ଅଭାବୀ ବିକ୍ରି : ରାସ୍ତା କଡ଼ରେ ଗଡ଼ୁଛି ବାଇଗଣ

ଗୋରୁ ଖାଉଛନ୍ତି, ବାଟୋଇ ନେଉଛନ୍ତି

ବରଗଡ଼/ଅମ୍ବାଭୋନା : ଅସ୍ବାଭାବିକ ପାଣିପାଗ ଯୋଗୁଁ ଉଜୁଡ଼ିବାକୁ ଲାଗିଛି ବରଗଡ଼ ଜିଲ୍ଲାର ଚାଷବାସ। ବର୍ଷା ନିୟମିତ ହେଉନଥିବାରୁ ଲଘୁଚାପ ବର୍ଷା ଭରସାରେ ଚାଲିଛି ଚାଷ କାମ। ଏଥର ଠିକଣା ସମୟରେ ବର୍ଷା ହେବାରୁ ଗତବର୍ଷ ତୁଳନାରେ ଚାଷ ଭଲ ହୋଇଛି। ପୂର୍ବ ବର୍ଷର କ୍ଷୟକ୍ଷତି ଭରଣା କରିବାକୁ ଚାଷୀ ପରିବା ଚାଷ ଉପରେ ମନ ବୋଳାଇଛି। କିନ୍ତୁ ଅଭାବୀ ବିକ୍ରି ଯୋଗୁଁ ପରିବା ଚାଷ ମଧ୍ୟ ଚାଷୀ ପାଇଁ କାଳ ସାଜିଛି। ଅମ୍ବାଭୋନା ବ୍ଲକ ଖୋଲା, ଉତ୍ତମ ଏବଂ ଲଖନପୁର ପଞ୍ଚାୟତରେ ଏଭଳି ଦୃଶ୍ୟ ସାମନାକୁ ଆସିଛି।

ଏହି ତିନି ପଞ୍ଚାୟତରେ ଚକ୍ରାମାଲ, ହାତୀଖୋଜା, ଖୁଲା, ତିଲେଇମାଲ, ବାବେବିରା ଆଦି ଗାଁରେ ପର୍ଯ୍ୟାପ୍ତ ବାଇଗଣ ଚାଷ ହୋଇଛି। ପ୍ରାୟ ଶହେ ଏକର ଜମିରେ ବାଇଗଣ ଫଳିଛି। କିନ୍ତୁ ବିକ୍ରି ବେଳକୁ ଚାଷୀ ନିଜ ଖର୍ଚ୍ଚ ହିସାବରେ ପାଉଣା ପାଇନାହିଁ। ବେପାରୀମାନେ ମୂଲଚାଲ କରିବାକୁ ବିଲରେ ପହଂଚି ଯାଉଛନ୍ତି। ବାଇଗଣ କିଲୋ ପିଛା ମାତ୍ର ୫ରୁ ୬ଟଙ୍କା ଦରରେ ସେମାନେ ଚାଷୀଙ୍କ ଠାରୁ କିଣୁଛନ୍ତି। ଯାହା ଖୋଲା ବଜାରରେ ୨୦ରୁ ୩୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। ଅନ୍ୟପକ୍ଷରେ ଚାଷୀର ସବୁତକ ବାଇଗଣ ବିକ୍ରି ହେଉନାହିଁ। ଅଧିକାଂଶ ବିଲରେ ବାଇଗଣ ସଢ଼ିବାକୁ ଲାଗିଛି। ଆଉ କିଛି ସ୍ଥାନରେ ଚାଷୀ ରାସ୍ତା କଡ଼ରେ ଶହଶହ କିଲୋ ବାଇଗଣ ପକାଇ ଦେଇଛନ୍ତି। ସ୍ଥିତି ଏଭଳି ଯେ ବାଇଗଣକୁ ଗାଈଗୋରୁ ଖାଉଛନ୍ତି। ବାଟୋଇମାନେ ମଧ୍ୟ ମନଇଚ୍ଛା ବାଇଗଣ ଗୋଟାଇ ଘରକୁ ନେଉଛନ୍ତି। ବଜାର ସୁବିଧା ପାଉନଥିବାରୁ ଚାଷୀମାନେ ସ୍ବଳ୍ପ ଦରରେ ଦଲାଲ କିମ୍ବା ବେପାରୀଙ୍କୁ ବାଇଗଣ ଦେଉଥିବା କହୁଛନ୍ତି। ଲଙ୍କା ଚାଷ ମଧ୍ୟ ସମାନ ଅବସ୍ଥା ଦେଇ ଗତି କରୁଛି। ଲଙ୍କା ଏବଂ ବାଇଗଣ ଚାଷ ପାଇଁ ଯେତିକି ଖର୍ଚ୍ଚ ହେଉଛି, ତାହାର ଅଧେ ଦାମ୍ ବି ମିଳୁନଥିବା ଚା‌ଷୀ କହୁଛନ୍ତି।

ସମ୍ବନ୍ଧିତ ଖବର