ଫକୀରମୋହନ ବିଶ୍ବବିଦ୍ୟାଳୟ କୁଳପତି ଦୌଡ଼: ସଂକ୍ଷିପ୍ତ ତାଲିକାରେ ୧୧ ପ୍ରଫେସର, ୧୪ରେ ସାକ୍ଷାତକାର

ଭୁବନେଶ୍ବର : ଫକୀରମୋହନ ବିଶ୍ବବିଦ୍ୟାଳୟ କୁଳପତି ଚୟନ ପ୍ରକ୍ରିୟା ଆଉ ପାଦେ ‌ଆଗେଇଛି। ମେ’ ୨୧ରେ ଆବେଦନ ପ୍ରକ୍ରିୟା ସରିବା ପରେ କୁଳପତି ଦୌଡ଼ରେ ୪୬ଜଣ ପ୍ରଫେସର୍‌ ରହିଥିଲେ। ତେବେ ସଂକ୍ଷିପ୍ତ ତାଲିକାରେ ଏବେ ମାତ୍ର ୧୧ଜଣ ଅଛନ୍ତି। ସେମାନଙ୍କ ମଧ୍ୟରୁ ଉତ୍କଳ ବିଶ୍ବବିଦ୍ୟାଳୟର ଅବସରପ୍ରାପ୍ତ ଓ ବର୍ତ୍ତମାନର ପ୍ରଫେସର୍‌ଙ୍କୁ ମିଶାଇ ମୋଟ ୩ଜଣ ରହିଥିବା ବେଳେ ସମ୍ବଲପୁର ଓ ଫକୀରମୋହନ ବିଶ୍ବବିଦ୍ୟାଳୟର ଜଣେ ଲେଖାଏଁ ‌ଏହି ସଂକ୍ଷିପ୍ତ ତାଲିକାରେ ସ୍ଥାନ ପାଇଛନ୍ତି। ରାଜ୍ୟ ବାହାର କେତେଜଣ ପ୍ରଫେସର୍‌ ମଧ୍ୟ ତାଲିକାରେ ରହିଥିବା ଜଣାପଡ଼ିଛି।

ଆସନ୍ତା ୧୪ ତାରିଖରେ ଭାରପ୍ରାପ୍ତ କୁଳପତି ପ୍ରଫେସର୍‌ କିଶୋର ବାସାଙ୍କ ସମୟ ଅବଧି ଶେଷ ହେଉଛି। ତା’ ପୂର୍ବରୁ କୁଳପତି ଚୟନ ସାରିବାକୁ ଲକ୍ଷ୍ୟ ରଖାଯାଇଥିଲେ ମଧ୍ୟ ତାହା ଫଳପ୍ରଦ ହୋଇପାରିନାହିଁ। ଆହୁରି କିଛି ଦିନ ବିଳମ୍ବ ହେବ ବୋଲି କୁହାଯାଉଛି। କାରଣ କୁଳପତି ଚୟନ ପାଇଁ ୩ ଜଣିଆ ସର୍ଚ୍ଚ କମିଟି ଇତିମଧ୍ୟରେ ଗଠନ ହୋଇଛି। ଯେଉଁଥିରେ ରାଜ୍ୟପାଳ, ୟୁଜିସି ଓ ରାଜ୍ୟ ସରକାରଙ୍କ ପ୍ରତିନିଧି ରହିଛନ୍ତି। ରାଜ୍ୟପାଳଙ୍କ ପ୍ରତିନିଧି କମିଟିର ଅଧ୍ୟକ୍ଷ ରହିଛନ୍ତି। କମିଟିର ପ୍ରଥମ ବୈଠକ ଶେଷ ହୋଇଛି। ଆସନ୍ତା ୧୪ ତାରିଖରେ ସଂକ୍ଷିପ୍ତ ତାଲିକାରେ ଥିବା ୧୧ଜଣ ପ୍ରଫେସର୍‌ଙ୍କ ସାକ୍ଷାତକାର ନିଆଯିବ। ଭୁବନେଶ୍ବରରେ ହେବାକୁ ଥିବା ଏହି ସାକ୍ଷାତକାର ପରେ ଚୟନ କମିଟିର ସଦସ୍ୟମାନେ ୩ଜଣଙ୍କ ନାମ ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟ କୁଳାଧିପତିଙ୍କ ନିକଟକୁ ପଠାଇବେ। କୁଳାଧିପତି ଉକ୍ତ ୩ଜଣଙ୍କ ସାକ୍ଷାତକାର ନେବା ପରେ ଜଣଙ୍କୁ କୁଳପତି ଭାବେ ମନୋନୀତ କରିବେ। ୧୪ରେ ଭାରପ୍ରାପ୍ତ କୁଳପତି ପ୍ରଫେସର୍‌ ବାସାଙ୍କ ସମୟ ଅବଧି ସରୁଥିବାରୁ ଯେତେଶୀଘ୍ର ସମ୍ଭବ କୁଳପତି ଚୟନ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ରାଜଭବନ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର