ମଙ୍ଗଳ ବିଭାଗ ସ୍କୁଲରେ ବି ନକଲି ଶିକ୍ଷକ! ବାହାର ରାଜ୍ୟର ସାର୍ଟିଫିକେଟ୍‌ରେ ଚାକିରି କରୁଛନ୍ତି

ତଦନ୍ତ ପାଇଁ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛି ବିଭାଗ

ରାୟଗଡ଼ା : ଜିଲ୍ଲା ଶିକ୍ଷା ବିଭାଗ ପରି ମଙ୍ଗଳ ବିଭାଗ ସ୍କୁଲରେ ମଧ୍ୟ ନିଯୁକ୍ତି ହୋଇଛନ୍ତି ନକଲି ଶିକ୍ଷକ। ବାହାର ରାଜ୍ୟରୁ ବିଇଡି ସାର୍ଟିଫିକେଟ୍ ଆଣି ବହୁ ଶିକ୍ଷକ/ଶିକ୍ଷୟିତ୍ରୀ ହାତେଇଛନ୍ତି ଚାକିରି। ଏବେ ୩ ଶିକ୍ଷକ ସନ୍ଦେହ ଘେରକୁ ଆସିବା ପରେ ବିଭାଗୀୟ କର୍ତ୍ତୃପକ୍ଷ ସାର୍ଟିଫିକେଟ୍ ଯାଞ୍ଚ ପାଇଁ ଖୋଳତାଡ଼ ଆରମ୍ଭ କରିଛନ୍ତି।

ମଙ୍ଗଳ ବିଭାଗ ଅଧୀନରେ ଜିଲ୍ଲାରେ ୧୩୧ ସ୍କୁଲ ରହିଛି। ପ୍ରାଥମିକ ପର୍ଯ୍ୟାୟରେ ୩ ଶିକ୍ଷକଙ୍କ ବିରୁଦ୍ଧରେ ମଙ୍ଗଳ ବିଭାଗ ନିକଟରେ ସୂଚନା ପହଞ୍ଚିଛି। ମୁନିଗୁଡ଼ା, କଲ୍ୟାଣସିଂହପୁର ଓ ଚନ୍ଦ୍ରପୁର ବ୍ଲକର ସ୍କୁଲରେ ଏହି ଶିକ୍ଷକମାନେ ନିୟୋଜିତ ଅଛନ୍ତି। ସେମାନଙ୍କ ମଧ୍ୟରୁ ୨ ଶିକ୍ଷକଙ୍କୁ ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ ଶତପଥୀ ଡାକି ପଚରାଉଚରା କରିବା ସହ ସାର୍ଟିଫିକେଟ୍ ସଂପର୍କରେ ଆଲୋଚନା କରିଛନ୍ତି। ମଙ୍ଗଳ ବିଭାଗ ଅଧିକାରୀ ଶ୍ରୀ ଶତପଥୀଙ୍କ ଖୋଳତାଡ଼ ପରେ ୨ ଶିକ୍ଷକ ବାହାର ରାଜ୍ୟର ବିଶ୍ବବିଦ୍ୟାଳୟରୁ ସାର୍ଟିଫିକେଟ୍ ଠିକ୍ ଥିବା ସଂପର୍କରେ ଏକ ରିପୋର୍ଟ ଆଣି ଦେଇଛନ୍ତି। ଅନ୍ୟ ଜଣେ ଶିକ୍ଷକଙ୍କ ସାର୍ଟିଫିକେଟ୍ ଠିକ୍ ଥିବା ବିଭାଗୀୟ ଅଧିକାରୀ କହିଛନ୍ତି। ଯଦି ଠୋସ୍ ଅଭିଯୋଗ ଆସେ କିମ୍ବା ସରକାର ଏ ଦିଗରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଅନ୍ତି ତାହା ହେଲେ ୨୦୧୯ରୁ ୨୦୨୧ ଭିତରେ ଚାକିରି ପାଇଥିବା ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ସାର୍ଟିଫିକେଟ୍ ଯାଞ୍ଚ ସହ ସଂପୃକ୍ତ ବିଶ୍ବବିଦ୍ୟାଳୟକୁ ତଥ୍ୟ ମଗାଯିବ ବୋଲି କହିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ। ୨୦୧୨ ପରେ ୭ ବର୍ଷ ବ୍ୟବଧାନରେ ୨୦୧୯ରେ ୫୪ ଜଣ ଚାକିରି ପାଇଥିବା ବେଳେ ୨୦୨୦ରେ ୪୬ରୁ ଊର୍ଦ୍ଧ୍ବ ଚାକିରି ପାଇଛନ୍ତି। ଚାକିରି ପାଇଥିବା ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ମଧ୍ୟରୁ ସର୍ବାଧିକ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ବିହାର, ଦିଲ୍ଲୀ, ମଧ୍ୟପ୍ରଦେଶ, ଆସାମ ବିଶ୍ବବିଦ୍ୟାଳୟରୁ ବିଇଡି ସାର୍ଟିଫିକେଟ୍ ହାତେଇଛନ୍ତି। ୨୦୧୨ ପୂର୍ବରୁ ହୋଇଥିବା ନିଯୁକ୍ତି ପ୍ରକ୍ରିୟାରେ ରାଜ୍ୟ ସରକାର ଓଡ଼ିଶା ସମେତ କେବଳ ୫ଟି ବିଶ୍ବବିଦ୍ୟାଳୟର ବିଇଡି ସାର୍ଟିଫିକେଟକୁ ଅନୁମତି ଦେଇଥିଲେ। ୨୦୧୪ରେ ନିୟମରେ ସଂଶୋଧନ କରି ୧୫୦ରୁ ଊର୍ଦ୍ଧ୍ବ ବିଶ୍ବବିଦ୍ୟାଳୟର ବିଇଡି ସାର୍ଟିଫିକେଟ୍‌କୁ ସରକାର ଅନୁମତି ପ୍ରଦାନ କରିଥିଲେ। ଫଳରେ ନିଯୁକ୍ତି ସମୟରେ ଶିକ୍ଷକ/ଶିକ୍ଷୟିତ୍ରୀ ଦେଖାଉଥିବା ବିଶ୍ବବିଦ୍ୟାଳୟ ସାର୍ଟିଫିକେଟର ସତ୍ୟତା ଯାଞ୍ଚ କରିବା ବିଭାଗ ପାଇଁ ମୁସ୍କିଲ ହୋଇପଡ଼ୁଛି। ଆଉ ଏହାର ଫାଇଦା ଉଠାଉଛନ୍ତି ମିଥ୍ୟା ସାର୍ଟିଫିକେଟଧାରୀ। ଏପରିକି ସାର୍ଟିଫିକେଟ୍ ଆଣିଥିବା କିଛି ବିଶ୍ବବିଦ୍ୟାଳୟ ଇତି ମଧ୍ୟରେ ବନ୍ଦ ହୋଇ ସାରିଥିବା ମଧ୍ୟ ସୂଚନା ରହିଛି। ଶିକ୍ଷା ବିଭାଗର ତଦନ୍ତ ପରି ମଙ୍ଗଳ ବିଭାଗ ମଧ୍ୟ ସାର୍ଟିଫିକେଟ୍ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କଲେ ନକଲି ଶିକ୍ଷକ ଠାବ ହୋଇପାରନ୍ତେ।

ସମ୍ବନ୍ଧିତ ଖବର