କଟକ : ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ସମ୍ମାନଜନକ ‘ଫକୀରମୋହନ ଭାଷା ସମ୍ମାନ’କୁ ସଂସ୍କୃତି ବିଭାଗ ଭୁଲିଗଲା କି? ସାହିତ୍ୟିକ, ସାହିତ୍ୟପ୍ରେମୀ, ବୁଦ୍ଧିଜୀବିଙ୍କୁ ଏ ପ୍ରଶ୍ନ ଏବେ ଆନ୍ଦୋଳିତ କରୁଛି। ୨୦୨୦ ସମ୍ମାନ ପ୍ରଦାନ କରାଯାଇ ନାହିଁ। ଏବେ ୨୦୨୧ ସମ୍ମାନ ପ୍ରଦାନ ପାଇଁ ଦରଖାସ୍ତ ଆହ୍ବାନର ସମୟ ଆସିଲାଣି। ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଏହି ସମ୍ମାନ ପ୍ରଦାନ ଦାୟିତ୍ବରେ ରହିଛି। କିନ୍ତୁ ଏଭଳି ଉଦାସୀନତା ଆଗକୁ ସମ୍ମାନ ପ୍ରଦାନର ଭବିଷ୍ୟତକୁ ନେଇ ଆଶଙ୍କା ସୃଷ୍ଟି କରିଛି।
ରାଜ୍ୟ ସରକାର ୨୦୧୮ ମସିହାରେ ଏହି ସମ୍ମାନ ପ୍ରଦାନ ପାଇଁ ନିଷ୍ପତ୍ତି ନେଇଥିଲେ। ବ୍ୟାସକବି ଫକୀରମୋହନ ସେନାପତିଙ୍କୁ ସମ୍ମାନ ଜଣାଇ ତାଙ୍କ ନାମରେ ଏହି ସମ୍ମାନ ପ୍ରଦାନ କରିବାକୁ ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ସେହି ଅନୁଯାୟୀ ୨୦୧୮ ଓ ୨୦୧୯ ବର୍ଷରେ ଫକୀରମୋହନଙ୍କ ଜୟନ୍ତୀରେ ସମ୍ମାନ ବି ପ୍ରଦାନ କରାଯାଇଥିଲା। ପରେ ୨୦୨୦ ପାଇଁ ସଂସ୍କୃତି ବିଭାଗ ନିର୍ଦ୍ଦେଶକଙ୍କ ପକ୍ଷରୁ ମନୋନୟନ ଆହ୍ବାନ କରି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଫକୀରମୋହନଙ୍କ ଉପରେ ଗବେଷଣା କରିଥିବା ବ୍ୟକ୍ତିବିଶେଷଙ୍କୁ ଏଥିପାଇଁ ଅଗ୍ରାଧିକାର ଦିଆଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା। ୧୮ ଡିସେମ୍ବର, ୨୦୨୦ରେ ଏଥିପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ଆବେଦନର ଶେଷ ତାରିଖ ଥିଲା ୫ ଜାନୁଆରି, ୨୦୨୧। କିନ୍ତୁ ପାଖାପାଖି ବର୍ଷେ ବିତିବାକୁ ବସିଥିବା ବେଳେ ଏଯାଏ ସମ୍ମାନ ପାଇଁ ନାମ ଘୋଷଣା ବି ହୋଇପାରିଲା ନାହିଁ। ପ୍ରତ୍ୟେକ ବର୍ଷ ଜାନୁଆରି ୧୩/୧୪ ଫକୀରମୋହନଙ୍କ ଜୟନ୍ତୀରେ ଏହି ସମ୍ମାନ ଦେବାର ଯୋଜନା ରହିଥିବା ବେଳେ ମାତ୍ର ୨ ବର୍ଷ ସମ୍ମାନ ଦିଆଯିବା ପରେ ତୃତୀୟ ବର୍ଷର ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମ କେଉଁ କାରଣରୁ ଅଟକି ଗଲା, ତାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/Vyasa-Kabi-Fakir-Mohan-Bhasa-Samman-Announced.jpg)