ଫକୀରମୋହନ ମେଡିକାଲ୍‌ କଲେଜ ଓ ହସ୍‌ପିଟାଲ୍‌: ୨୯ରୁ କାମ କରୁଛି ୧୪ ଆଇସିୟୁ

ବାଲେଶ୍ବର: ଫକୀରମୋହନ ମେଡିକାଲ କଲେଜ ହସ୍‌ପିଟାଲକୁ ପ୍ରତିଦିନ ପାଖାପାଖି ୪ ହଜାର ରୋଗୀ ଆସୁଛନ୍ତି। ଦିନେ ଦିନେ ପରିସ୍ଥିତି ଏମିତି ହେଉଛି, ଡାକ୍ତରଖାନା ପରିସରରେ ରୋଗୀ ଓ ତାଙ୍କ ସଂପର୍କୀୟଙ୍କ ଭିଡ଼କୁ ପାର୍କିଂ ସମସ୍ୟାକୁ ନିୟନ୍ତ୍ରଣ କରିବା ସୁରକ୍ଷାକର୍ମୀଙ୍କ ପକ୍ଷେ ମୁସ୍କିଲ ହୋଇଯାଉଛି। ତେବେ ରୋଗୀ ସଂଖ୍ୟା ଅନୁସାରେ ଡାକ୍ତରଖାନାର ଭିତ୍ତିଭୂମି କିନ୍ତୁ ସୁଧୁରୁନାହିଁ। ଆଜି ବି ରୋଗୀ ବେଡ୍‌ ପାଇବା ପାଇଁ ନାକେଦମ୍‌ ହେଉଛନ୍ତି, ରୋଗ ପରୀକ୍ଷାଠୁ ନେଇ ଡାକ୍ତରୀ ସେବା ପର୍ଯ୍ୟନ୍ତ ସବୁଠି ରୋଗୀଙ୍କୁ ହଇରାଣ ହେବାକୁ ପଡ଼ୁଛି।

ସାମାନ୍ୟ ଇସିଜି କରିବା ପାଇଁ ରୋଗୀଙ୍କୁ ଲମ୍ବା ଲାଇନ୍‌ ଲଗେଇବାକୁ ପଡ଼ୁଛି। ବର୍ତ୍ତମାନ ପରିସ୍ଥିତିରେ ଆଇସିୟୁକୁ ନେଇ ରୋଗୀ ହଟହଟା ହେଉଛନ୍ତି। ଏତେ ବଡ଼ ଡାକ୍ତରଖାନାରେ ଆବଶ୍ୟକ ମୁତାବକ ଯେତିକି ଆଇସିୟୁ ରହିବା କଥା ଏହାର ଅଧା ବି ନାହିଁ। ଯେତିକି ରହିଛି ସେଥିରୁ ପୁଣି କିଛି କାମ କରୁନାହିଁ। ଯାହାଫଳରେ ରୋଗୀଙ୍କୁ ଦରକାର ସମୟରେ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିଦିଆଯାଉଛି। ଆଇସିୟୁ ସେବା ପାଇବାରେ ବିଳମ୍ବକୁ ନେଇ ବହୁ ରୋଗୀ ଆଖି ବୁଜି ଦେଉଛନ୍ତି।

ନିୟମ ଦୃଷ୍ଟିରୁ ଡାକ୍ତରଖାନାରେ ଯେତିକି ରୋଗୀ ଶଯ୍ୟା ରହିବ, ସେହି ଅନୁସାରେ ୧୦ ପ୍ରତିଶତ ଆଇସିୟୁ ଶଯ୍ୟା ରହିବା କଥା। ଏହି ଅନୁସାରେ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ୭୭୦ ଶଯ୍ୟା ରହିଥିବା ବେଳେ ୭୭ ଆଇସିୟୁ ଶଯ୍ୟା ରହିବାର ବ୍ୟବସ୍ଥା କରାଯିବା କଥା। ହେଲେ ଏତେ ବଡ଼ ଡାକ୍ତରଖାନାରେ ମାତ୍ର ୧୪ଟି ଆଇସିୟୁ କାମ କରୁଥିବା ଜଣାଯାଇଛି। ଯଦିଓ ଡାକ୍ତରଖାନାରେ ମୋଟ ୨୯ଟି ଆଇସିୟୁ ରହିଛି। ଟ୍ରମା ବିଭାଗରେ ୧୦ଟି, ଭେଷଜ ବିଭାଗରେ ୬, ସେଣ୍ଟ୍ରାଲ ଆଇସିୟୁ ୮ଟି, କୋଭିଡ୍‌ ପାଇଁ ୫ଟି ଆଇସିୟୁ ରହିଛି, ଏଥିରୁ ମାତ୍ର ୧୪ଟି କାମ କରୁଥିବା ଜଣାପଡ଼ିଛି।

ଫଳରେ ଜରୁରୀକାଳୀନ ସମୟରେ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ପରିବର୍ତ୍ତେ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିଦିଆଯାଉଛି। ରୋଗୀଙ୍କ ସଂପର୍କୀୟ ବି କିଛି ଉପାୟ ନପାଇ ଜୀବନ ବିକଳରେ ବାଧ୍ୟ ହୋଇ କଟକ, ଭୁବନେଶ୍ବର ଦୌଡ଼ୁଛନ୍ତି। ଆଉ ଅଧିକ ଖର୍ଚ୍ଚାନ୍ତ ହୋଇ ସରକାରୀ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଲା, ବହୁ ସମୟରେ ଅଧା ରାସ୍ତାରେ ରୋଗୀ ପ୍ରାଣ ହରାଉଛନ୍ତି। ସମସ୍ୟା ବାବଦରେ ବାରମ୍ବାର ଅଭିଯୋଗ କରାଯାଉଥିବା ବେଳେ ଆଇସିୟୁ ଶଯ୍ୟା ସଂଖ୍ୟା ନ ବଢ଼ିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ। ଏ ସଂପର୍କରେ ଜିଲ୍ଲା ପ୍ରଶାସନଠୁ ନେଇ ରାଜନେତା ଓ ମନ୍ତ୍ରୀ ସମସ୍ତେ ଜାଣିଥିଲେ ବି କେହି ଗୁରୁତ୍ବ ଦେଇନାହାନ୍ତି। ସରକାରୀ ସ୍ବାସ୍ଥ୍ୟସେବା ପାଇବା ଆଶାରେ ପ୍ରତିଦିନ ଏମିତି ରୋଗୀ ହଟହଟା ହେଉଛନ୍ତି।

ସମ୍ବନ୍ଧିତ ଖବର