ଶାଳଚୁଆ/କପ୍ତିପଦା: ଘରର କାନ୍ଥ ଭୁଶୁଡ଼ି ପତ୍ନୀଙ୍କ ମୃତ୍ୟୁ ଘଟିଥିବା ବ‌େଳେ ସ୍ବାମୀ ଓ ଶିଶୁକନ୍ୟା ଗୁରୁତର ଆହତ ହୋଇଛନ୍ତି। ସେହିପରି ଅନ୍ୟଜଣେ ଶିଶୁପୁତ୍ର ଅଳ୍ପକେ ବର୍ତ୍ତିଯାଇଛନ୍ତି। ଗତକାଲି ରାତିରେ କପ୍ତିପଦା ବ୍ଲକ୍‌ ଅନ୍ତର୍ଗତ ମଝିଗଡ଼ିଆ ପଞ୍ଚାୟତ ଅଧୀନ ଭେଜିଡ଼ିହା ଗ୍ରାମର ଘାସିରାମ ମହାକୁଡ଼ ଓ ପତ୍ନୀ ପେଲାନ ମହାକୁଡ଼ଙ୍କ ସହ ତାଙ୍କ ୮ ମାସର ଶିଶୁକନ୍ୟା ଓ ଅଢ଼େଇ ବର୍ଷର ଶିଶୁପୁତ୍ର ଶୋଇଥିଲେ। ରାତି ପ୍ରାୟ ୨ଟା ବେଳେ ବର୍ଷାରେ ଓଦା ହୋଇ ଘରର କାନ୍ଥ ସେମାନଙ୍କ ଉପରେ ଭୁଶୁଡ଼ି ପଡ଼ିଥିଲା।

Advertisment

ଏନେଇ ଜାଣିବା ପରେ ଗ୍ରାମବାସୀ ସମସ୍ତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଉଦଳା ଡାକ୍ତରଖାନା ନେଇଥିଲେ। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ପେଲାନଙ୍କ ମୃତ୍ୟୁ ଘଟିଥିଲା। ଘାସିରାମ ଓ ଶିଶୁକନ୍ୟାଟି ବର୍ତ୍ତମାନ ଗୁରୁତର ଥିବା ବେଳେ ଶିଶୁପୁତ୍ରଟି ସୁରକ୍ଷିତ ଥିବା ଜଣାପଡ଼ିଛି। ମଝିଗଡ଼ିଆ ପଞ୍ଚାୟତର ସରପଞ୍ଚ ଶାନ୍ତିଲତା ନାଏକ, ଆର୍‌ଆଇ ଦୀପକ କୁମାର ଟୁଡୁ  ‌ଭେଜିଡ଼ିହା ଗାଁରେ ପହଞ୍ଚି ତଦନ୍ତ କରିଛନ୍ତି। ଘାସିରାମଙ୍କ ପରିବାରକୁ ପଲିଥିନ୍‌ ସହ ହରିଶ୍ଚନ୍ଦ୍ର ଯୋଜନାର ଅର୍ଥରାଶି ପ୍ରଦାନ କରାଯାଇଛି। ପରେ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ମିଳିବ ବୋଲି କପ୍ତିପଦା ତହସିଲଦାର ସମରଜିତ କର ସୂଚନା ଦେଇଛନ୍ତି।