ଚାଷୀଙ୍କୁ ଏବେ ବିଲାତି ବୋଝ : ଦର ଖସିଲା, ଅଭାବୀ ବିକ୍ରି ଆରମ୍ଭ

ସମ୍ବଲପୁର : ପ୍ରତି ବର୍ଷ ଭଳି ଏଥର ବି ଖସିବା ଆରମ୍ଭ କରିଛି ବିଲାତି ବାଇଗଣ (ପାତଲଘଣ୍ଟା)ର ଦାମ। ବର୍ତ୍ତମାନ ସମ୍ବଲପୁର ବଜାରରେ ବିଲାତି କିଲୋ ୧୦ ଟଙ୍କାରେ ବିକ୍ରି ହେଉଥିଲାବେଳେ ଚାଷୀକୁ ମିଳୁଛି କିଲୋ ପିଛା ୫ ଟଙ୍କା ମାତ୍ର। ଗ୍ରାମ୍ୟ ବଜାର ମାନଙ୍କରେ ଚାଷୀମାନେ ନିଜେ ସିଧାସଳଖ ବିକ୍ରି କରୁଥିଲେ ବି ଦାମ ୫ ଟଙ୍କାରୁ ଅଧିକ ହେଉ ନାହିଁ।

୧୦ ଦିନ ତଳେ ସ୍ଥିତି କିନ୍ତୁ ଭିନ୍ନ ଥିଲା। ଚାଷୀଙ୍କୁ ବିଲାତି କିଲୋ ପିଛା ୧୦ ଟଙ୍କା ମିଳୁଥିଲା। କିନ୍ତୁ ଗରମ ପଡ଼ିବା ମାତ୍ରେ କ୍ଷେତରେ ଅଧିକ ପରିମାଣରେ ବିଲାତି ପାଚିବା ଆରମ୍ଭ କରିଛି। ଫଳରେ ଏହାର ମୂଲ୍ୟ ଖସିଛି। ବର୍ତ୍ତମାନ ପରିବା ଚାଷ ହେଉଥିବା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରଚୁର ପରିମାଣରେ ବିଲାତି ଅମଳ ହେବା କାରଣରୁ ଦର ମଧ୍ୟ ଆଶାତୀତ ଭାବେ ଖସିବାରେ ଲାଗିଛି। ପୂର୍ବରୁ ଦାମ ଅଧିକ ଥିଲାବେଳେ ବେପାରୀମାନେ ଯାଇ ଚାଷୀ ପାଖରୁ ବିଲାତି ଆଣୁଥିଲେ। କିନ୍ତୁ ଏବେ ଚାଷୀଙ୍କୁ ନିଜ ଖର୍ଚ୍ଚରେ ସହରକୁ ବିଲାତି ଆଣି ବେପାରୀଙ୍କୁ ଦେବାକୁ ପଡ଼ୁଛି। ଫଳରେ ସେମାନେ ନାମକୁ ମାତ୍ର ମୂଲ୍ୟ ପାଉଛନ୍ତି।

ଜିଲ୍ଲାରେ ଶୀତଳଭଣ୍ଡାର ନଥିବାରୁ କ୍ଷେତରେ ବିଲାତି ପାକଳ ହେବାର ଦିନେ ଦୁଇ ଦିନ ମଧ୍ୟରେ ତାକୁ ବିକ୍ରି କରିବାକୁ ପଡ଼ିଥାଏ। ନଚେତ ଏହା ସଢ଼ି ନଷ୍ଟ ହୋଇଯାଏ। ବିଲାତି ଏଭଳି ଏକ ପରିବା ଯାହା ଏକା ସାଙ୍ଗରେ ବହୁ ପରିମାଣରେ ପାଚିଥାଏ। ଫଳରେ ସେଭଳି ସ୍ଥିତିରେ ଚାଷୀ ବାଧ୍ୟ ହୋଇ କମ୍ ମୂଲ୍ୟରେ ବିକ୍ରି କରିଥାଏ। ପ୍ରତି ବର୍ଷ ବିଲାତି ଦର ହ୍ରାସ ପାଇ କିଲୋ ପିଛା ୧ ଟଙ୍କା ପର୍ଯ୍ୟନ୍ତ ଯାଇଥାଏ। ଏଥର ବି ଦର ଖସିବା ଆରମ୍ଭ କରିଥିବାରୁ ଆଉ କିଛି ଦିନ ମଧ୍ୟରେ ସେହି ସ୍ଥିତି ସୃଷ୍ଟି ହେବା ଆଶଂକା ରହିଛି। ଏଭଳି ସ୍ଥିତି ହେଲେ ପରିବହନ ଖର୍ଚ୍ଚ ବାହାରୁ ନଥିବାରୁ ଚାଷୀମାନେ ବାଧ୍ୟ ହୋଇ ନିଜ ‌କଷ୍ଟୋପାର୍ଜିତ ପରିବାକୁ ନାମମାତ୍ର ମୂଲ୍ୟରେ ବେପାରୀଙ୍କ ହାତରେ ଟେକି ଦେବେ ନଚେତ କ୍ଷେତରେ ସଢ଼ିବା ପାଇଁ ଛାଡ଼ି ଦେବାକୁ ବାଧ୍ୟ ହେବେ। ମାନେଶ୍ବର ବ୍ଲକ ବଦୁଆପାଲି ଗାଁର ଜଣେ ଚାଷୀଙ୍କ ଅନୁଯାୟୀ ବିଲାତି ଏବେ ସେମାନଙ୍କ ପାଇଁ ବୋଝ ପାଲଟି ଗଲାଣି। ପ୍ରତି ବର୍ଷ ଏହାର ସଂରକ୍ଷଣ ଓ ବଜାର ସୃଷ୍ଟି ପାଇଁ ଦାବି ହେଉଥିଲେ ବି କେହି କର୍ଣ୍ଣପାତ କରୁ ନାହାନ୍ତି।

ସମ୍ବନ୍ଧିତ ଖବର