ଭୁବନେଶ୍ବର : ନକଲି ରେଲୱେ ଭିଜିଲାନ୍ସ ଅଫିସର ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ପୁଲିସ ତା’ଠାରୁ ଏକ କାର, ନକଲି ରବର ଷ୍ଟାମ୍ପ, ଲେଟର ପ୍ୟାଡ୍ ଆଦି ଜବତ କରିଛି। ସେ ହେଲା ରାଞ୍ଚି ଧ୍ରୁବାର ଏଚ୍ଇସି କଲୋନିର ଆଶିଷ ରଂଜନ ସିଂ। ବର୍ଷେ ହେବ ସେ ଖଣ୍ଡଗିରି ଅଞ୍ଚଳରେ ଏକ ଫ୍ଲାଟ୍ ଭଡାରେ ନେଇ ରହୁଥିଲା।
ପୁଲିସ ସୂଚନା ମୁତାବକ, ଆଶିଷ ନିଜକୁ ଜଣେ ରେଲୱେ ଭିଜିଲାନ୍ସ ଅଫିସରର ପରିଚୟ ଦେଉଥିଲା। ଯୁବକଙ୍କ ମନରେ ବିଶ୍ବାସ ଜନ୍ମାଇ ବିଭିନ୍ନ ସଂସ୍ଥାରେ ଚାକିରି କରାଇଦେବ ବୋଲି କହି ଠକୁଥିଲା। ଏଥିପାଇଁ ଜଣକ ପିଛା ଏକ ଲକ୍ଷରୁ ୫ଲକ୍ଷ ପର୍ଯ୍ୟନ୍ତ ଟଙ୍କା ନେଉଥିଲା। ଟଙ୍କା ନେବା ପରେ ନକଲି ନିଯୁକ୍ତି ପତ୍ର ଦେଇ ଫେରାର ହୋଇଯାଉଥିଲା। ଆଶିଷର ଠକାମି ବିଷୟରେ ଜାଣିବା ପରେ ଶୁଭେନ୍ଦୁ କୁମାର ବେହେରା ନାମକ ଜଣେ ଯୁବକ ଥାନାରେ ଅଭିଯୋଗ କରିଥିଲେ। ଏନେଇ ନୂଆପଲ୍ଲୀ ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ତାକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।