଫିକେଟ ପ୍ରସଙ୍ଗରେ ତଦନ୍ତର ସାନି ସ୍ଥିତି ନେଇ ଅବଗତ କରିବାକୁ ଏପ୍ରିଲ ୬ରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟରେ ଜାଲ୍ ସ୍କୁଲ, ଛାତ୍ରଛାତ୍ରୀ ଓ ଶିକ୍ଷକ ରହିଛନ୍ତି ବୋଲି ଅଭିଯୋଗ ହୋଇଥିଲା। ଆବେଦନକାରୀ ଦର୍ଶାଇଥିଲେ ଯେ ଆନ୍ଧ୍ରପ୍ରଦେଶ, ଜମ୍ମୁ କାଶ୍ମୀର, ରାଜସ୍ଥାନ ଓ ଅନ୍ୟ କେତେକ ରାଜ୍ୟରୁ ଜାଲ ଶିକ୍ଷାଗତ ପ୍ରମାଣପତ୍ର ଆଣି ଓଡ଼ିଶାରେ କେତେକ ଶିକ୍ଷକ ଚାକିରି କରୁଛନ୍ତି। ଏଭଳି ଶିକ୍ଷକଙ୍କ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ନଥିବାରୁ ଏମାନେ ପିଲାମାନଙ୍କୁ କ’ଣ ପାଠ ପଢାଇବେ ବୋଲି ଆବେଦନକାରୀ ପ୍ରଶ୍ନ ଉଠାଇଛନ୍ତି। ଏଥିସହିତ ଜାଲ୍ ସ୍କୁଲ୍ ଓ ଛାତ୍ରଛାତ୍ରୀ ମଧ୍ୟ ରହିଛନ୍ତି। କାଗଜପତ୍ରରେ ସ୍କୁଲ୍ ରହିଛି ଓ ଛାତ୍ରଛାତ୍ରୀ ପଢୁଛନ୍ତି ବୋଲି ଦର୍ଶାଯାଉଛି। କିନ୍ତୁ, ବାସ୍ତବରେ ବହୁ ସ୍ଥାନରେ ସ୍କୁଲ ବା ଦର୍ଶାଯାଉଥିବା ସଂଖ୍ୟା ଅନୁସାରେ ଛାତ୍ରଛାତ୍ରୀ ନାହାନ୍ତି। ଚଞ୍ଚକତା କରି ସରକାରୀ ଅର୍ଥ ହଡପ ପାଇଁ ଏପରି ଜାଲିଆତି କରାଯାଉଛି।
ଶିକ୍ଷା ପାଇଁ ରାଜ୍ୟ ସରକାର ବ୍ୟାପକ ଅର୍ଥ ବ୍ୟବସ୍ଥା କରୁଛନ୍ତି। ସ୍କୁଲ ଓ ଛାତ୍ରଛାତ୍ରୀଙ୍କ ପାଇଁ ଆସୁଥିବା ଅର୍ଥ ଏଭଳି ଜାଲିଆତି କରି ଉଠାଯାଉଛି। ଏହି ଘଟଣାର ଉପଯୁକ୍ତ ତଦନ୍ତ ହେବା ସହିତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିବେଦନ କରାଯାଇଥିଲା। ମାମଲାରେ ଆମିକସକ୍ୟୁରୀ ଭାବେ ଆଇନଜୀବୀ ସୁଦର୍ଶନ ନନ୍ଦଙ୍କୁ ହାଇକୋର୍ଟ ପୂର୍ବରୁ ନିଯୁକ୍ତି ଦେଇଥିଲେ। କେତେକ ଜିଲ୍ଲାରେ ନକଲି ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ନେଇ ସରକାର ୨୦୨୧, ସେପ୍ଟେମ୍ବର ୮ରେ ସତ୍ୟପାଠ ଦେଇଥିଲେ। ସାନି ସ୍ଥିତି ନେଇ ଅବଗତ କରିବାକୁ ୨୦୨୩, ଏପ୍ରିଲ ୬ରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ କହିଥିଲେ।