ଭଡ଼ାଘରେ ନକଲି ମଦ ଫ୍ୟାକ୍ଟ୍ରି: ସ୍ପିରିଟ୍‌, ଲେବଲ୍‌, ବୋତଲ ଜବତ

ଦୁଇ ପ୍ରସ୍ତୁତକାରୀ ଗିରଫ, ନାବାଳକ ବି ସାମିଲ

କୁକୁଡ଼ାଖଣ୍ଡି : ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଆଙ୍କୁଶପୁର ସ୍ଥିତ ଏକ ଭଡ଼ାଘରେ ଚାଲିଥିଲା ନକଲି ମଦ ଫ୍ୟାକ୍ଟ୍ରି। ସେଠାରେ ବେଆଇନ ଭାବେ ମଦ ପ୍ରସ୍ତୁତ କରାଯାଇ ବିଭିନ୍ନ ଗ୍ରାମାଞ୍ଚଳକୁ ଚାଲାଣ କରାଯାଉଥିଲା। ଏହାର ଖବର ମିଳିବା ପରେ ବ୍ରହ୍ମପୁର ଏସ୍‌.ପି. ଡା. ଶରବଣା ବିବେକ ଏମ୍.ଙ୍କ ନିର୍ଦ୍ଦେଶ କ୍ରମେ ସଦର ଥାନା ପୁଲିସର ଏକ ସ୍ଵତନ୍ତ୍ର ଟିମ୍‌ ସେଠାରେ ଗତକାଲି ସଂଧ୍ୟାରେ ଚଢ଼ଉ କରିଥିଲା। ଯାଞ୍ଚ ପରେ ସେହି ଘରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ ଓ କଞ୍ଚାମାଲ ଜବତ ହୋଇଥିଲା। ଏ ସଂକ୍ରାନ୍ତରେ ପୁଲିସ ଦୁଇଜଣ ପ୍ରସ୍ତୁତକାରୀଙ୍କୁ ଗିରଫ କରିଛି। ସେମାନେ ହେଲେ ବ୍ରହ୍ମପୁର ବଡ଼ବଜାର ଥାନା ଅଧୀନ କାଳୁପାତ୍ରସାହିର ରବୀନ୍ଦ୍ର ସାହୁ ଓ ଆସିକା ଥାନା ଅଞ୍ଚଳ ବାବନପୁର ଗ୍ରାମର ଯୋଗେନ୍ଦ୍ର ସାହୁ ବୋଲି ଅତିରିକ୍ତ ଏସ୍‌.ପି. ରମେଶ ଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି। ଉଭୟେ ଆଙ୍କୁଶପୁର ହରେକୃଷ୍ଣନଗରରେ ରହୁଛନ୍ତି।
ଏହି ଘଟଣାରେ ଜଣେ ନାବାଳକ ମଧ୍ୟ ଧରାପଡ଼ିଛି। ସେମାନେ ଏକ ଭଡ଼ାଘର ନେଇ ନକଲି ମଦ ପ୍ରସ୍ତୁତ କରୁଥିଲେ। ଘଟଣାସ୍ଥଳରୁ ୪୦ ଲିଟର ସ୍ପିରିଟ୍, ୧୦୦ ଲିଟର ନକଲି ମଦ, ୧୮ଶହ ବିଭିନ୍ନ ବ୍ରାଣ୍ଡର ବୋତଲ, ଠିପି, ୩୨୯୦ଟି ନକଲି ଅବକାରୀ ବିଭାଗର ଲେବଲ ଓ ଷ୍ଟିକର, ୨୫ ଶହ ରେଟ୍‌ଚାର୍ଟ ଥିବା ଲେବଲ୍‌ ସହ ଏକ ଟାଟାଏସ୍‌ଇ ଗାଡ଼ିକୁ ଜବତ କରାଯାଇଛି। କେସ୍ ନମ୍ବର ୨୭୨/୨୨ରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ସ୍ପିରିଟ୍‌ ବ୍ରହ୍ମପୁରରୁ ନେଇ ନକଲି ମଦ ପ୍ରସ୍ତୁତ କରୁଥିବା ପୁଲିସ ତଦନ୍ତରେ ଜଣାପଡ଼ିଛି। ତେବେ କାହାପାଖରୁ ଏମାନେ ସ୍ପିରିଟ୍‌ କିଣୁଥିଲେ ସେ ଦିଗରେ ପୁଲିସ ତଦନ୍ତ ଆରମ୍ଭ କରିଛି। ସଦର ଏସ୍‌ଡିପିଓ ଶିବ ଶଙ୍କର ମହାପାତ୍ରଙ୍କ ତତ୍ତ୍ଵାବଧାନରେ ସଦର ଥାନାଧିକାରୀ ମହେନ୍ଦ୍ର କୁମାର ସାହୁ ଏକ ସ୍ୱତନ୍ତ୍ର ଟିମ୍ ନେଇ ଚଢ଼ଉ କରିଥିଲେ।
ସମ୍ବନ୍ଧିତ ଖବର