ଜାଲ ସାର୍ଟିଫିକେଟରେ ଚାକିରି କରି ଶିକ୍ଷକ ଗିରଫ

ନବରଂଗପୁର: ଜାଲ ସାର୍ଟିଫିକେଟରେ ଚାକିରି କରି ଜଣେ ଶିକ୍ଷାସହକାୟକୁ ନବରଂଗପୁର ଜିଲ୍ଲା କୋଡ଼ିଙ୍ଗା ପୁଲିସ ଗିରଫ କରିଥିବା ଜଣାପଡିଛି । ମିଳିଥିବା ସୂଚନା ମୁତାବକ ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ବନସର ଗ୍ରାମର ଶ୍ରୀକାନ୍ତ ଦଳେଇ (୪୫) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ କୋଡ଼ିଙ୍ଗା ଥାନା ଅନ୍ତର୍ଗତ ବାକଟିଗୁଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ ୧୦/୧୨/୨୦୧୩ ମସିହାରେ ଶିକ୍ଷା ସହାକାୟ ଭାବେ ନିଯୁକ୍ତି ପାଇ ୧୭/୧୨/୨୦୧୩ରୁ ଶିକ୍ଷକତା କାର୍ଯ୍ୟ ଆରମ୍ଭ କରିଥିଲେ ।

୨୦୧୮ ମସିହାରେ ରାଜ୍ୟ ଶିକ୍ଷା ବିଭାଗ ନିର୍ଦେଶ କ୍ରମେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସାର୍ଟିଫିକେଟ ଯାଞ୍ଚ କରାଯାଇଥିଲା । ଯାଞ୍ଚ ସମୟରେ ଶ୍ରୀକାନ୍ତ ଦଳେଇ ବିହାର ରାଜ୍ୟର ମିଥିଲାସ୍ଥିତ ଲଳିତ ନାରାୟଣ ବିଶ୍ବବିଦ୍ୟାଳୟରୁ ଜାଲ ସାର୍ଟିଫିକେଟ ଆଣି ଶିକ୍ଷା ସହକାୟରେ ଚାକିରି କରୁଥିଲେ। ତାଙ୍କ ସାର୍ଟିଫିକେଟ ଜାଲ ବୋଲି ଜଣାପଡିବା ପରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦେଶ କ୍ରମେ ତତ୍କାଳୀନ କୋଷାଗୁମୁଡା ବ୍ଲକ ଶିକ୍ଷା ଅଧିକାରୀ ଈଶ୍ୱର ଚନ୍ଦ୍ର ମାଝୀ କୋଡ଼ିଙ୍ଗା ଥାନାରେ ଗତ ୦୭/୦୩/୨୦୨୦ ମସିହାରେ ଏତଲା ଦେଇଥିଲେ ।

ବିଇଓଙ୍କ ଏତଲାକୁ ଗ୍ରହଣକରି କୋଡ଼ିଙ୍ଗା ଥାନାରେ କେସ ନମ୍ବର ୩୦ ପ୍ରକାରେ ଦଫା ୪୨୦,୪୬୮,୪୭୧ ଆଇପିସି ଧାରାରେ ମାମଲା ରୁଜୁ କରି ଆଜି ଅଭିଯୁକ୍ତ ଶିକ୍ଷକ ଶ୍ରୀକାନ୍ତ ଦଳେଇଙ୍କୁ ତାଙ୍କ ଗ୍ରାମରୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପୁଲିସ ସୂଚନା ଦେଇଛି । ସୂଚନାଯୋଗ୍ୟ ଗତବର୍ଷ ମାର୍ଚ୍ଚ ମାସରେ ଶ୍ରୀକାନ୍ତ ଦଳେଇଙ୍କୁ ଜିଲ୍ଳା ପ୍ରକଳ୍ପ କାର୍ଯ୍ୟଳୟ ପକ୍ଷରୁ ବହିଷ୍କାର କରାଯାଇଥିଲା। ଏଥି ସହିତ ସଂପୃକ୍ତ ନକଲି ଶିକ୍ଷକଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିବା ପାଇଁ କୋଷାଗୁମୁଡ଼ା ବିଡିଓଙ୍କୁ ନିର୍ଦ୍ଦେଶ ‌ହୋଇଥିଲା।

ସମ୍ବନ୍ଧିତ ଖବର