ଧରାପଡ଼ିଲେ ଆଉ ଜଣେ ଜାଲ୍ ଶିକ୍ଷକ

ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ରାକେଟ୍‌ର ଚେର! ରାଜ୍ୟ ବାହାରେ, ବିଦେଶରେ ବି ଚାକିରି

ଆସିକା : କିଛିଦିନ ତଳେ ଗଞ୍ଜାମ ଜିଲ୍ଲାର ଆସିକା ପୁଲିସ ଏକ ବଡ଼ ଧରଣର ନକଲି ପ୍ରମାଣପତ୍ର ପ୍ରସ୍ତୁତି ଓ ଯୋଗାଣ ରାକେଟ୍‌ ଠାବ କରିଥିଲା। ରାକେଟ୍‌ର ମାଷ୍ଟର୍‌ମାଇଣ୍ଡ୍, ମଧ୍ୟସ୍ଥିଙ୍କ ସମେତ ଦୁଇଜଣ ନକଲି ଶିକ୍ଷକଙ୍କୁ ଗିରଫ ମଧ୍ୟ କରିଥିଲା। ଏହାସହ ଗତ ଶୁକ୍ରବାର ଦିନ ମଧ୍ୟ ଦୁଇ ଜଣ ନକଲି ଶିକ୍ଷକ ଗିରଫ ହୋଇଥିଲେ। ଆଜି ଆଉ ଜଣେ ନକଲି ଶିକ୍ଷକଙ୍କୁ ବାନ୍ଧିଛି ପୁଲିସ। ଗିରଫ ଜଣକ ହେଉଛନ୍ତି, ଆସିକା କଲେଜ ଛକ ବାସିନ୍ଦା ତଥା ସାହାପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟରତ ଶିବରାମ ପଣ୍ଡା (୪୬)। ସେ ନକଲି ପ୍ରମାଣପତ୍ର ଦାଖଲ କରି ଚାକିରି କରୁଥିବା ନେଇ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ଥାନାରେ ଏତଲା ଦେଇଥିଲେ।

ଅନ୍ୟପକ୍ଷରେ, ଏହି କରସାଦିରେ ଏବେ ଯୋଡ଼ି ହୋଇଛି ବ୍ରହ୍ମପୁର ବିଶ୍ବବିଦ୍ୟାଳୟ। ଏହି ପ୍ରମୁଖ ଶିକ୍ଷାନୁଷ୍ଠାନରୁ ବହୁ ବ୍ୟକ୍ତି ବିଭିନ୍ନ ପାଠ୍ୟକ୍ରମର ନକଲି ପ୍ରମାଣପତ୍ର ହା‌ତେଇଛନ୍ତି। ଏଠାରେ ପୂର୍ବରୁ କାର୍ଯ୍ୟରତ କିଛି କର୍ମଚାରୀ ଓ ଅଧିକାରୀମାନେ ମଧ୍ୟସ୍ଥିଙ୍କ ସହାୟତାରେ ପ୍ରମାଣପତ୍ର ପ୍ରସ୍ତୁତ କରି ଲକ୍ଷାଧିକ ଟଙ୍କା ଆଦାୟ କରିଛନ୍ତି। ଖାଲି ଏତିକି ନୁହେଁ, ଯୁକ୍ତ ଦୁଇ, ଯୁକ୍ତ ତିନି ସହ ବିଭିନ୍ନ ବିଶ୍ବବିଦ୍ୟାଳୟରୁ ବିଇଡି ପ୍ରମାଣପତ୍ର ହାତେଇଥିବା ଶିକ୍ଷକଙ୍କ ସଂଖ୍ୟା ବି କମ୍ ନୁ‌ହେଁ। ସେମାନଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଗଲେ ବହୁ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିପାରିବ। ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହାର ସିବିଆଇ ଅଥବା କ୍ରାଇମବ୍ରାଞ୍ଚ୍ ତଦନ୍ତ ଆବଶ୍ୟକ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର