ରାଉରକେଲା : ସ୍ମାର୍ଟ ସିଟିରେ ଫାଷ୍ଟଫୁଡ୍ରେ ପରସା ଯାଉଛି ଭଳିକି ଭଳି ଟମାଟୋ ଓ ଚିଲି ସସ୍। ପାଟିକୁ ଟେଷ୍ଟ କିନ୍ତୁ ପେଟକୁ ବିଷ। ଗତ ଦୁଇ ଦିନ ତଳେ ବଣାଇରୁ ଜବତ ବସ୍ତା ବସ୍ତା ଭେଜାଲ୍ ସସ୍ ରାଉରକେଲାର। ସ୍ମାର୍ଟସିଟିରେ ଖାଦ୍ୟର ମାନ ପ୍ରତି ରାଉରକେଲା ମହାନଗର ନିଗମ (ଆର୍ଏମ୍ସି) କେତେ ତତ୍ପର ଏଥିରୁ ସ୍ପଷ୍ଟ ବାରି ଜଣାପଡୁଛି। ବିଭାଗୀୟ ଅଧିକାରୀ କହୁଛନ୍ତି ନିୟମିତ ବ୍ୟବଧାନରେ ଖାଦ୍ୟର ମାନ ଯାଞ୍ଚ ହେଉଛି। ସାମ୍ପୁଲ୍ ପରୀକ୍ଷା ପାଇଁ ଲାବ୍ରୋଟୋରିକୁ ପଠାଯାଉଛି। ବାସ୍ତବ ଚିତ୍ର କିନ୍ତୁ ଓଲଟା। ବିନା ଫୁଡ ଲାଇସେନ୍ସ ସହ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ପ୍ରସ୍ତୁତି ହେଉଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ଭେଜାଲ୍ ସସ୍। ବର୍ଷ ବର୍ଷ ଧରି ଏସବୁ ସସ୍ କାରଖାନା ସହର ଗଳିକନ୍ଦି ଓ ବସ୍ତିରେ ଚାଲୁଥିଲେ ହେଁ ବିଭାଗୀୟ ନଜର ପଡୁନି। ଫଳରେ ମୁନାଫାଖୋର ମାଲିକମାନେ ମୋଟା ଅଙ୍କର ରୋଜଗାର କରୁଛନ୍ତି। ହେଲେ ପ୍ରସ୍ତୁତ କରି ମାର୍କେଟକୁ ଛାଡୁଥିବା ସସ୍ର ଗୁଣବତ୍ତା ପ୍ରତି ସମ୍ପୂର୍ଣ୍ଣ ଆଖି ବୁଜି ଦେଇଛନ୍ତି।
ସହରର ଲାଠିକଟା, ଜଗଦା, ଗୋପବନ୍ଧୁପାଲୀ, ମଧୂସୂଦନପାଲୀ ୱାର୍ଡ ନଂ -୧ରେ ଦୁଇଟି, ବନ୍ଧମୁଣ୍ଡା, ବିଶ୍ରା, ପ୍ଲାଣ୍ଟସାଇଟ୍, ଟ୍ରାଫିକ୍ ଗେଟ୍, ଇସ୍ପାତ ସହରାଞ୍ଚଳ ଆଦି ସ୍ଥାନରେ ଏମିତି ମାଳ ମାଳ ଭେଜାଲ୍ ସସ୍ କାରଖାନା ରହିଛି। ଯେଉଁଠି ଦୈନିକ କ୍ୱିଣ୍ଟାଲ କ୍ୱିଣ୍ଟାଲ ସସ୍ ପ୍ରସ୍ତୁତି ହେଉଛି। ପରେ ତାକୁ ଚକାଚକ୍ ବୋତଲରେ ପ୍ୟାକିଂ କରି ମାର୍କେଟ ବିକ୍ରି କରାଯାଉଛି। ସହରର ଅଧିକାଂଶ ଫାଷ୍ଟଫୁଡ୍ ଦୋକାନରେ ବ୍ୟବହାର ହେଉଛି ସେହି ସସ୍। ମଞ୍ଚୁରିଆନ୍, ଚାଉମିନ୍, ଅଣ୍ଡା, ଚିକେନ ରୋଲ୍, ଏଗ୍ ରୋଲ୍, ଚିକେନ୍ ଚିଲ୍ଲି ଆଦିରେ ବହୁଳ ମାତ୍ରାରେ ଏହା ବ୍ୟବହାର ହେଉଛି। ବଜାରରୁ ସ୍ୱଳ୍ପ ଦରରେ ପଚାସଢ଼ା ପନିପରିବା ନେଇ ସସ୍ ତିଆରି କରାଯାଉଛି। ଟମାଟୋ ସସ୍ରେ ଟମାଟୋ ପରିବର୍ତ୍ତେ ପଚା କଖାରୁ, ଆଳୁ, ଅମୃତଭଣ୍ଡା, ଲାଊ ବ୍ୟବହାର ହେଉଛି। ଚିଲ୍ଲି ସସ୍ରେ ପଚା କଖାରୁ, ଲାଉ ଓ କଞ୍ଚା ଲଙ୍କା ଆଦି ବ୍ୟବହାର କରାଯାଉଛି। ସେଥିରେ ଫ୍ଲେବର ମିଶାଯାଇ ଗ୍ରାହକମାନଙ୍କୁ ଭୁ୍ଆଁ ବୁଲା ଯାଉଛି। ଏହାକୁ ଖାଇ ଲୋକେ ନିଜ ପେଟକୁ ବିଭିନ୍ନ ପ୍ରକାର ରୋଗ ଆଣୁଛନ୍ତି।
ଏକ ହିସାବ ଅନୁସାରେ, ରାଉରକେଲାରେ ଦୈନିକ ପାଖାପାଖି ୧୦ କ୍ୱିଣ୍ଟାଲରୁ ଅଧିକ ଭେଜାଲ୍ ସସ୍ ଫାଷ୍ଟଫୁଡ୍ ଦୋକାନ, ଛୋଟ ହୋଟେଲ ଓ ଢ଼ାବାଗୁଡ଼ିକରେ ବ୍ୟବହାର ହେଉଛି। ଇସ୍ପାତ ହରରର ୧୫ରୁ ଅଧିକ ଜାଗାରେ ଚାଲିଛି ଭେଜାଲ୍ ସସ୍ ତିଆରିର କୁଟୀର ଶିଳ୍ପ। ଏସବୁ ଏପରି ଅସ୍ୱାସ୍ଥ୍ୟକର ସ୍ଥାନରେ ତିଆରି କରାଯାଉଛି ଯେ ତା’କୁ ଦେଖିଲେ ସାଧାରଣ ଲୋକଟିଏ ଜୀବନରେ ଆଉ ସସ୍ ଖାଇବନି। ନାମୀ କମ୍ପାନିର ସସ୍ ବୋତଲ ପିଛା ୮୦ ଟଙ୍କାରୁ ଆରମ୍ଭ କରି ୨୦୦ରୁ ୨୫୦ ଟଙ୍କାରେ ବିକ୍ରି ହେଉଛି। କିନ୍ତୁ ସେହି ସମାନ ବୋତଲ ଭେଜାଲ୍ ସସ୍ ବୋତଲ ପିଛା ମାତ୍ର ୩୦ରୁ ୪୦ ଟଙ୍କା ବିକ୍ରି କରାଯାଉଛି। କେତେକ ସ୍ଥାନରେ ମାତ୍ର ୨୦ ଟଙ୍କାରେ ମଧ୍ୟ ବିକାଯାଉଛି। ଦୋକାନୀମାନେ ଦର କମ୍ ଥିବାରୁ ତାହା କିଣୁଛନ୍ତି। ସବୁଠୁ ଆଶ୍ଚର୍ଯ୍ୟ କଥା, ଏସବୁ ଭେଜାଲ ସସ୍ ସହରରେ ଯେତିକି, ତା’ଠାରୁ ଢ଼େର ଅଧିକ ବିକ୍ରି ହେଉଛନ୍ତି ସହର ବାହାରେ। ପଡୋଶୀ ଝାଡ଼ଖଣ୍ଡ ସୀମାନ୍ତର ପ୍ରମୁଖ ସହରରେ। ଝାଡ଼ଖଣ୍ଡର ମନୋହରପୁର, ସିମ୍ଡେଗା ଆଦି ସହରରେ ୩୦ରୁ ୪୦ ଟଙ୍କାରେ ବିକ୍ରି ହେଉଛି।
ଜଣେ ଡାକ୍ତରଙ୍କ କହିବାନୁଯାୟୀ, ସହରର ଅଧିକାଂଶ ଫାଷ୍ଟଫୁଡ୍ ଦୋକାନରେ ଯେଉଁ ସସ୍ ବ୍ୟବହାର ହେଉଛି ତାହା ସମ୍ପୂର୍ଣ୍ଣ ଅଖାଦ୍ୟ। ଏହି ସବୁ ସସ୍ ବୋତଲଗୁଡ଼ିକୁ ୧୦ରୁ ୧୫ ଦିନ ରଖିଲେ ବିଷ ହୋଇଯିବାର ଆଶଙ୍କା ରହିଛି। ଭେଜାଲ୍ ସସ୍ ବ୍ୟବହାର ହେଉଥିବା ଏହିସବୁ ଫାଷ୍ଟଫୁଡ୍ ଖାଇଲେ ଯାବତୀୟ ପେଟ ରୋଗ ସୃଷ୍ଟି ହେବ। ଏପରିକି କ୍ୟାନ୍ସର ହେବାର ସମ୍ଭାବନା ମଧ୍ୟ ରହିଛି। ରାସ୍ତାକଡରେ ପରସା ଯାଉଥିବାର ଏସବୁ ଫାଷ୍ଟଫୁଡ୍ରୁ ସର୍ବଦା ଦୂରେଇ ରହିବା ଦରକାର ବୋଲି ସେ କହିଛନ୍ତି।