ନକଲି ପ୍ରମାଣପତ୍ରରେ ଶିକ୍ଷକତା: ଖୋର୍ଦ୍ଧା ଜିଲ୍ଲାରେ ୩୪ଜଣଙ୍କ ଦାଖଲ ହୋଇନାହିଁ ଯାଞ୍ଚ ରିପୋର୍ଟ

ଖୋର୍ଦ୍ଧା: ନକଲି ଜାତି ପ୍ରମାଣପତ୍ର, ବୟସ ପ୍ରମାଣପତ୍ର, ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଆଦି ଦେଇ ଶିକ୍ଷକତା କରୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ ଓଡିଏସ୍ (ସିସିଏ) ନିୟମ ୧୯୬୨ର ୧୫ ଧାରା ଅନୁସାରେ ଥାନାରେ ମାମଲା ରୁଜୁ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ । ଏହି କାମ ମଇ ୩୧ ତାରିଖ ସୁଦ୍ଧା ଶେଷ କରିବାକୁ ନିଦେ୍ର୍ଦଶ ରହିଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ବର୍ତମାନ ଚିହ୍ନଟ ହୋଇଥିବା ୩୯ଜଣ ସନ୍ଦିଗ୍ଧ ଶିକ୍ଷକଶିକ୍ଷୟିତ୍ରୀଙ୍କ ମଧ୍ୟରୁ ୪-୫ଜଣଙ୍କ ବ୍ୟତୀତ ଅନ୍ୟମାନଙ୍କ ଯାଂଚ ରିପୋର୍ଟ ଦାଖଲ ହୋଇନଥିବା ଜଣାଯାଇଛି ।

ସୂଚନାନୁସାରେ, ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟରେ ନକଲି ପ୍ରମାଣପତ୍ରରେ ଶିକ୍ଷକତା କରୁଥିବା ସନ୍ଦିଗ୍ଧ ବ୍ୟକ୍ତିବିଶେଷଙ୍କ ହୋଇଥିବା ତାଲିକା ଜିଲ୍ଲା ଶିକ୍ଷାଧିକାରୀ ଓ ସମଗ୍ର ଶିକ୍ଷାର ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନିକଟକୁ ପଠାଇଥିଲେ । ତାଲିକା ଅନୁସାରେ ଯାଂଚ ଶେଷ କରି ୩୧ ମଇ ସୁଦ୍ଧା ଥାନାରେ ଏତଲା ଦେବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ତେବେ ୮ ଜୁନ୍ ୨୦୨୨ ସୁଦ୍ଧା ଏନେଇ ସନ୍ଦିଗ୍ଧ ଶିକ୍ଷକଶିକ୍ଷୟିତ୍ରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ପୁଣିଥରେ ଏନେଇ ନିଦେ୍ର୍ଦଶାଳୟ ବିଭାଗକୁ ତାଗିଦ କରି ଚିଠି ଲେଖିଛି ।

ଚିଠି ଅନୁସାରେ, ଭୁବନେଶ୍ୱର ବ୍ଲକର ୨ଜଣ ସନ୍ଦିଗ୍ଧ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ରାଜ୍ୟ ବୋର୍ଡ ଓ ବିଶ୍ୱବିଦ୍ୟାଳୟ ପକ୍ଷରୁ ସଠିକ ବୋଲି ଜଣାଯାଇଛି । ସେହିଭଳି ଚିଲିକା ବିଇଓଙ୍କ ଅଧୀନରେ ଦୁଇଜଣ, ବୋଲଗଡ଼ ବିଇଓଙ୍କ ଅଧୀନରେ ୨ ଜଣ, ବାଣପୁର ବିଇଓଙ୍କ ଅଧୀନରେ ୩ ଜଣ, ଭୁବନେଶ୍ୱର ବିଇଓଙ୍କ ଅଧୀନରେ ୩ଜଣ, ଜଟଣୀ ବିଇଓଙ୍କ ଅଧୀନରେ ୩ ଓ ଟାଙ୍ଗୀ ବିଇଓଙ୍କ ଅଧୀନରେ ଜଣେ ସନ୍ଦିଗ୍ଧ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଚିହ୍ନଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୨୦୨୦ରେ ପବିତ୍ର କୁମାର ପଣ୍ଡାଙ୍କୁ କାର୍ଯ୍ୟରୁ ଅବ୍ୟାହତି ଦିଆଯାଇଥିବା ବେଳେ ସଂଜୟ ନାୟକ କାର୍ଯ୍ୟରୁ ଇସ୍ତଫା ଦେଇଛନ୍ତି ।

ତେବେ ବଳକା ୧୨ଜଣଙ୍କ ସନ୍ଦିଗ୍ଧ ଶିକ୍ଷକଶିକ୍ଷୟିତ୍ରୀଙ୍କ ସମ୍ପର୍କରେ ଯାଂଚ ରିପୋର୍ଟ ଦାଖଲ ହୋଇନାହିଁ । ସେହିଭଳି ଚାନ୍ଦପୁରର ଜଣେ ସନ୍ଦିଗ୍ଧ ସହକାରୀ ଶିକ୍ଷକଙ୍କ ଯାଂଚ ଏଯାଏଁ ଶେଷ ହୋଇନାହିଁ । ଭୁବନେଶ୍ୱର ବିଇଓ ଅଧୀନରେ ନିଯୁକ୍ତ ପାଇ କେନ୍ଦ୍ରପଡ଼ା ରାଜନଗରକୁ ବଦଳି ହୋଇଥିବା ଜଣେ ଶିକ୍ଷୟିତ୍ରୀଙ୍କ ଯାଂଚ ରିପୋର୍ଟ ପ୍ରସ୍ତୁତ ହୋଇନାହିଁ । ୨୦୨୦ ଫେବ୍ରୁଆରୀରେ ଭୁବନେଶ୍ୱର ବିଇଓଙ୍କ ଅଧୀନରେ ୨୧ଜଣ ଶିକ୍ଷକଶିକ୍ଷୟିତ୍ରୀଙ୍କ ବିରୋଧରେ ନକଲି ପ୍ରମାଣପତ୍ର ଦେଇ ଚାକିରି କରିବା ଅଭିଯୋଗ ହୋଇଥିଲା । ସେମାନଙ୍କ ମଧ୍ୟରୁ ଯାଂଚରେ ଜଣେ ଶିକ୍ଷକଙ୍କ ସମସ୍ତ ପ୍ରମାଣପତ୍ର ସଠିକ ଥିବା ଜଣାପଡ଼ିଥିବା ବେଳେ ବଳକା ୨୦ଜଣଙ୍କ ରିପୋର୍ଟ ଚଳିତ ମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା ଦାଖଲ କରାଯାଇନାହିଁ ।

ସମ୍ବନ୍ଧିତ ଖବର