ବରଗଡ଼: ବରଗଡ଼ ସହରରେ ନକଲି ମାଲ୍ ବିକ୍ରି ନେଇ ଶନିବାର 'ସମ୍ବାଦ'ରେ ଖବର ପ୍ରକାଶ ପାଇଥିଲା। ଏହି ତଥ୍ୟ ସତ ହୋଇଛି। ନକଲି ବ୍ରାଣ୍ଡେଡ୍ ଟିଭି ସହ ୨ଜଣ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ କରିଛି। ଅଭିଯୁକ୍ତ ଦ୍ୱୟ ଏମ୍ଡି ନସିବ ଓରଫ୍ ନସିମ୍ ଓ ଏମ୍ଡି ଇମ୍ରାନ୍। ଉଭୟ ଉତ୍ତରପ୍ରଦେଶ ଗାଜିଆବାଦର ଲୋହାନୀର ବାସିନ୍ଦା। ସେମାନେ କମ୍ ଦରରେ ଘରଘର ବୁଲି ଟିଭି ବିକ୍ରି କରୁଥିଲେ। ଟାଉନ୍ ପୁଲିସ ପ୍ରେଟୋଲିଂ କରୁଥିବା ସମୟରେ ଘରୋଇ ବସଷ୍ଟାଣ୍ଡ ନିକଟରେ ଟିଭି ବିକ୍ରି କରୁଥିବା ଦୁଇଜଣଙ୍କୁ ପୁଲିସ୍ ଘେରିଥିଲା।
ସେମାନେ ସୋନି ବ୍ରାଭିଆ ଟିଭି ରାସ୍ତା ଉପରେ କମ୍ ଦରରେ ବିକ୍ରି କରୁଥିବାରୁ ପୁଲିସ୍ର ସନ୍ଦେହ ଜାତ ହୋଇଥିଲା। ସୋ' ରୁମ୍ରେ ଏହି ବ୍ରାଣ୍ଡର ଟିଭି ୫୦ ହଜାର ପାଖାପାଖି। ହେଲେ ଅଭିଯୁକ୍ତମାନେ ଏହାକୁ ୧୦ରୁ ୧୨ ହଜାର ଟଙ୍କାରେ ଖୁଲମ୍ଖୁଲା ବିକୁଥିଲେ। ପୁଲିସ୍ ଟିଭି ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ୍ କରିଥିଲା। ସେମାନଙ୍କଠାରୁ ସୋନି ଟିଭିର ନକଲି ଷ୍ଟିକର ମିଳିଥିଲା। ଆହୁରି ତନଘନା ପରେ ନକଲି ଟିଭି ଯନ୍ତ୍ରାଂଶକୁ ଯୋଡ଼ି ଷ୍ଟିକର୍ ମାରି ସେମାନେ ବିକ୍ରି କରୁଥିବା ଜଣାପଡ଼ିଥିଲା। ଦୋଷ ମାନିବା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଂଜୁର ହେବାରୁ ଉଭୟଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/arrest.jpg)