ଭୁବନେଶ୍ବର: ବିଧାନସଭାରେ ଉଠିଲା ଚାଷୀ ଓ ଅନଲାଇନ୍ ଧାନକିଣା ପ୍ରସଙ୍ଗ । ଏହି ପ୍ରସଙ୍ଗରେ ଆଜି ବିଧାନସଭାର ପ୍ରଶ୍ନକାଳ ଚାଲିପାରିନାହିଁ । କଂଗ୍ରେସ ବିଧାୟକମାନେ ନିଜ ଆସନରେ ଛିଡା ହୋଇ ପ୍ରତିବାଦ କରିଛନ୍ତି । ହଟ୍ଟଗୋଳ ଓ ନାରାବାଜି ଯୋଗୁଁ ବାଚସ୍ପତି ଗୃହକୁ ୩ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି । ଖାସକରି ମଣ୍ଡିରେ ଧାନ ବିକ୍ରିରେ ଦେଖାଦେଇଥିବା ଅବ୍ୟବସ୍ଥାକୁ ନେଇ ହୁଲୁସ୍ତୁଲ ହୋଇଛି ବିଧାନସଭା ।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଅକ୍ଟୋବର ମାସ ଶେଷ ହେଲାଣି। ଧାନ ମଧ୍ୟ ଅମଳ ହୋଇସାରିଲାଣି । କିନ୍ତୁ ଧାନ ବିକ୍ରି ପାଇଁ ସରକାର କୌଣସି ବ୍ୟବସ୍ଥା କରି ନାହାନ୍ତି। ଜିଲ୍ଲା ସ୍ତରରେ ଟୋକନ ବନ୍ଦ କରାଯାଇଛି ଓ ରାଜ୍ୟସ୍ତରରେ ବନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଛି। କିନ୍ତୁ ଏଯାଏଁ ବଲାଙ୍ଗୀର ଜିଲ୍ଲାରେ କୌଣସି ଚାଷୀ ଟୋକନ ପାଇ ନାହାନ୍ତି। ୧୫ରୁ ଧାନ କିଣା ପାଇଁ ସମୟ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଏବେ ମଣ୍ଡିରେ ଧାନ ବସ୍ତା ପଡି ରହିଛି। ଧାନ ରଖିବାକୁ ମଣ୍ଡିରେ ଜାଗା ନାହିଁ, ଯେଉଁଥିପାଇଁ ଚାଷୀ ବାଧ୍ୟ ହୋଇ କମ ଦରରେ ବିକ୍ରି କରୁଛନ୍ତି।
ଏହାଛଡା ନରସିଂହ କହିଛନ୍ତି, ଏବେଠୁ ଅଭାବୀ ବିକ୍ରି ଆରମ୍ଭ ହୋଇଥିଲେ ମଧ୍ୟ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି । ମଣ୍ଡିରୁ ମିଲକୁ ଟ୍ରକ ଟ୍ରକ ଧାନ ଗାଡିରେ ଯାଉଛି । ଏ ସମ୍ପର୍କରେ ଜାଣିବାକୁ ଚାହିଁଲେ ମଧ୍ୟ କୌଣସି ଅଫିସର ଫୋନ ଉଠାଉନାହାନ୍ତି କି ଶୁଣୁନାହାନ୍ତି । ଯାହା ମଣ୍ଡିରେ ଧାନ ବିକ୍ରିରେ ହେଉଥିବା ଅବ୍ୟବସ୍ଥାକୁ ପଦାରେ ପକାଇଛି ।
/sambad/media/post_attachments/wp-content/uploads/2019/11/paddy-procurement.jpg)
ଚଳିତ ଖରିଫ୍ ଋତୁରେ ଧାନ କିଣାରେ ଯେଉଁ ଅନଲାଇନ୍ ଟୋକନ୍ ବ୍ୟବସ୍ଥା ଗ୍ରହଣ କରାଯାଇଛି, ତାହା ଆରମ୍ଭରୁ ଧାନ କିଣା ପ୍ରକ୍ରିୟାକୁ ବାଟବଣା କରିବାକୁ ବସିଛି। ଚାଷୀମାନେ ଏହି ବ୍ୟବସ୍ଥାକୁ ବିରୋଧ କରିବା ଆରମ୍ଭ କରିଛନ୍ତି। ସ୍ଥିତି ଏତେ ଗମ୍ଭୀର ହେଲାଣି ଯେ ଖୋଲା ଆକାଶ ତଳେ ଶହ ଶହ କ୍ବିଣ୍ଟାଲ ଧାନ ପଡ଼ିଛି। ଅଥଚ ବିକ୍ରି ହୋଇପାରୁନାହିଁ। ଏହାକୁ ନେଇ ଚାଷୀ ମହଲରେ ସୃଷ୍ଟି ହୋଇଥିବା ଅସନ୍ତୋଷ କ୍ରମଶଃ ବଢ଼ିବାରେ ଲାଗିଛି। ବରଗଡ଼ ଓ ସମ୍ବଲପୁରରେ ସବୁଠାରୁ ଉତ୍କଟ ପରିସ୍ଥିତି ସୃଷ୍ଟି ହୋଇଛି। ଆସନ୍ତାକାଲି ନୂଆପଡ଼ା ଜିଲ୍ଲାରେ ଧାନ କିଣା ଆରମ୍ଭ ହେବ। କିନ୍ତୁ ମିଳିଥିବା ସୂଚନା ଅନୁସାରେ, ସେଠାରେ ମାତ୍ର ୭ଜଣ ଚାଷୀ ଟୋକନ୍ ପାଇବାରେ ସମର୍ଥ ହୋଇଛନ୍ତି।
ତେବେ ଧାନ କିଣାରେ ଟୋକନ ବ୍ୟବସ୍ଥା ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, ଏହା ସ୍ୱଚ୍ଛ ଓ ନିର୍ମଳ ବ୍ୟବସ୍ଥା। ଟୋକନ ପାଇଥିବା ଚାଷୀଙ୍କର ଆଧାର ଲିଙ୍କ ଯାଞ୍ଚ ହୋଇଛି। ୧୨ଲକ୍ଷ ଚାଷୀଙ୍କ ପଞ୍ଜିକରଣ ହୋଇଛି, କୌଣସି ବାଛବିଚାର କରାଯାଇନାହିଁ । ଏହା ଦ୍ୱାରା ପ୍ରକୃତ ଚାଷୀଙ୍କୁ ସୁବିଧା ହେବ। ବାକି କଥା ପାଇଁ ବିଚାରର୍ବିମର୍ଶ ଚାଲିଛି। ଚାଷୀଙ୍କ ସ୍ୱାର୍ଥ ପାଇଁ ରାଜ୍ୟ ସରକାର ସଜାଗ ଓ ଯତ୍ନବାନ ଅଛନ୍ତି ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/odisha-assembly.jpg)