ଏକ ନମ୍ବର ଜିଲ୍ଲାରେ ମନରେଗା ଦୁର୍ନୀତି: ପୋଖରୀ ସୌନ୍ଦର୍ଯ୍ୟୀକରଣ ନାଁରେ ଫଲସ୍‌ ବିଲ୍

୧୦ ଲକ୍ଷ ଟଙ୍କା ସ୍ବାହା

ଚିକିଟି: ମନରେଗା ଯୋଜନା କାର୍ଯ୍ୟକାରୀରେ ଓଡ଼ିଶା‌ରେ ଏକ ନମ୍ବର ଓ ଦେଶରେ ୫ ନମ୍ବର ଗଞ୍ଜାମ ଜିଲ୍ଲା। ହେଲେ ଏଠାରେ ଯୋଜନା କାର୍ଯ୍ୟକାରୀରେ କୋଟି କୋଟି ଟଙ୍କାର ଦୁର୍ନୀତି ଓ ଅନିୟମିତତା ବି କୁଢ଼ କୁଢ଼। ଯେତେ ଖୋଜିଲେ ସେତେ ବାହାରୁଛି। ବୁଗୁଡ଼ାଠୁ ଆରମ୍ଭ କରି ପାତ୍ରପୁର ଓ ଚିକିଟି ବ୍ଲକ୍‌ରୁ ଗତ କିଛି ମାସ ହେଲା ‌ଦୁର୍ନୀତିର ଗୋଟିଏ ପରେ ଗୋଟିଏ ତାଲିକା ଲମ୍ବିବାରେ ଲାଗିଛି। ଏଭଳି ପରିସ୍ଥିତିରେ ଚିକିଟି ବ୍ଲକ୍‌ ଝାଟିପଦର ପଞ୍ଚାୟତ ହରିପୁର ଗ୍ରାମ୍ୟ ବନ୍ଧର ସୌନ୍ଦର୍ଯ୍ୟୀକରଣ ପାଇଁ ଡିଆରଡିଏର ବିନା ଅନୁମ‌ୋଦନରେ ଅନଲାଇନ ଡିପିଆରକୁ ଫ୍ରିଜ୍‌ କରି ନକଲି ୱାର୍କକୋଡ଼ ବାହାର ସହ ୧୦ ଲକ୍ଷ ଟଙ୍କା ଚଳୁ ହୋଇଛି। ମଷ୍ଟରରୋଲ୍ ଟାମ୍ପରିଂ ସହ ଫଲସ୍ ବିଲ୍ ଦେଖାଇ ଏହି ଟଙ୍କା ହଡ଼ପ କରାଯାଇଥିବା ଜଣାପଡ଼ିଛି।

ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟରୁ ଚିକିଟି ବିଡିଓଙ୍କୁ ଜାରି ଚିଠି (ଚିଠି ନମ୍ବର ୬୧୮୩, ତାରିଖ ୪/୬/୨୦୨୧) ଅନୁସାରେ ଝlଟିପଦର ପଞ୍ଚାୟତ ହରିପୁର ଗ୍ରାମ୍ୟ ବନ୍ଧକୁ ମନରେଗା ଯୋଜନାରେ ସୌନ୍ଦର୍ଯ୍ୟୀକରଣ ପାଇଁ ମଞ୍ଜୁର ମିଳିନି। କିନ୍ତୁ ଚଞ୍ଚକତା କରି ଅନୁଦାନକୁ ଚଳୁ କରାଯାଇଛି। ସୂଚନା ମୁତାବକ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଚିକିଟି ବ୍ଲକ୍‌ର ୧୯୭ଟି ପୋଖରୀକୁ ମନରେଗା ଯୋଜନାରେ ସୌନ୍ଦର୍ଯ୍ୟୀକରଣ ପାଇଁ ବ୍ଲକ୍ ପ୍ରଶାସନ ତରଫରୁ ଡିଆରଡିଏକୁ ପ୍ରସ୍ତାବ ଦିଆଯାଇଥିଲା। ତେବେ ସେଥିରୁ ୫୬ଟି ବନ୍ଧର ସୌନ୍ଦର୍ଯ୍ୟୀକରଣ ପାଇଁ ମଞ୍ଜୁର ଦେବାକୁ ଡିଆରଡିଏ ପକ୍ଷରୁ ମନା କରାଯାଇଥିଲା। ଯାହାକି ଚିଠିରେ ସ୍ପଷ୍ଟ ଉଲ୍ଲେଖ କରିଛି। ସେଥିମଧ୍ୟରୁ ଝାଟିପଦର ପଞ୍ଚାୟତ ହରିପୁର ଗ୍ରାମ୍ୟ ବନ୍ଧ ବି ଅନ୍ତର୍ଭୁକ୍ତ।

କିନ୍ତୁ ବ୍ଲକ୍‌ର ଜଣେ ଯନ୍ତ୍ରୀ ଓ ମନରେଗା ପ୍ରୋଗ୍ରାମ୍ ଅଫିସର୍ ଡିଆରଡିଏ ପିଡ଼ିଙ୍କ ‌ନିର୍ଦ୍ଦେଶକୁ ଅଣଦେଖା କରି ଅନଲାଇନରେ ଡିପିଆରକୁ ଫ୍ରିଜ଼ କରି ଡୁପ୍ଲିକେଟ୍ କୋଡ଼ ବାହାର କରି ୧୦ ଲକ୍ଷ ଟଙ୍କା ଚଳୁ କରିଥିବା ଅଭିଯୋଗ ହୋଇଛି। ସୂଚନା ଯୋଗ୍ୟ ଯେ, ହରିପୁର ବନ୍ଧ ଉନ୍ନତୀକରଣ ପାଇଁ ୨୦୨୦-୨୧ରେ ଡିଆରଡିଏରୁ ମଞ୍ଜୁର ହୋଇ ଆସିଥିଲା। ୧୦ ଲକ୍ଷ ଟଙ୍କା ଅନୁଦାନରୁ କିଛି ଅଂଶ ଖର୍ଚ୍ଚ କରିବାକୁ ବାକି ଥିଲା। ସରକାରୀ ନିୟମ ଅନୁଯାୟୀ ପ୍ରକଳ୍ପ କାମ ଶେଷ ହେଲେ ଅନୁଦାନ ମଞ୍ଜୁର ପରେ ପୁଣି ଏହା ଖର୍ଚ୍ଚ କରିବା କଥା।

କିନ୍ତୁ ବ୍ଲକ ପ୍ରଶାସନ ତରଫରୁ ଉକ୍ତ ପୁରୁଣା କାମର ୱାର୍କ କୋଡ୍‌କୁ ବଦଳାଯାଇ ବିନା ମଞ୍ଜୁରରେ ନୂଆ କୋଡ଼୍ ବାହାର ସରକାରୀ ଅର୍ଥକୁ ଆତ୍ମସାତ୍ କରାଯାଇଛି।
ଝାଟିପଦର ପଞ୍ଚାୟତ ଜିଆରଏସ ଶଙ୍କର ପ୍ରଧାନଙ୍କୁ ପଚାରିବାରୁ ସେ କହିଛନ୍ତି, ପ୍ରୋଗ୍ରାମ ଅଫିସର ୱାର୍କ କୋଡ୍ ବାହାର କରିବା ସେ ମଷ୍ଟରରୋଲ୍ ବାହାର କରିଥିଲେ। ମନରେଗା ପ୍ରୋଗ୍ରାମ ଅଫିସର ସନ୍ତୋଷ ସାହୁଙ୍କୁ ପଚାରିବାରୁ ସେ ଅନ୍ୟ କାମରେ ବ୍ୟସ୍ତ ଥିବା କହିଥିଲେ। କନିଷ୍ଠ ଯନ୍ତ୍ରୀ ଗୌରୀଶଙ୍କର କହିଛନ୍ତି, ତ୍ରୁଟିବଶତଃ ଦୁଇଟି ୱାର୍କ କୋଡ଼ ବାହାରିଛି। ହେଲେ ପୋଖରୀ କାମ କରାଯାଇଛି। ହେଲେ କିଏ ସତ କହୁଛି, କିଏ ମିଛ କହୁଛି, ପ୍ରଶାସନର ଉଚ୍ଚସ୍ତରୀୟ ତଦନ୍ତ ହେଲେ ହିଁ ସବୁ କିଛି ସ୍ପଷ୍ଟ ହେବ ବୋଲି ମତପ୍ରକାଶ ପାଇଛି। ୨୦୧୦ /୧୧ ଆର୍ଥିକ ବର୍ଷରେ ମଧ୍ୟ କଳବାଡ଼ ପଞ୍ଚା‌ୟତର ଭଳାସିଙ୍ଗି ବାହୁଦା ନଦୀଗର୍ଭରେ ବନ୍ଧ ଖୋଳି ମନରେଗା ଅନୁଦାନ ଚଳୁ କରିବାକୁ ଚେଷ୍ଟା କରାଯାଇଥିଲା l ସେତେବେଳେ ତଦନ୍ତ ବେଳେ ଜିଆରଏସଙ୍କ ଚାକିରି ଯାଇଥିବା ବେଳେ ଜିପିଟିଏଙ୍କୁ ନିଲମ୍ବନ କରାଯାଇଥିଲାl

ସମ୍ବନ୍ଧିତ ଖବର