କୋରାପୁଟ : ଦେହରେ ଥିଲା ଟିଟିଇ ବ୍ୟବହାର କରୁଥିବା କଳା ରଙ୍ଗର ବ୍ଲେଜର୍। ହାତରେ କିଛି ନକଲି କାଗଜପତ୍ର। ଚଳନ୍ତା ଟ୍ରେନ୍‌ରେ ବିନା ଟିକେଟ୍‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କଠାରୁ ଆଦାୟ କରୁଥିଲେ ଟଙ୍କା। ଯାତ୍ରୀ ମଧ୍ୟ ଟିଟିଇ ଭାବି ଫାଇନ୍‌ ଦେଉଥିଲେ। ତ‌େବେ, କେହିକିଛି ଭାବିବା ପୂର୍ବରୁ ମାଡ଼ିବସିଲା ରେଳବାଇ ପୁଲିସ। ଟିଟିଇ ସାଜି ଏଭଳି କାଣ୍ଡ କରି ଗିରଫ ହୋଇଥିବା ଯୁବକ ଜଣକ ଛତିଶଗଡ଼ ବସ୍ତର ଜିଲ୍ଲା ଦରଭା ଥାନା କୟାପଲ୍ଲୀ ଗାଁର ବୁଦୁରି ନାଗ ବୋଲି ଜଣାପଡ଼ିଛି। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିକଟରୁ ଏହି ନକଲି ଟିଟିଇଙ୍କୁ ଗିରଫ କରାଯାଇଛି। ତାଙ୍କ ପାଖରୁ ବ୍ଲେଜର ଓ ୧୪୦ଟଙ୍କା ଜବତ ହୋଇଛି।

Advertisment

ସୂଚନା ଅନୁସାରେ, ବୁଦୁରି ଆନ୍ଧ୍ରରେ ଗୋଟିଏ କାଠ ଗୋଦାମରେ କାମ କରୁଥିଲେ। ସେଠାରୁ ତଡ଼ାଖାଇ କିଛିଦିନ ଗାଁରେ ରହିଥିଲେ। ଏହାପରେ ନକଲି ଟିଟିଇ ସାଜି ଲୋକଙ୍କୁ ଲୁଟିବାକୁ ଚିନ୍ତା କରି ଜଗଦଲପୁରରୁ ୧୫୦୦ଟଙ୍କା ଦେଇ କଳା ବ୍ଲେଜର କିଣିଥିଲେ। ରାଉଳି ଷ୍ଟେସନରୁ ଟ୍ରେନ୍‌ରେ ଚଢ଼ି କୋରାପୁଟ ମଧ୍ୟରେ ବିନା ଟିକେଟ୍‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କଠାରୁ ଟଙ୍କା ଆଦାୟ କରୁଥିଲେ। ଗତକାଲି ସେ କୋରାପୁଟରୁ ବିଶାଖାପାଟଣା-କୋରାପୁଟ ପାସେଞ୍ଜର ଟ୍ରେନ୍‌ରେ ଉଠିଥିଲେ। ପରେ ବିଶାଖାପାଟଣାରୁ ରାଉଲି ଯାଏ ଯାଇଥିଲା ବେଳେ ଆଜି ସକାଳେ ସେହି ଟ୍ରେନ୍‌ରେ କୋରାପୁଟ ଫେରୁଥିଲେ। ଏହିସମୟରେ ସେ ପୁଲିସ ହାତରେ ଧରାପଡ଼ିଥିଲେ। ପୁଲିସ ନିକଟରେ ବୁଦୁରି ନିଜ କାରନାମା ମାନିଥିବା ଜିଆରପି ଥାନା ଅଧିକାରୀ ବିନୟ କୁମାର ଭୋଇ କହିଛନ୍ତି। ଏହାପରେ ପୁଲିସ ବୁଦୁରିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।