ଜାଲ୍‌ ଜାତିଗତ ପ୍ରମାଣପତ୍ର, ଦୁଇ ଶିକ୍ଷକ ନିଲମ୍ବିତ

ରଗଡ଼ି: କୋରେଇ ବ୍ଲକ୍‌ରେ ଶିକ୍ଷକତା କରୁଥିବା ସମ୍ପର୍କୀୟ ଭାଇଭଉଣୀଙ୍କୁ ଜାଲ ଜାତିଗତ ପ୍ରମାଣପତ୍ର ଦେଇଥିବା ଅଭିଯୋଗରେ ଚାକିରିରୁ ନିଲମ୍ବିତ କରାଯାଇଛି। ଅଭିଯୋଗ ଅନୁଯାୟୀ, ପଚ୍ଛିକୋଟ ସରକାରୀ ଉଚ୍ଚବିଦ୍ୟାଳୟରେ ଶିକ୍ଷକତା କରୁଥିବା ମାନସ କୁମାର ନାୟକ ୨୦୧୦ ମସିହାରେ ତଫସିଲଭୁକ୍ତ ଜାତି ପ୍ରମାଣପତ୍ର ହାସଲ କରିଥିଲେ। ସେହିପରି ତରପଦା ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ତାଙ୍କ ଭଉଣୀ ଜ୍ୟୋତ୍ସ୍ନା ନାୟକ ମଧ୍ୟ ତଫସିଲଭୁକ୍ତ ଜାତି ପ୍ରମାଣପତ୍ର ଦେଇ ୨୦୦୭ ମସିହାରେ ଚାକିରି କରିଥିଲେ। ହେଲେ ଏହି ପ୍ରମାଣପତ୍ର ଜାଲ ବୋଲି ଅଭିଯୋଗ ହୋଇଛି।

ଅଭିଯୋଗ ଆଧାରରେ ତଦନ୍ତ କରାଯାଇ ମାନସ ଓ ଜ୍ୟୋତ୍ସ୍ନାଙ୍କୁ ନିଲମ୍ବିତ କରାଯାଇଛି। ପ୍ରକାଶ ଯେ, ଜାତି ପ୍ରମାଣପତ୍ର ଓ ଯୋଗ୍ୟତା ପ୍ରମାଣପତ୍ରରେ ଚଞ୍ଚକତା କରି ଅନେକ ଶିକ୍ଷକ ନିଯୁକ୍ତି ପାଇଥିବା ଅଭିଯୋଗ ହୋଇଥିଲା। ରାଜ୍ୟ ସରକାର ଏହାର ଯାଞ୍ଚ ପାଇଁ ଦୁଇ ବର୍ଷ ତଳେ ନିର୍ଦ୍ଦେଶ ଦେଇଥିଲେ। କେତେକ ଶିକ୍ଷକ ଚଞ୍ଚକତା କରିଥିବା ପ୍ରମାଣ ମିଳିବା ପରେ ସେମାନଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଆଉ କେତେକ ତଦନ୍ତ ପୂର୍ବରୁ ଚାକିରି ଛାଡ଼ି ଦେଇଥିଲେ।

କୋରେଇ ବ୍ଲକ୍‌ରେ କାର୍ଯ୍ୟକରି ନିଲମ୍ବିତ ହୋଇଥିବା ଏହି ଦୁଇ ସମ୍ପର୍କୀୟ ଭାଇଭଉଣୀଙ୍କ ପରିବାରର ଜାତି ଜମି ପଟ୍ଟା ଅନୁଯାୟୀ ଖଣ୍ଡରା। ଯାହା ପଛୁଆବର୍ଗ ଶ୍ରେଣୀ ଭୁକ୍ତ। ହେଲେ ସେମାନେ ତଫସିଲଭୁକ୍ତ ଜାତି ବୋଲି ଦର୍ଶାଇ ଚାକିରି କରିଥିଲେ। ଆରଡିସିଙ୍କ କାର୍ଯ୍ୟାଳୟରେ ଏହାର ତଦନ୍ତ କରାଯାଇ ଉଭୟ ପଛୁଆବର୍ଗର ବୋଲି ଜଣାପଡ଼ିଥିଲା। ଯାହାକୁ ନେଇ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସ୍ଵରୂପ ସେମାନଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା। ଏସମ୍ପର୍କରେ କୋରେଇ ବ୍ଲକ୍‌ ଶିକ୍ଷା ଅଧିକାରୀ ସୁଦର୍ଶନ ମଲ୍ଲିକଙ୍କୁ ପଚାରିବାରୁ ଉଭୟଙ୍କୁ ନିଲମ୍ବିତ କରାଯାଇଥିବା କହିଥିଲେ।

ସମ୍ବନ୍ଧିତ ଖବର