ଭୁବନେଶ୍ୱର : ନକଲି ବିଏଡ୍ ଓ ସିଟି ସାର୍ଟିଫିକେଟ୍ ଦେଇ ନିଯୁକ୍ତି ପାଇଛନ୍ତି ପ୍ରାଥମିକ ଶିକ୍ଷକ। ପଦୋନ୍ନତି ବି ହାତେଇଛନ୍ତି। ଅଧିକାଂଶ ଜିଲ୍ଲାରେ ଶିକ୍ଷକମାନେ ନକଲି ସାର୍ଟିଫିକେଟ୍ ତଥା ଯୋଗ୍ୟତା ନଥାଇ ଶିକ୍ଷକ ନିଯୁକ୍ତି ପାଇଥିବା ଅଭିଯୋଗ ଆସୁଛି। ତଦନ୍ତ ମଧ୍ୟ କରାଯାଉଛି। କେତେଜଣଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ବି ହୋଇସାରିଛି। ଏବେ ସାରା ରାଜ୍ୟରେ ନକଲି ସାର୍ଟିଫିକେଟ୍ ଧରପଗଡ଼ ଚାଲିଥିବା ବେଳେ କିଛି ଜିଲ୍ଲାରେ ନକଲି ସାର୍ଟିଫିକେଟ୍ ଦେଇ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ପାଇଥିବା କଥା ପଦାକୁ ଆସିଛି। ତାହାକୁ ଆଧାର କରି ଅଭିଯୋଗ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଯୋଗ୍ୟତା ତଥା ସାର୍ଟିଫିକେଟ୍ ଯାଞ୍ଚ କରିବାକୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପକ୍ଷରୁ ସମସ୍ତ ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ଏଥିସହ ଯେଉଁମାନେ ଧରାପଡ଼ିଥିଲେ ସେମାନଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ହୋଇଛି ସେନେଇ ଦୁଇ ଦିନ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି।
ପ୍ରାଥମିକ ଶିକ୍ଷା ବିଭାଗ ନିର୍ଦ୍ଦେଶକ ଜ୍ୟୋତି ରଞ୍ଜନ ମିଶ୍ର ଗଣମାଧ୍ୟମକୁ କହିଛନ୍ତି ଯେ ରାଜ୍ୟରେ କେତେ ନକଲି ଶିକ୍ଷକ ରହିଛନ୍ତି ତାହାର ତଥ୍ୟ ବ୍ଲକ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କଠାରୁ ମଗାଯାଇଛି। ଜିଲ୍ଲା ଓ ବ୍ଲକରେ କେତେଜଣ ନକଲି ଶିକ୍ଷକ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାହାର ତଥ୍ୟ ସଂଗ୍ରହ କରାଯାଉଛି। ଦୁଇ ଦିନ ଭିତରେ ସେମାନେ ରିପୋର୍ଟ ଦେବା ପରେ ଆମେ ପଦକ୍ଷେପ ନେବୁ। ଜାତି, ଜନ୍ମ ଓ ଶିକ୍ଷାଗତ ସାର୍ଟିଫିକେଟ୍ ଜାଲିଆତି କରିଥିବା ୩୦୦ ଶିକ୍ଷକଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଧରାପଡ଼ିଥିବା ସମସ୍ତଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସହ ଏତଲା ହୋଇଛି। ନକଲି ଶିକ୍ଷକଙ୍କୁ ଧରିବାକୁ କିଭଳି ଉପାୟ ଅବଲମ୍ବନ କରିବେ ସେନେଇ ବିଇଓ ଓ ଡିଇଓମାନଙ୍କ ଲାଗି ମାର୍ଗଦର୍ଶିକା ଜାରି ହୋଇଛି। ଇତିମଧ୍ୟରେ କେତେଜଣ ନକଲି ଶିକ୍ଷକ ଚାକିରିରୁ ବହିଷ୍କାର ହୋଇଥିବା ବେଳେ କେତେଜଣ ଗିରଫ ବି ହୋଇଛନ୍ତି। ଆଉ କିଛି ଜଣଙ୍କ ବିରୋଧରେ ଅଭିଯୋଗ ମିଥ୍ୟା ପ୍ରମାଣିତ ହେବା ପରେ ପୁଣି ଚାକିରିରେ ଅବସ୍ଥାପିତ ହୋଇଛନ୍ତି। ଯେତେବେଳେ ବି ନକଲି ଶିକ୍ଷକ ଶିକ୍ଷୟିତ୍ରୀ ନଜରକୁ ଆସୁଛନ୍ତି ମାର୍ଗଦର୍ଶିକା ଅନୁଯାୟୀ ପଦକ୍ଷେପ ନେବାକୁ ଆମେ ଶିକ୍ଷା ଅଧିକାରୀମାନଙ୍କୁ କହିଛୁ।
୨୦୧୫ ନଭେମ୍ବରରୁ ୨୦୧୯ ମାର୍ଚ୍ଚ ମଧ୍ୟରେ ନକଲି ଶିକ୍ଷକଙ୍କ ସାର୍ଟିଫିକେଟ୍ ଯାଞ୍ଚ କଡ଼ାକଡ଼ି ହୋଇଥିଲା। ବିଭାଗ ପକ୍ଷରୁ ବିଇଓ ଓ ଡିଇଓଙ୍କୁ ୬ ଥର ଚିଠି ଲେଖାଯାଇଥିଲେ ମଧ୍ୟ କୌଣସି ବି ଶିକ୍ଷା ଅଧିକାରୀ ତାହାକୁ ଖାତିର କରି ନ ଥିଲେ। ମାତ୍ର ଯେତେବେଳେ ଦରମା ବନ୍ଦ ହେବା ନେଇ ଚେତାବନୀ ଦିଆଗଲା ସେତେବେଳେ ଅଧିକାରୀମାନେ ଯାଞ୍ଚ ପ୍ରକ୍ରିୟା ତ୍ବରାନ୍ବିତ କରିଥିଲେ। ଏହାପରେ ୫୦୦ରୁ ଅଧିକ ଶିକ୍ଷକ ଧରାପଡ଼ିବା ସହ କାର୍ଯ୍ୟାନୁଷ୍ଠାନ ହୋଇଛି। ଆହୁରି ଶତାଧିକ ନକଲି ଶିକ୍ଷକଙ୍କ ନାମରେ ଅଭିଯୋଗ ଗଡ଼ୁଛି। କରୋନା ଭିତରେ ପ୍ରାଥମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ୪ ଥର(୨୦୨୦ ଅକ୍ଟୋବର ୨୯, ଡିସେମ୍ବର ୧, ୨୦୨୧ ଜାନୁଆରି ୨୧, ଅକ୍ଟୋବର ୧୮) ଚିଠି ଲେଖାଯିବା ପରେ ବି ଶିକ୍ଷା ଅଧିକାରୀମାନେ ଯାଞ୍ଚ ପ୍ରକ୍ରିୟାକୁ ତ୍ବରାନ୍ବିତ କରି ନ ଥିଲେ କି ରିପୋର୍ଟ ଦାଖଲ କରି ନ ଥିଲେ। ଗତ ୩ ମଧ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ନକଲି ଶିକ୍ଷକଙ୍କ ପ୍ରାଦୁର୍ଭାବ ବଢ଼ିଥିବା ଅଭିଯୋଗ ହେଉଛି।