ଫକୀରମୋହନ ବିଶ୍ୱବିଦ୍ୟାଳୟ: ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଯୋଡ଼ିହେବ ନୂଆ ଅଧ୍ୟାୟ, ୭ ବିଶ୍ୱବିଦ୍ୟାଳୟ ସହ ସରିଲାଣି ଚୁକ୍ତିସ୍ୱାକ୍ଷର

ବାଲେଶ୍ୱର: ବାଲେଶ୍ୱର ଫକୀରମୋହନ ବିଶ୍ବବଦ୍ୟାଳୟ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ନୂଆ ଅଧ୍ୟାୟ ଯୋଡ଼ିଛି। ଦେଶ ତଥା ଦେଶ ବାହାରର ବିଭିନ୍ନ ବିଶ୍ବବିଦ୍ୟାଳୟ ସହ ପାଠପଢ଼ା ଓ ଗବେଷଣା ନେଇ ଚୁକ୍ତିସ୍ବାକ୍ଷର (ଏମ୍‌ଓୟୁ)କୁ ଗୁରୁତ୍ବ ଦିଆଯାଉଛି। ସାମାଜିକ, ସାଂସ୍କୃତିକ ତଥା ଶୈକ୍ଷିକ ଆଦାନପ୍ରଦାନ ଦୃଷ୍ଟିରୁ ଏହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ବିଚାର କରାଯାଉଛି। ଚୁକ୍ତି ଅନୁସାରେ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅନ୍ୟ ବିଶ୍ବବିଦ୍ୟାଳୟ ସହଭାଗିତାରେ ପାଠ ପଢ଼ିପାରିବେ ବୋଲି ଜଣାପଡ଼ିଛି।

ସୂଚନା ମୁତାବକ, ୪ ବର୍ଷରେ ୭ଟି ବିଶ୍ବବିଦ୍ୟାଳୟ ସହ ଏଫ୍‌ଏମ୍‌ ବିଶ୍ବବିଦ୍ୟାଳୟର ଚୁକ୍ତି ସ୍ବାକ୍ଷର ହୋଇଛି। ୨୦୧୮ ମସିହାରେ ତୁର୍କୀ ବିଶ୍ବବିଦ୍ୟାଳୟ ଓ କାଜାଖସ୍ତାନ ବିଶ୍ବବିଦ୍ୟାଳୟ, ୨୦୨୧ ମସିହାରେ କୋକାଣ୍ଡ ଉଜ୍‌ବେକିସ୍ତାନ ବିଶ୍ବବିଦ୍ୟାଳୟ, କିଟ୍‌ ବିଶ୍ବବିଦ୍ୟାଳୟ, ଝାଡ଼ଖଣ୍ଡର କୋହ୍ଲାନ୍ ବିଶ୍ବବିଦ୍ୟାଳୟ ପ୍ରମୁଖ ତଥା ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ୍ଚ ଏବଂ ଭୁବନେଶ୍ବର ସୃଷ୍ଟି ଏକାଡେମୀ ଅଫ୍‌ ମ୍ୟାନେଜମେଣ୍ଟ ସହ ଚୁକ୍ତିସ୍ବାକ୍ଷର କରାଯାଇଛି।

admission.icnn.in

ତେବେ ଝାଡ଼ଖଣ୍ଡର କୋହ୍ଲାନ୍ ବିଶ୍ବବିଦ୍ୟାଳୟ ସହ ହୋଇଥିବା ଚୁକ୍ତିସ୍ବାକ୍ଷର ଏଫ୍‌ଏମ୍‌ ବିଶ୍ବବିଦ୍ୟାଳୟ ତଥା କୋହ୍ଲାନ୍ ବିଶ୍ବବିଦ୍ୟାଳୟ ପାଇଁ ବେଶ୍‌ ଗୁରୁତ୍ବ ବହନ କରୁଛି। କୋହ୍ଲାନ୍ ବିଶ୍ବବିଦ୍ୟାଳୟରେ ଜନଜାତି ପାଠ୍ୟକ୍ରମ ଥିବା ବେଳେ ଜନଜାତିଙ୍କ ଉପରେ ବହୁ ଗବେଷଣା ହେଉଛି। ଫକୀରମୋହନ ବିଶ୍ବବିଦ୍ୟାଳୟରେ ଏହି ପାଠ୍ୟକ୍ରମ ନାହିଁ। କିନ୍ତୁ ଏଠାରେ ସାମାଜିକ ବିଜ୍ଞାନ ବିଭାଗର ଅଧ୍ୟାପକ ଅଛନ୍ତି। ଯେଉଁମାନେ ଚୁକ୍ତି ଅନୁସାରେ କୋହ୍ଲାନ୍ ବିଶ୍ବବିଦ୍ୟାଳୟକୁ ଯାଇ ସଂପୃକ୍ତ ପାଠ୍ୟକ୍ରମରେ ଶିକ୍ଷାଦାନ କରିପାରିବେ। କେବଳ ସେତିକି ନୁହେଁ, ଆବଶ୍ୟକ ସ୍ଥଳେ କୋହ୍ଲାନ୍ ବିଶ୍ବବିଦ୍ୟାଳୟକୁ ଯାଇ ସେଠିକାର ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଏଫ୍‌ଏମ୍‌ ବିଶ୍ବବିଦ୍ୟାଳୟର ବିଭିନ୍ନ ବିଭାଗୀୟ ଅଧ୍ୟାପକ ଅଧ୍ୟାପିକାମାନେ ପାଠ ପଢ଼ାଇପାରିବେ।

ଅନ୍ୟପକ୍ଷରେ ଏଫ୍‌ଏମ୍‌ ବିଶ୍ବବିଦ୍ୟାଳୟ ପକ୍ଷରୁ ନିକଟରେ ଆରମ୍ଭ ହୋଇଛି ଧାନ, ପାନ, ମୀନ କ୍ଷେତ୍ରରେ ଗବେଷଣା। ଏହି ଗବେଷଣା ପାଇଁ ସେମିନାର୍‌ ଜରିଆରେ ଅନ୍ୟ ବିଶ୍ବବିଦ୍ୟାଳୟର ଜ୍ଞାନକୌଶଳ ଶିକ୍ଷା କରାଯାଉଛି। କେବଳ ଧାନ, ପାନ ଓ ମୀନ ନୁହେଁ; ଅନ୍ୟ ଏକାଧିକ କ୍ଷେତ୍ରରେ ଗବେଷଣା ନେଇ ଗୁରୁତ୍ବ ଦିଆଯାଇଛି। ବିଶେଷ କରି ଗବେଷଣା କ୍ଷେତ୍ରରେ ପ୍ରତ୍ନତତ୍ତ୍ୱ ବିଭାଗକୁ ଅଧିକ ସକ୍ରିୟ କରାଯିବା ପାଇଁ ଉଦ୍ୟମ ଚାଲିଛି। ଏଥିପାଇଁ ଦିଲ୍ଲୀ ରାମନୁଜନ କଲେଜ ସହ ଏଫ୍‌ଏମ୍‌ ବିଶ୍ବବିଦ୍ୟାଳୟ ଚୁକ୍ତି କରିବ ବୋଲି କୁଳପତି ପ୍ରଫେର ସନ୍ତୋଷ କୁମାର ‌ତ୍ରିପାଠୀ କହିଛନ୍ତି।

ସମ୍ବନ୍ଧିତ ଖବର