କୋରେଇ: କୋରେଇ ବ୍ଲକରେ ନକଲି ଶିକ୍ଷକ ମାମଲାରେ ପ୍ରମାଣପତ୍ର ଯାଞ୍ଚ କରିବାକୁ ଆର୍‌ଡିସି କାର୍ଯ୍ୟାଳୟରୁ ନିର୍ଦେଶ ଆସିଛି। ୪ ମାସ ତଳେ ଜାଲ୍‌ ଜାତି ପ୍ରମାଣପତ୍ର ଅଭିଯୋଗରେ କୋରେଇ ବ୍ଲକରୁ ୨ ଜଣ ଶିକ୍ଷକ ଧରାପଡ଼ିବା ପରେ ୧୨ଜଣ ସନ୍ଦିଗ୍ଧ ଶିକ୍ଷକଶିକ୍ଷୟିତ୍ରୀଙ୍କ ତାଲିକା ପ୍ରସ୍ତୁତ କରି ଆର୍‌ଡିସିଙ୍କ କାର୍ଯ୍ୟାଳୟକୁ ପଠାଯାଇଥିଲା। ସେମାନଙ୍କ ମଧ୍ୟରୁ ୯ ଜଣଙ୍କ ଜାତି ପ୍ରମାଣପତ୍ର ଯାଞ୍ଚ କରିବାକୁ କାର୍ଯ୍ୟାଳୟର ଯୁଗ୍ମ ନିର୍ଦେଶକ ଡ. ଶୁଭଶ୍ରୀ ତ୍ରିପାଠୀ ଚିଠି ସଂଖ୍ୟା ୭୬୩୧/୨୨ରେ କୋରେଇ ବିଇଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଶିକ୍ଷକମାନେ ହେଲେ କୋରେଇ ବ୍ଲକ୍ ଅସନଝର ପ୍ରାଥମିକ ବିଦ୍ୟାଳୟର ଅନ୍ନପୂର୍ଣ୍ଣା ଦେହୁରୀ ଓ ସୁଶାନ୍ତ ନାୟକ, ରାମକୃଷ୍ଣପୁର ପ୍ରାଥମିକ ବିଦ୍ୟାଳୟର ଭଗବତୀ ଦେହୁରୀ, ଏମ୍ଏଲ୍ଏ ଉଚ୍ଚ ବିଦ୍ୟାପୀଠର ମୁରଲୀଧର ଦେହୁରୀ, ଧନତ୍ରୀ ପ୍ରାଥମିକ ବିଦ୍ୟାଳୟର ମଧୁସୂଦନ ନାୟକ, ଏସ୍‌.କେ ଗଡ଼ିଆ ପ୍ରାଥମିକ ବିଦ୍ୟାଳୟର ବିପିନ ନାୟକ, କଡ଼ମା ନୋଡାଲ ସ୍କୁଲର ରାମଚନ୍ଦ୍ର ପ୍ରଧାନ, ସୋଲବନ୍ଦି ପ୍ରାଥମିକ ବିଦ୍ୟାଳୟର ପ୍ରକାଶ ଚନ୍ଦ୍ର ଜେନା ଓ ଯୁଗଳ ନୂତନ ଉଚ୍ଚପ୍ରାଥମିକ ବିଦ୍ୟାଳୟର ସରୋଜିନୀ ସ୍ବାଇଁ।

Advertisment

କୋରେଇ ବ୍ଲକ ଅସନଝର ପଞ୍ଚାୟତରୁ ଆହୁରି ୧୦ ରୁ ୧୨ଜଣ ଶିକ୍ଷକଶିକ୍ଷୟତ୍ରୀଙ୍କ ତାଲିକା ମଧ୍ୟ ଆର୍‌ଡିସିଙ୍କ ନିକଟକୁ ପଠାଯାଇଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରେ ଅନ୍ୟ ଏକ ବ୍ଲକରେ କାର୍ଯ୍ୟରତ ଜଣେ ଶିକ୍ଷା ମଣ୍ତଳ ଅଧିକାରୀ (ବିଇଓ) ମଧ୍ୟ ଥିବା ଜଣାପଡ଼ିଛି। କୋରେଇ ବ୍ଲକରେ ମୋଟ ୬୪୯ ଜଣ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକଶିକ୍ଷୟିତ୍ରୀ ରହିଛନ୍ତି। କେତେଜଣ ଶିକ୍ଷକଙ୍କ ତାଲିକା ବ୍ୟାସନଗର ତହସିଲଦାରଙ୍କ ନିକଟକୁ ପଠାଯାଇଛି।

ଯାଜପୁର ଜିଲ୍ଲାରେ ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର (ସିଟି, ବିଇଡି, ଯୁକ୍ତଦୁଇ) ଦାଖଲ କରି ବହୁ ଶିକ୍ଷକ ଚାକିରି କରୁଥିବା ଅଭିଯୋଗ ହୋଇଥିଲା। ୨୦୧୯  ଅକ୍ଟୋବରରେ ଯୋଗ୍ୟତା ପ୍ରମାଣପତ୍ର ଯାଞ୍ଚ କରିବା ପାଇଁ ରାଜ୍ୟ ସରକାର ନିର୍ଦେଶ ଦେଇଥିଲେ। ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଉପରଠାଉରିଆ ଭାବେ ତଦନ୍ତ କରି ରିପୋର୍ଟ ଦିଆଯାଇଥିଲା। କିଛି ସୂଚନା ଅଧିକାର କର୍ମୀ ଏନେଇ ତଥ୍ୟ ମାଗିବାରୁ ଯାଞ୍ଚ ଅଭିଯାନ ତ୍ବରାନ୍ବିତ ହୋଇଛି। ଏନେଇ କୋରେଇ ବିଇଓ ସୁଦର୍ଶନ ମଲ୍ଲିକ କହିଛନ୍ତି, ଆର୍‌ଡିସିଙ୍କ ନିର୍ଦ୍ଦେଶ ଅନୁସାରେ ତଦନ୍ତ ଚାଲିଛି। କିଛି ଶିକ୍ଷକଙ୍କ ତାଲିକା ଆର୍‌ଡିସିଙ୍କୁ ପଠାଯାଇଛି। ଆର୍‌ଡିସି ଏହାର ରିପୋର୍ଟ ପ୍ରଦାନ କରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଗତ ମେ ୪ ତାରିଖରେ କୋରେଇ ବ୍ଲକ୍ ପଛିକୋଟ ଓ ତରପଦା ସ୍କୁଲର ଦୁଇ ଶିକ୍ଷକଶିକ୍ଷୟତ୍ରୀ  ଜାଲ୍‌ ଜାତି ପ୍ରମାଣପତ୍ର ଦେଇ ଚାକିରି କରିଥିବା ତଦନ୍ତରୁ ଜଣାପଡ଼ିଥିଲା। ଏନେଇ ଆର୍‌ଡିସିଙ୍କ କାର୍ଯ୍ୟାଳୟ ପକ୍ଷରୁ କୋରେଇ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଯିବା ପରେ ସେମାନଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ମାନସ ନାୟକ ପଛିକୋଟ ହାଇସ୍କୁଲରେ ଓ ତାଙ୍କ ଭଉଣୀ ଜ୍ୟୋତ୍ସ୍ନା ନାୟକ ତରପଦା ଉଚ୍ଚ ପ୍ରାଥମିକ ସ୍କୁଲର ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ।