ଯାଜପୁର : ବଡ଼ଚଣା ଆରଆଣ୍ଡବି ସବ୍ଡିଭିଜନରେ ବ୍ୟାପକ ଟେଣ୍ଡର ଘୋଟାଲା ହୋଇଛି। ଲଗାତାର ୪ ବର୍ଷ ଭିତରେ ୧୩୧୮ଟି ଗୁପ୍ତ ଟେଣ୍ଡର କରାଯାଇଛି। ପାଖାପାଖି ୧୦ କୋଟି ଟଙ୍କାର ହେରାଫେରି ହୋଇଥିବା ସୂଚନା ମିଳୁଛି। ଏଭଳି ସାଂଘାତିକ ତଥ୍ୟ ‘ସମ୍ବାଦ’ ହାତରେ ଲାଗିଛି।
ବିକାଶ ପାଇଁ ଯୋଜନା ପରେ ଯୋଜନା ହେଉଛି। ମାତ୍ର ସେହିସବୁ ଯୋଜନା କିଭଳି ତାର ପ୍ରମାଣ ମିଳିଛୁ ବଡ଼ଚଣା ଆରଆଣ୍ଡବି ସବ୍ଡିଭିଜନ ଘଟଣାରୁ। ବିକାଶ ନାମରେ ପୂର୍ତ୍ତ ବିଭାଗରେ କୋଟି କୋଟି ଟଙ୍କା ହରିଲୁଟ୍ ଚାଲିଛି। କେବଳ ମରାମତି ନାମରେ ଗୁପ୍ତ ଟେଣ୍ଡର ଜରିଆରେ ୨୦୧୩ ରୁ ୨୦୧୭ ଆର୍ଥିକ ବର୍ଷ ମଧ୍ୟରେ ୧୩୧୮ଟି ଗୁପ୍ତ ଚୁକ୍ତିନାମା ବଳରେ ପ୍ରାୟ ୧୦ କୋଟି ଟଙ୍କା ଘୋଟାଲା ହୋଇଛି।
ଗୁରୁତ୍ୱପୂର୍ଣ୍ଣ ହେଉଛି ମରାମତି ନାମରେ ରାସ୍ତାର ଉଭୟ ପାର୍ଶ୍ୱର ଘାସ ସଫେଇ, ରାସ୍ତାରେ ଜମି ଥିବା ପାଣି ନିଷ୍କାସନ କରିବା, ଖାଲଖମା ମରାମତି, ଗଛ, ପୋଲ, କଲ୍ଭର୍ଟ ଓ ରାସ୍ତାର ଉଭୟ ପାର୍ଶ୍ୱରେ ରଙ୍ଗ ଦେବା ଇତ୍ୟାଦି କାମ ବାବଦରେ ବ୍ୟାପକ ମିଥ୍ୟା ବିଲ୍ କରି କୋଟି କୋଟି ଟଙ୍କା ହଡ଼ପ କରାଯାଇଛି। ଚାରିବାଟିଆ ଡିଭିଜନ୍ ଅନ୍ତର୍ଗତ ବଡ଼ଚଣା ସବ୍ଡିଭିଜନ୍ର ବଡ଼ଚଣା-ବାଲିଚନ୍ଦ୍ରପୁର ରାସ୍ତାର କାମ ସମୀକ୍ଷା କଲେ ଏହି ଉପଖଣ୍ଡର କେଳେଙ୍କାରୀର ବିଶାଳତା ବେଶ ସୁସ୍ପଷ୍ଟ। ତଥ୍ୟ ମୁତାବକ ପ୍ରାୟ ୧୩ କିମି ଲମ୍ବ ଏହି ରାସ୍ତା କାମ ପାଇଁ ୨୦୧୧-୧୨, ୨୦୧୨-୧୩, ୨୦୧୩-୧୪, ୨୦୧୪-୧୫ ଓ ୨୦୧୬-୧୭ ଆର୍ଥିକ ବର୍ଷଗୁଡ଼ିକରେ ଖୋଲା ଟେଣ୍ଡର ଜରିଆରେ କାମ ହୋଇଛି। ୨୦୧୧-୧୨ରେ ୨ଟି ଟେଣ୍ଡର୍ କରାଯାଇ ୨୦ଲକ୍ଷ ୪୦ହଜାର ୨୨୯ଟଙ୍କାର କାମ ହୋଇଛି। ସେହିପରି ୨୦୧୨-୧୩ରେ ୮ଲକ୍ଷ ୭୨ହଜାର ୫୩୭ଟଙ୍କା କାମ ହୋଇଥିବାର ଦର୍ଶାଯାଇଛି। ୨୦୧୩-୧୪ରେ ୪ଟି ଟେଣ୍ଡର୍ ମାଧ୍ୟମରେ ୧୮କୋଟି, ୨୫ଲକ୍ଷ ୪୦ହଜାର ୯୦୩ ଟଙ୍କା ବ୍ୟୟ ହୋଇଛି। ୨୦୧୪-୧୫ରେ ୧୬ଲକ୍ଷ ୩୯ହଜାର ୪୪୮ଟଙ୍କା ଓ ୨୦୧୬-୧୭ରେ ୧୪କୋଟି ୬୯ଲକ୍ଷ ୫୦ ହଜାର, ୮୧୬ଟଙ୍କା ଖର୍ଚ୍ଚ କରାଯାଇଛି। ଏହି ୫ଟି ଆର୍ଥିକ ବର୍ଷରେ ମୋଟ୍ ୩୩କୋଟି ୪୦ ଲକ୍ଷ ୪୩ହଜାର ୯୩୩ଟଙ୍କା ଖୋଲା ଟେଣ୍ଡର ଜରିଆରେ ଖର୍ଚ୍ଚ ହୋଇଥିବାର କାଗଜପତ୍ରରେ ଦର୍ଶାଯାଇଛି।
ବିସ୍ମୟର କଥା ହେଲାକି ଏହି ରାସ୍ତାର ମରାମତି ନାମରେ ଗତ ୪ବର୍ଷ ମଧ୍ୟରେ ମୋଟ ୨୦୭ଟି ଗୁପ୍ତ ଟେଣ୍ଡର କରାଯାଇ ୧.୫ କୋଟି ଟଙ୍କା ଠିକାଦାର ଓ ସଂପୃକ୍ତ କେତେକ ଯନ୍ତ୍ରୀ ହାତେଇ ନେଇଛନ୍ତି। ୨୦୧୩-୧୪ରେ ଏହି ରାସ୍ତାର ମରାମତି ନାମରେ ୫୩ଟି ଗୁପ୍ତ ଟେଣ୍ଡର କରାଯାଇ ପ୍ରାୟ ୨୬ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା, ୨୦୧୪-୧୫ରେ ୧୧୬ଟି ଗୁପ୍ତ ଟେଣ୍ଡର କରାଯାଇ ୫୮ଲକ୍ଷ ଟଙ୍କା, ୨୦୧୫-୧୬ରେ ୨୭ଟି ଗୁପ୍ତ ଟେଣ୍ଡର କରାଯାଇ ପ୍ରାୟ ୪୧ଲକ୍ଷ ଟଙ୍କା ଓ ୨୦୧୬-୧୭ରେ ୧୧ଟି ଗୁପ୍ତ ଟେଣ୍ଡର କରାଯାଇ ପ୍ରାୟ ୩୧ଲକ୍ଷ ଟଙ୍କା ହଡ଼ପ କରାଯାଇଛି। ସମୁଦାୟ ୪ଟି ଆର୍ଥିକ ବର୍ଷରେ ମୋଟ ୨୦୭ ଗୁପ୍ତ ଟେଣ୍ଡର ଜରିଆରେ ପ୍ରାୟ ୧.୫ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ସରକାରୀ ଅନୁଦାନ ଘୋଟାଲା ହୋଇଛି। ୨୦୧୭-୧୮ ଆର୍ଥିକ ବର୍ଷରେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କାର ଗୁପ୍ତ ଟେଣ୍ଡର୍ରେ କାମ ହୋଇଛି। ପ୍ରକାଶ ଥାଉକି ୧୩କିମି ଲମ୍ବ ବଡ଼ଚଣା-ବାଲିଚନ୍ଦ୍ରପୁରର ଏହି ଗୋଟିଏ ରାସ୍ତା ଉପରେ ୫ବର୍ଷରେ ଖୋଲା ଟେଣ୍ଡର୍ରେ ୩୩ କୋଟି ୪୦ଲକ୍ଷ ୪୩ ହଜାର ୯୩୩ଟଙ୍କା ଓ ମରାମତି ନାମରେ ୪ବର୍ଷରେ ଗୁପ୍ତ ଟେଣ୍ଡର୍ ଜରିଆରେ ୧.୫କୋଟି ଟଙ୍କାରୁ ଉର୍ଧ୍ୱ ହଡ଼ପ କରାଯାଇଛି। ଏହି ଭଳି ବିଭିନ୍ନ ରାସ୍ତାରେ କୋଟି କୋଟି ଟଙ୍କା ହଡ଼ପ କରାଯାଇଛି।