ଟାଙ୍ଗୀ : କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ବଇଁଚୁଆରେ ଆଜି ଫଲକ୍‌ନାମା ଏକ୍ସ‌େପ୍ରସ୍‌ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହୋଇଛି। ‌‌ଟ୍ରେନ୍‌ର ‌ଗୋଟିଏ ବଗି ରେଳଲାଇନ୍‌ରୁ ଖସି ପ୍ରାୟ ଅଧ କିଲୋମିଟର୍‌ ପର୍ଯ୍ୟନ୍ତ ଘୋଷାଡ଼ି ହୋଇ ଅଟକି ଯାଇଥି‌ଲା। ଫଳରେ ଟ୍ରେନ୍‌ଟି ବଡ଼ଧରଣର ଦୁର୍ଘଟଣାରୁ ରକ୍ଷା ପାଇଯାଇଛି। ଟ୍ରେନ୍‌ର ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ମଧ୍ୟ ସୂଚନା ମିଳିଛି।

Advertisment

ଆଜି ଅପରାହ୍ନ ୨ଟା୧୦ରେ ଏହି ଦୁର୍ଘଟଣା ଘଟିଛି। ସିକନ୍ଦରାବାଦରୁ ହାୱଡ଼ା ଅଭିମୁଖେ ଯାଉଥିବା ଫଲକ୍‌ନାମା ଏକ୍ସପ୍ରେସ୍‌ ଟ୍ରେନ୍‌ (ନଂ-୧୨୭୦୪) ଟାଙ୍ଗୀସ୍ଥିତ କପିଳାସରୋଡ୍‌ ରେଳଷ୍ଟେସନ୍‌ ଅତିକ୍ରମ କରିବା ପରେ ଝାଡ଼େଶ୍ବରକଡ଼େଇ ପିଏଚ୍‌ ପୂର୍ବରୁ ଲାଇନ୍‌ଚ୍ୟୁତ ହୋଇଥିଲା। ଉଚ୍ଚପଦା ପଞ୍ଚାୟତର ବଇଁଚୁଅାଁଠାରେ ଟ୍ରେନ୍‌ର ଶେଷ ବଗି (ନଂ-୦୧୭୨୬) ହଠାତ୍‌ ଲାଇନ୍‌ରୁ ଖସିବା ସହ ଝଟ୍‌କା ଖାଇ ଅଧ କିମି ପର୍ଯ୍ୟନ୍ତ ଘୋଷାଡ଼ି ହୋଇ ଚାଲିଥିଲା। ଏ ସମ୍ପର୍କରେ ଶେଷ ବଗିରେ ଥିବା ରେଳ କର୍ମଚାରୀଙ୍କଠାରୁ ସୂଚନା ପାଇ ଡ୍ରାଇଭର୍‌ ସଂଗେ ସଂଗେ ଟ୍ରେନ୍‌ ଅଟକାଇ ଦେଇଥିଲେ। ଫଳରେ ବଗିଗୁଡ଼ିକ ଓଲଟିବାରୁ ରକ୍ଷା ପାଇଯାଇଥିଲା। ବଡ଼ଧରଣର ଦୁର୍ଘଟଣାରୁ ଟ୍ରେନ୍‌ ରକ୍ଷା ପାଇଯାଇଥିବା ଜଣାପଡ଼ିବା ପରେ ରେଳଯାତ୍ରୀମାନେ କିଛି ସମୟ ହୋ-ହଲ୍ଲା କରୁଥିବା ଦେଖାଯାଇଥିଲା।

ଖବର ପାଇ ରେଳ ବିଭାଗର ବରିଷ୍ଠ ଅଧିକାରୀ, ଇଞ୍ଜିନିୟର୍‌, ରେଳବାଇ ପୁଲିସ୍‌, ନିକଟସ୍ଥ ଷ୍ଟେସନ୍‌ ମାଷ୍ଟର୍‌ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ପଛରେ ଥିବା ଦୁଇଟି ବଗିକୁ ଅଲଗା କରାଯିବା ପରେ ଟ୍ରେନ୍‌ ଗନ୍ତବ୍ୟସ୍ଥଳକୁ ମୁହାଁଇଥିଲା। ଟ୍ରେନ୍‌ ଲାଇନ୍‌ଚ୍ୟୁତ ହେବାର କାରଣ ଜଣାପଡ଼ିନାହିଁ। ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ କୌଣସି ମତାମତ ମିଳିପାରି ନାହିଁ। ଅପରପକ୍ଷରେ ଦୀର୍ଘ ସମୟ ଟ୍ରେନ୍‌ ଅଟକିବାରୁ କିଛି ଯାତ୍ରୀ ନିକଟସ୍ଥ ୧୬ ନମ୍ବର ଜାତୀୟ ରାଜପଥର ବଇଁଚୁଅାଁ ଛକରୁ ବସ୍‌ରେ ଯାଇଥିବା ଜଣାପଡ଼ିଛି।