ପୁରୀ: ଶ୍ରୀମନ୍ଦିରରେ ମୁକ୍ତ ଦର୍ଶନ କରାଇ ଦେବାକୁ ପ୍ରଲୋଭନ ଦେଖାଇ ଭକ୍ତଙ୍କୁ ଲୁଟୁଛନ୍ତି। ମାଳମାଳ ୱେବ୍ସାଇଟ୍ ଏଥିରେ ସମ୍ପୃକ୍ତ ଥିବା ସାମ୍ନାକୁ ଆସିଛି। ଶ୍ରୀମନ୍ଦିରକୁ ନେଇ ମିଛ ତଥ୍ୟ ସହ ଭିଆଇପି ଦର୍ଶନ ନାଁରେ ମୁଣ୍ଡ ପିଛା ୫ଶହ ଟଙ୍କା ରଖାଯାଇଛି। ଶ୍ରୀମନ୍ଦିରରେ ଦର୍ଶନ ପାଇଁ କୌଣସି ପ୍ରକାର ଆର୍ଥିକ ଦେଣନେଣର ପ୍ରାବଧାନ ନାହିଁ। ଏହା ସତ୍ତ୍ବେ ୱେବ୍ସାଇଟ୍ରେ ଲେଖାଯାଇଛି, ଗହଳିମୁକ୍ତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ଭିଆଇପି ଦର୍ଶନ ପାସ୍ର ବ୍ୟବସ୍ଥା କରିଛି। ଏଭଳି ଭ୍ରମିତ ତଥ୍ୟ ୱେବ୍ସାଇଟ୍ରେ ଲେଖି, ଅନ୍ଲାଇନ୍ରେ ଅର୍ଥ ଠକେଇ କରିବାର କୌଶଳ ଆପଣାଇଛନ୍ତି।
ଏକଥା ବି ଲେଖାଯାଇଛି, ଭିଆଇପି ପାସ୍ ବୁକ୍ କଲେ ସେମାନଙ୍କୁ ସ୍ବତନ୍ତ୍ର ସୁଯୋଗ ଯୋଗାଇ ଦିଆଯାଉଛି। ଏହା ଶ୍ରୀମନ୍ଦିରରେ ଆଦୌ ଲାଗୁ ନଥିଲେ ମଧ୍ୟ ଏଭଳି ଉଲ୍ଲେଖ କରାଯାଇ ଅର୍ଥ ହରିଲୁଟ୍ କରାଯାଉଛି। ଭକ୍ତଙ୍କ ଭାବାବେଗ ସହ ଖେଳି ଟଙ୍କା ରୋଜଗାର କରିବାକୁ ଏବେ ସହଜ ମାଧ୍ୟମ କରିଛନ୍ତି କିଛି ଅସାଧୁ ସ୍ମାର୍ଟ ଚୋର। ଇଣ୍ଡିଆ ଥ୍ରିଲସ୍, ପିଲିଗ୍ରିମେଜ୍ ଟୁର୍, ଦର୍ଶନ ବୁକିଂ, ମନ୍ଦିର ଟାଇମିଂସ୍ ଆଦି ୱେବ୍ସାଇଟ୍ରେ ଶ୍ରୀମନ୍ଦିର ଦର୍ଶନ ସମ୍ପର୍କରେ ମିଛ ତଥ୍ୟ ଦେଇ ଭକ୍ତଙ୍କୁ ଭୂଆଁ ବୁଲାଉଛନ୍ତି। ବିଶେଷକରି ମହାପ୍ରଭୁଙ୍କ ଦର୍ଶନ ନାଁରେ ଲୋକଙ୍କୁ ଭ୍ରମିତ କରୁଛି ଇଣ୍ଡିଆ ଥ୍ରିଲ୍ସ ୱେବ୍ସାଇଟ୍। ଉକ୍ତ ୱେବ୍ସାଇଟ୍ରେ ଜଗନ୍ନାଥ ଦର୍ଶନ ପାଇଁ ସମୟ ଅନୁସାରେ ଦର ନିର୍ଦ୍ଧାରିତ ହୋଇଛି।
ନିକଟରେ ଗଳାବାଟରେ ହାତଗୁଞ୍ଜା ଦେଇ ଭକ୍ତମାନଙ୍କୁ ଦର୍ଶନ କରାଉଥିବା ନେଇ ଭିଡିଓ ଭାଇରାଲ୍ ହୋଇଥିଲା। ଗଣମାଧ୍ୟମ ପୃଷ୍ଠା ମଣ୍ଡନ କରିଥିଲା। ତେଣୁ, ଯେଉଁ ୱେବ୍ସାଇଟ୍ ସମୂହ ଏଭଳି ଦର୍ଶନ ଅଫର ଦେଉଛନ୍ତି, ସେମାନେ ଏହି ଗଳାବାଟକୁ ଦୃଷ୍ଟିରେ ରଖି ଏପରି କରୁନାହାନ୍ତି ତ? ମନ୍ଦିରର କୌଣସି ସେବକଙ୍କ ସମ୍ପୃକ୍ତିରେ ସେମାନେ ଭକ୍ତମାନଙ୍କୁ ଏଭଳି ସାହସ ଦେଉଛନ୍ତି କି? ଏଭଳି ତମାମ ପ୍ରଶ୍ନ ଉଙ୍କି ମାରିବା ସ୍ବାଭାବିକ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଉକ୍ତ ୱେବ୍ସାଇଟ୍ରେ କୁହାଯାଇଛି, ସାଧାରଣ ଦର୍ଶନ ଦେୟମୁକ୍ତ, କିନ୍ତୁ ସ୍ବତନ୍ତ୍ର ଉତ୍ସବ ଓ ପର୍ବରେ ଏଥିପାଇଁ ୧୦ ଟଙ୍କା ଲେଖାଏଁ ଦେୟ ରହିଛି। ମୁଣ୍ଡପିଛା ୧୦୦ ଟଙ୍କା ଦେଇ ଭିଆଇପି ଦର୍ଶନ ବୁକିଂ କଲେ ଶ୍ରୀଜଗନ୍ନାଥଙ୍କୁ ଅତି ନିକଟରୁ ଦେଖିବାର ସୁଯୋଗ ମିଳିବ। ଭିଆଇପି ଟିକେଟ୍ ପ୍ରବେଶ ପଥରେ ଥିବା ମନ୍ଦିର ଟିକେଟ୍ କେନ୍ଦ୍ରରେ ବୁକିଂ କରାଯାଏ। ଏଭଳି ଭୁଲ ତଥ୍ୟ ଦେଇ ଭକ୍ତଙ୍କୁ ବିଭ୍ରାନ୍ତ କରାଯାଉଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଦର ମୁଣ୍ଡପିଛା ଦେଢ଼ ଟଙ୍କାରୁ ଆରମ୍ଭ କରି ୫୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ବେଶ ଲାଗି ଦର୍ଶନ ପାଇଁ ଦେଢ଼ ଟଙ୍କା, ପାରିମାଣିକ ଦର୍ଶନ ୧୦ଟଙ୍କା, ସ୍ବତନ୍ତ୍ର ଦର୍ଶନ ୧୦୦ ଟଙ୍କା, ଭିଆଇପି ଦର୍ଶନ ୫୦୦ ଟଙ୍କା ରଖାଯାଇଛି। ଶ୍ରୀମନ୍ଦିରର ଫଟୋ ଦିଆଯାଇ ଦର୍ଶନ ପାଇଁ ବିଜ୍ଞପିତ କରାଯାଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ବାରମ୍ବାର ବିଭିନ୍ନ ୱେବ୍ସାଇଟ୍ ଏଭଳି ବିଭ୍ରାନ୍ତିକର ତଥ୍ୟ ଦେଉଥିଲେ ହେଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏ ପ୍ରସଙ୍ଗରେ ସୋସିଆଲ୍ ମିଡିଆରେ କୌଣସି ମତ ରଖାଯାଇଛି ନା ନିଜସ୍ବ ୱେବ୍ସାଇଟରେ ସୂଚନା ଦିଆଯାଇଛି। ତେଣୁ ୱେବ୍ସାଇଟ୍ଗୁଡ଼ିକ ବାରମ୍ବାର ଏଭଳି ମିଛ ତଥ୍ୟ ଦେଇ ଏହାକୁ ରୋଜଗାରର ମାଧ୍ୟମ ଭାବେ ଆପଣାଉଛନ୍ତି। ତୁରନ୍ତ ଉକ୍ତ ୱେବ୍ସାଇଟ୍ଗୁଡ଼ିକର ଏଭଳି ମିଛ ତଥ୍ୟ ଉପରେ ରୋକ ଲଗାଇବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଉଦ୍ୟମ କରିବାକୁ ଜଗନ୍ନାଥପ୍ରେମୀ ଦାବି କରିଛନ୍ତି।