ଭଞ୍ଜନଗର: ଚଳିତ ଖରିଫ ଋତୁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କିଛି ଚାଷ ଜମିରୁ ଧାନ ଅମଳ ଆରମ୍ଭ ହୋଇ ସାରିଥିବା ବେଳେ ଆଉ ଅଳ୍ପ ଦିନ ମଧ୍ୟରେ ବଳକା ଫସଲ ମଧ୍ୟ ଅମଳ ହେବ। ସରକାରୀ ସ୍ତରରେ ଚାଷୀଙ୍କ ଠାରୁ ଧାନକ୍ରୟ ନିମନ୍ତେ ପ୍ରକ୍ରିୟା ମଧ୍ୟ ତ୍ବରାନ୍ବିତ ହୋଇଛି। ପୂର୍ବରୁ ମଣ୍ଡିରେ ବିକ୍ରି କରିବା ନିମନ୍ତେ ପଞ୍ଜିକରଣ କରିଥିବା ବେଳେ ବର୍ତ୍ତମାନ ଧାନ ବିକ୍ରି କରିବା ପାଇଁ ସରକାର ଟୋକନ୍ ଦେବା ପୂର୍ବରୁ ପଞ୍ଜିକୃତ ହୋଇଥିବା ଜମି ଗୁଡିକର ସାଟେଲାଇଟ୍ ଜରିଆଣେ ଯାଞ୍ଚ କରିଥିଲେ। ଏହି ଯାଞ୍ଚ ପରେ ଅନେକ ମିଛ ଜମି ପଞ୍ଜିକୃତ ହୋଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସରକାରୀ ଧାର୍ଯ୍ୟ ମୂଲ୍ୟରେ ଉତ୍ପାଦ ଧାନ ମଣ୍ଡିରେ ବିକ୍ରି କରିବା ଲକ୍ଷ୍ୟରେ ହଜାର ହଜାର ଏକର ଜମିକୁ ପ୍ରାଥମିକ କୃଷି ସମବାୟ ସମିତିରେ ପଞ୍ଜିକରଣ କରାଯାଇଥିବା ସନ୍ଦେହ କରାଯାଇଛି। ସାଟେଲାଇଟ୍ରେ ଏଭଳି ଜମି ଧରାପଡିବା ପରେ ସମବାୟ ବିଭାଗ ପକ୍ଷରୁ ସନ୍ଦିଗ୍ଧ ଜମି ଯାଞ୍ଚ ଆରମ୍ଭ ହୋଇଛି।
ଚଳିତ ଖରିଫ ଋତୁ ପାଇଁ ଜୁଲାଇ ମାସ ୫ ତାରିଖରୁ ଅଗଷ୍ଟ ୩୦ ମଧ୍ୟରେ ପଞ୍ଜିକରଣ ହୋଇଥିଲା। ଭଞ୍ଜନଗର ଉପଖଣ୍ଡ ଅଧୀନ ୮ଟି ବ୍ଳକ୍ର ୪୨ ହଜାର ୧୯ ଜଣ ଚାଷୀ ସେମାନଙ୍କ ଉତ୍ପାଦିତ ଧାନ ଫସଲକୁ ବିକ୍ର କରିବା ନିମନ୍ତେ ୧୧୯ ଟି ପ୍ରାଥମିକ ସେବା ସମବାୟ ସମିତି ଓ ୪୧ ଟି ମହିଳା ସ୍ବଂୟ ସହାୟକ ଗୋଷ୍ଠି ନିକଟରେ ସେମାନଙ୍କ ନାମ ସହ ଚାଷ କରିଥିବା ଚାଷ ଜମିର ତଥ୍ୟ ଦେଇ ପଞ୍ଜିକୃତ କରିଥିଲେ। ତେବେ ସାଟେଲାଇଟ୍ ସର୍ଭେରୁ ଉପଖଣ୍ଡର ୫୧ ହଜାର ୯ଶହ ୬୫ ଟି ପ୍ଲଟ୍ ସନ୍ଦିଗ୍ଧ ଭାବେ ଚିହ୍ନଟ ହୋଇଛି। ଉକ୍ତ ଜମିରେ ଜମାରୁ ଚାଷ ହୋଇନଥିବା କିମ୍ବା ଚାଷ ଜମି ଦର୍ଶାଯାଇଥିବା ପ୍ଳଟରେ କେଉଁଠି ପୋଖରୀ ରହିଛି ତେ କେଉଁଠି ପନିପରିବା, ଆଖୁ, ନଡିଆ,କାଜୁ ଭଳି ଅଣଧାନ ଚାଷ ହୋଇଛି। ଚିହ୍ନଟ ହୋଇଥିବା ସନ୍ଦେହ ଜନକ ପ୍ଳଟ୍ ଗୁଡିକର ଯାଞ୍ଚ ଆରମ୍ଭ ହୋଇଛି। ପ୍ୟାକ୍ସ୍ ସମ୍ପାଦକ କିମ୍ବା ମହିଳା ସ୍ବଂୟ ସହାୟକ ସଂଘ ମୁଖିଆ ଭଳି ୧୦୬ ଜଣ ଉପଖଣ୍ଡର ସନ୍ଦେହ ଜନକ ପ୍ଳଟ୍ର ଯାଞ୍ଚ କରିବେ ବୋଲି ଜଣାପଡିଛି।
ସୂଚନା ଅନୁଯାୟୀ ଉପଖଣ୍ଡର ଆସିକା ବ୍ଳକ୍ରେ ୮୮୪୨ ଟି ପ୍ଳଟ୍ ସନ୍ଦିଗ୍ଧ ଚିହ୍ନଟ ହୋଇଥିବା ବେଳେ ୧୯ ଜଣ ସର୍ଭେୟର ନିଯୁକ୍ତ ହୋଇଛନ୍ତି। ସେହିପରି ବେଲଗୁଣ୍ଠା ବ୍ଳକ୍ର ୪୫୭୯ ଟି ପ୍ଳଟ୍ ପାଇଁ ୧୩ ଜଣ, ଭଞ୍ଜନଗର ୫୪୯୮ଟି ପ୍ଳଟ୍ ପାଇଁ ୧୪ ଜଣ, ବୁଗୁଡା ୫୬୯୮ ଟି ପ୍ଳଟ୍ ପାଇଁ ୧୧ ଜଣ,ଧରାକୋଟ ୮୩୭୪ ଟି ପ୍ଲଟ୍ ପାଇଁ ୧୬ ଜଣ, ଜଗନ୍ନାଥପ୍ରସାଦର ୫୦୯୮ ଟି ପ୍ଳଟ୍ ପାଇଁ ୯ ଜଣ, ଶେରଗଡ ୫୯୩୬ଟି ପ୍ଳଟ୍ ପାଇଁ ୧୯ ଜଣ ଏବଂ ସୋରଡ଼ାର ୭୯୪୦ ଟି ପ୍ଳଟ୍ ପାଇଁ ୫ ଜଣଙ୍କୁ ଦାୟିତ୍ବ ଦିଆଯାଇଛି। ଯାଞ୍ଚକାରୀ ମାନେ ସନ୍ଦେହଜନକ ପ୍ଳଟ୍ ନିକଟକୁ ଯାଇ ନିଜ ସହ ଜମିର ଫଟୋ ଉଠାଇ ଜିଓଟ୍ୟାଗିଂ କରିବେ। ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ରିପୋର୍ଟ ଦାଖଲ କରିବା ନିମେନ୍ତେ ସମୟ ଧାର୍ଯ୍ୟ କରାଯାଇଥିବା ଜଣାପଡିଛି। ଧାର୍ଯ୍ୟ ସମୟ ପୂର୍ବରୁ ଯାଞ୍ଚ ସାରିବା ସହ ଯାଞ୍ଚ ପରେ ଧାନ ବିକ୍ରି ନିମନ୍ତେ ଚାଷୀଙ୍କୁ ଟୋକନ ପ୍ରଦାନ କରାଯିବ।