ସୋନପୁର/ଖାରୀ/ଲଛିପୁର: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ୍ ମୟୂରଉଡ଼ାନ ପଞ୍ଚାୟତର କଇଁଫୁଲ ଗାଁରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଏକ ଖୋଲା ନଳକୂଅ ଗାତରେ ପଡ଼ି ଖଲିଆପାଲି ପଞ୍ଚାୟତ ଗୋବିନ୍ଦପୁର ଗାଁର ଦୁଃଖୀ ନେଗୀ (୭୦ବର୍ଷ) ନାମ୍ନୀ ଜଣେ ଗରିବ ବୃଦ୍ଧା ପ୍ରାଣ ହରାଇଛନ୍ତି। ଓଡ୍ରାଫ ଟିମ୍ ଓ ଅଗ୍ନିଶମ ବିଭାଗର ଦୀର୍ଘ ୫ ଘଣ୍ଟାଧରି ଅକ୍ଳାନ୍ତ ପରିଶ୍ରମ ପରେ ପ୍ରାୟ ୨୦ ଫୁଟ୍ ତଳୁ ଗାତରୁ ଦୁଃଖୀଙ୍କୁ ଉଦ୍ଧାର କରାଯାଇଥିଲେ ହେଁ ତାଙ୍କୁ ବଞ୍ଚାଇ ରଖିବା ସମ୍ଭବ ହୋଇପାରିଲାନାହିଁ। ଉଠା ଜଳସେଚନ ବିଭାଗ ପକ୍ଷରୁ ଏହି ନଳକୂଅଟି ଖୋଳାଯାଇ ଖୋଲା ଛାଡ଼ିଦିଆଯାଇଥିବାରୁ ଗରିବ ବୃଦ୍ଧାଙ୍କ ଜୀବନ ଗଲା ବୋଲି ଅଂଚଳବାସୀଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ସମଗ୍ର ରାଜ୍ୟରେ ଏଭଳି ଅଘଟଣ ପ୍ରଥମ ହୋଇଥିବାରୁ ପ୍ରଶାସନ ପକ୍ଷରୁ ଘଟଣାର ବିଧିବଦ୍ଧ ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।
ସୂଚନା ଅନୁଯାୟୀ, ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ଗୋବିନ୍ଦପୁର ଗାଁର ବିଧବା ବୃଦ୍ଧା ଦୁଃଖୀ ପ୍ରାୟ ୨ ମାସ ହେବ ମଲ୍ଲିକମୁଣ୍ଡା ପଞ୍ଚାୟତ କସୁରପାଲି ଗ୍ରାମସ୍ଥିତ ତାଙ୍କ ଝିଅଘରେ ଆସି ରହୁଥିଲେ। ସେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଝାଡ଼ୁ ତିଆରି କରି ସେଥିରୁ ଉପାର୍ଜିତ ଟଙ୍କାରେ ନିଜ ଖର୍ଚ୍ଚ ଉଠାଉଥିଲେ। ଗତକାଲି ସୋମବାର ସକାଳୁ ଦାଆ ଧରି ଝାଡ଼ୁ ତିଆରି ପାଇଁ ବେରଣି କାଟିବାକୁ ନିକଟସ୍ଥ କଇଁଫୁଲ ଗ୍ରାମକୁ ଯାଇଥିଲେ। ଫେରିବାରେ ବିଳମ୍ବ ହେବାରୁ ଗତକାଲି ପରିବାର ଲୋକେ ଏବଂ ଗ୍ରାମବାସୀ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କ ପତ୍ତା ପାଇନଥିଲେ। ମଙ୍ଗଳବାର ସକାଳୁ ପୁଣି ଖୋଜାଖୋଜି କରୁଥିବା ବେଳେ ଏକ ଜମିରେ ପରିତ୍ୟକ୍ତ ଅବସ୍ଥାରେ ଥିବା ଏକ ଖୋଲା ନଳକୂଅ ଗାତ ନିକଟରେ ଦାଆ ଓ କଟା ବେରଣି ଗୋଛା ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାପରେ ଏହି ନଳକୂଅ ଗାତକୁ ଦେଖିବାରୁ ତାହା ମଧ୍ୟରେ ଦୁଃଖୀ ଗଳିପଡ଼ିଥିବା ଜାଣିବାକୁ ପାଇଥିଲେ।
ଖବର ପାଇ ଓଡ୍ରାଫ୍ ଟିମ୍, ସୋନପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଚାରିପଟେ କର୍ଡନ କରି ନଳକୂଅ ଥିବା ସ୍ଥାନରେ ସମାନ୍ତରାଳ ଭାବେ ଆଉ ଏକ ଗାତ ଖୋଳାଯାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ବୃଦ୍ଧା ପଡ଼ିଥିବା ବୋର୍ୱେଲ ମଧ୍ୟକୁ ପାଇପ ଯୋଗେ ଅକ୍ସିଜେନ ପଠାଯାଇଥିଲା। ୫ ଘଣ୍ଟାର କସରତ ପରେ ବୃଦ୍ଧାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିବା ଚିକିତ୍ସା କରିଥିବା ଡାକ୍ତର ସୂଚନା ଦେଇଥିଲେ। ଏହି ଖବର ପାଇ ସ୍ଥାନୀୟ ବିଧାୟକ ତଥା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଏସ୍ପି ଅମରେଶ ପଣ୍ଡା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ। କେଉଁ ପରିସ୍ଥିତିରେ ନଳକୂଅର ଗାତ ଖୋଲା ପଡ଼ିଥିଲା ତାହାର ବିଧିବଦ୍ଧ ତଦନ୍ତ ହେବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ସେହିପରି ଏସ୍ପି ଶ୍ରୀ ପଣ୍ଡା ମଧ୍ୟ ଘଟଣାର ତଦନ୍ତ କରାଯାଇ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଥିଲେ।
ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରଥମଥର ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଥିବାରୁ ସମ୍ପୃକ୍ତ ବିଭାଗର ଖାମଖିଆଲି ମନୋଭାବକୁ ଦାୟୀ କରିଛନ୍ତି ଅଞ୍ଚଳବାସୀ। ଦୁଃଖୀଙ୍କ ପରିବାର ଲୋକେ ଅତି ଗରିବ ହୋଇଥିବାରୁ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ବିଭିନ୍ନ ମହଲରୁ ଦାବି ହୋଇଛି। ଘଟଣାସ୍ଥଳରେ ସୋନପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ, ବିଡିଓ ସୌମ୍ୟରଞ୍ଜନ ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ। ଏ ସମ୍ପର୍କରେ ସୋନପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଚାଲିଥିବା ଆଇଆଇସି ପଦ୍ମାସିନୀ ମେହେର ସୂଚନା ଦେଇଛନ୍ତି। ଏହାଛଡ଼ା ସ୍ଥାନୀୟ ସଚେତନ ନାଗରିକମାନେ ମଧ୍ୟ ଉଠାଜଳସେଚନ ବିଭାଗର ଅଧିକାରୀମାନଙ୍କ ବିରୋଧରେ ଏତଲା ଦେଇ ସେମାନଙ୍କ ଗିରଫ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/sfhfshfhfhfhs.jpg)