ବ୍ରହ୍ମପୁର : ବ୍ରହ୍ମପୁର ସହରରେ ଧରାପଡ଼ିଛି ପୁଣି ଏକ ନକଲି ମଦ ଫ୍ୟାକ୍ଟ୍ରି। ବଡ଼ବଜାର ଥାନା ଅନ୍ତର୍ଗତ ଶ୍ରୀରାମନଗର ପାଣିଗ୍ରାହୀପେଣ୍ଠ ସାହିସ୍ଥିତ ଏକ ଭଡ଼ାଘରେ ଚାଲିଥିବା ନକଲି ମଦ ଫ୍ୟାକ୍ଟ୍ରିରେ ଗୁରୁବାର ସନ୍ଧ୍ୟାରେ ଚଢ଼ଉ କରିଛି ପୁଲିସ। ଯାହାକୁ ଭଡ଼ାଘର ବୋଲି କୁହାଯାଉଛି ତାହା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ହୋଇଥିବା ଏକ ଘର। ସେହି ଘର ଯାଞ୍ଚ ପରେ ସେଠାରୁ ବିପୁଳ ପରିମାଣର ନକଲି ମଦ ପ୍ରସ୍ତୁତି ସାମଗ୍ରୀ ଜବତ ହୋଇଥିଲା। ଏ ସଂକ୍ରାନ୍ତରେ ପୁଲିସ କାଳୁପାତ୍ର ସାହିର ଟୁକୁନା ବିଷୋୟୀ ନାମକ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି।
ଲକ୍ଡାଉନ୍ ପାଇଁ ବ୍ରହ୍ମପୁର ସହରରେ ଦିନକୁ ଦିନ ନକଲି ମଦ କାରବାର ବଢ଼ିବାରେ ଲାଗିଛି। କିଛି ମଦ ମାଫିଆ ଲୋକ ରଖି ବିଭିନ୍ନ ସ୍ଥାନରେ ଘରଭଡ଼ା ନେଇ ସ୍ପିରିଟ୍ ମିଶ୍ରିତ ନକଲି ମଦ ପ୍ରସ୍ତୁତ କରୁଛନ୍ତି। ବିଗତ ଦିନରେ ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଏଭଳି ନକଲି ମଦ ଫ୍ୟାକ୍ଟ୍ରି ଠାବ କରିଥିିଲା। ଏହି ନକଲି ମଦ କାରବାର ମୂଳପୋଛ କରିବା ପାଇଁ ବ୍ରହ୍ମପୁର ଏସ୍.ପି. ପିନାକ ମିଶ୍ରଙ୍କ ନେତୃତ୍ବରେ ସମସ୍ତ ଥାନା ଅଧିକାରୀଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଥିଲା। ଗୁରୁବାର ଦିନ ପାଣିଗ୍ରାହୀପେଣ୍ଠ ସାହିରେ ନକଲି ମଦ ଫ୍ୟାକ୍ଟ୍ରି ଚାଲିଥିବା ନେଇ ଖବର ମିଳିଥିଲା। ବଡ଼ବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତିଙ୍କ ନେତୃତ୍ବରେ ଏକ ଟିମ୍ ସେଠାରେ ଚଢ଼ଉ କରିଥିଲା। ଯାଞ୍ଚ ପରେ ସେହି ଭଡ଼ାଘରୁ ବିପୁଳ ସ୍ପିରିଟ୍, ପ୍ରାୟ ୮/୧୦ପେଟି ବିଭିନ୍ନ ବ୍ରାଣ୍ଡ୍ର ନକଲି ବିଦେଶୀ ମଦ, ବିପୁଳ ପରିମାଣ ଠିପି, ଲେବଲ୍, ଖାଲି ବୋତଲ ଓ ଷ୍ଟିକର୍ ଜବତ ହୋଇଥିଲା। ଏହି ସମସ୍ତ ସାମଗ୍ରୀ କୋଲକାତାରୁ ଆଣି ଏଠାରେ ନକଲି କାରବାର ଚାଲିଥିବା ପୁଲିସ ତଦନ୍ତରେ ଜଣାପଡ଼ିଛି।
ସ୍ପିରିଟ୍ରେ ରଙ୍ଗ, ପାଣି ଓ ଆସେନ୍ସ ମିଶାଇ ନକଲି ମଦ ପ୍ରସ୍ତୁତ କରି ସହର ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଚାଲାଣ କରାଯାଉଥିଲା ବୋଲି ଜଣାପଡ଼ିଛି। ଲକ୍ଡାଉନ୍ ପାଇଁ ଅନ୍ଲାଇନ୍ରେ ନିର୍ଦ୍ଦିଷ୍ଟ ସମୟ ପାଇଁ ମଦ ହୋମ୍ ଡେଲିଭରି ନିମନ୍ତେ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ମଦ ଦୋକାନ ବନ୍ଦ ରହୁଛି। ଫଳରେ କିଛି ମାଫିଆ ନକଲି ମଦ ପ୍ରସ୍ତୁତ କରି ବିଭିନ୍ନ ସ୍ଥାନରେ ଲୁଚାଛପା ତାହା ବିକ୍ରି କରୁଛନ୍ତି। ଏହା ଉପରେ ରୋକ୍ ଲଗାଇବା ପାଇଁ ଅବକାରୀ ଓ ପୁଲିସ ଉଦ୍ୟମ ଜାରି ରଖିଛି। ଚଢ଼ଉରେ ଟାଉନ୍ ଏସଡିପିଓ ବିଷ୍ଣୁପ୍ରସାଦ ପତି ମଧ୍ୟ ଉପସ୍ଥିତ ଥିଲେ। ଅବକାରୀ ବିଭାଗ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା।
ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଯାହାକୁ ଭଡ଼ାଘର ବୋଲି କୁହାଯାଉଛି ତାହା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ କରାଯାଇଛି। ସମ୍ଭବତଃ, ହିତାଧିକାରୀ ଜଣକ ଏହି ଘରକୁ ଭଡ଼ାରେ ଲଗାଇଛନ୍ତି। ତେବେ, ସରକାରୀ ଯୋଜନାରେ ହେଉଥିବା ଆବାସ ରହିବା ପାଇଁ ଅର୍ଥାତ୍ ଗରିବ ଲୋକଙ୍କ ମୁଣ୍ଡ ଗୁଞ୍ଜିବା ପାଇଁ ଉଦ୍ଦିଷ୍ଟ ହୋଇଥିବାବେଳେ ତାହାକୁ କିଭଳି ଭଡ଼ାରେ ଲଗାଗଲା ତାହାକୁ ନେଇ ପ୍ରଶ୍ନ ଉଠିଛି। ଏ ନେଇ ବି ଖୋଳତାଡ଼ ହେବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/ganjam-wine.jpg)