ହାଇକୋର୍ଟ ଗଲା ନକଲି ଶିକ୍ଷକ ପ୍ରସଙ୍ଗ: ଶିକ୍ଷା ପ୍ରମାଣପତ୍ର ଯାଞ୍ଚ୍‌ ପାଇଁ ପିଟିସନ ରୁଜୁ

ବ୍ରହ୍ମପୁର : ଜାଲ୍‌ ଶିକ୍ଷା ପ୍ରମାଣପତ୍ର ଦେଇ ଗଞ୍ଜାମ ଜିଲ୍ଲାରେ ବହୁ ଶିକ୍ଷକ ଚାକିରି ପାଇଥିବା ଅଭିଯୋଗ ହୋଇଛି। ଜିଲ୍ଲା ଶିକ୍ଷା ବିଭାଗ ଏହାର ତଦନ୍ତ ଜାରି ରଖିଛି। ବାହାର ରାଜ୍ୟର ବିଇଡି ପ୍ରମାଣପତ୍ର ଦାଖଲ କରି ବହୁ ଶିକ୍ଷକଶିକ୍ଷୟିତ୍ରୀ ଚାକିରି କରୁଛନ୍ତି। ସେମାନଙ୍କର ଶିକ୍ଷା ପ୍ରମାଣପତ୍ର ମଧ୍ୟ ଯାଞ୍ଚ କରିବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଥିଲା। ଏ ନେଇ ସୂଚନା ଅଧିକାର କର୍ମୀ ସମରଜିତ ମହାନ୍ତି କୁକୁଡ଼ାଖଣ୍ଡି ଗୋଷ୍ଠୀ ଶିକ୍ଷା ଅଧିକାରୀ(ବିଇଓ)ଙ୍କୁ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଥିଲେ। ଏହି ବ୍ଲକ୍‌ରେ ୧୯ଜଣ ଶିକ୍ଷକଶିକ୍ଷୟିତ୍ରୀ ବାହାର ରାଜ୍ୟର ବିଇଡି ପ୍ରମାଣପତ୍ର ଦାଖଲ କରି ଚାକିରି କରୁଥିବା ବିଇଓଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି। ଏହି ଶିକ୍ଷା ପ୍ରମାଣପତ୍ର ଯାଞ୍ଚ କରିବା ପାଇଁ ଶ୍ରୀ ମହାନ୍ତି ହାଇକୋର୍ଟରେ ଏକ ପିଟିସନ୍‌ ରୁଜୁ କରିଛନ୍ତି।

ଗଞ୍ଜାମ ଜିଲ୍ଲାରେ ଜାଲ୍‌ ଶିକ୍ଷା ପ୍ରମାଣପତ୍ର ଦେଇ ଶହଶହ ଶିକ୍ଷକ ଚାକିରି ପାଇଥିବା ଅଭିଯୋଗ ହୋଇଥିଲା। ୨୦୧୯ ଅକ୍ଟୋବର ମାସରେ ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ତରଫରୁ ତଦନ୍ତ ନିର୍ଦ୍ଦେଶ ହୋଇଥିଲା। ହେଲେ, ଖାମଖିଆଲି ଭାବେ ଅଭିଯୋଗର ତଦନ୍ତ କରି ଦାୟିତ୍ବ ସାରିଦେଇଥିଲା ଶିକ୍ଷା ବିଭାଗ। ୨୦୨୦ରେ ଅଲ୍‌ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍‌ ଏବଂ ଅଲ୍‌ ଇଣ୍ଡିଆ ୟୁଥ୍‌ ଲିଗ୍‌ ପକ୍ଷରୁ ୪ଟି ପର୍ଯ୍ୟାୟରେ ବିଭିନ୍ନ ବ୍ଲକ୍‌ରେ ୧୬୧ଜଣ ଶିକ୍ଷକଶିକ୍ଷୟିତ୍ରୀଙ୍କ ବିରୋଧରେ ଜିଲ୍ଲା ଶିକ୍ଷା ବିଭାଗ ନିକଟରେ ଅଭିଯୋଗ କରାଯାଇଥିଲା। ଧୀରେ ଧୀରେ ଜାଲ୍‌ ଶିକ୍ଷକଙ୍କ ତାଲିକା ବଢ଼ିଥିଲା। ଏହି ଶିକ୍ଷକଶିକ୍ଷୟିତ୍ରୀଙ୍କ ଶିକ୍ଷା ପ୍ରମାଣପତ୍ର ଯାଞ୍ଚ କରିବାକୁ ଶ୍ରୀ ମହାନ୍ତି ହାଇକୋର୍ଟରେ ପିଟିସନ୍‌ ରୁଜୁ କରିଛନ୍ତି। ତାଙ୍କ ତରଫରୁ ଆଇନଜୀବୀ ସନ୍ତୋଷ କୁମାର ମହାନ୍ତି ମାମଲା ପରିଚାଳନା କରିଛନ୍ତି।

ସମ୍ବନ୍ଧିତ ଖବର