ମା’ଙ୍କ ଋଣ ଟଙ୍କାରୁ ୩୫ ହଜାର ଜୁଆ ଖେଳିଦେଲା ପୁଅ, କରିଥିଲା ମିଥ୍ୟା ଲୁଟ୍‌ ନାଟକ

ବୀରମହାରାଜପୁର: ଏକ ମିଥ୍ୟା ଲୁଟ୍‌ ମାମଲାକୁ ନେଇ ବୀରମହାରାଜପୁର ଥାନା ପୁଲିସ ନାକେଦମ୍‌ ହୋଇଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଜଟେସିଂହା ଗାଁର ସ୍ବାଧୀନ ସାହୁ ନାମକ ବ୍ୟକ୍ତି ମା’ଙ୍କର ୫୦ ହଜାର ଟଙ୍କା ବ୍ୟାଙ୍କରୁ ଉଠାଇ ସେଥିରୁ ୩୫ ହଜାର ଟଙ୍କା ଜୁଆ ଖେଳି ଖର୍ଚ୍ଚ କରିଦେଇଛି। ମିଛ ଘଟଣା ପରିବାର ଲୋକଙ୍କ ହାତରେ ଧରାପଡ଼ିଯିବା ଭୟରେ ଲୁଟ୍‌ର ଅଭିନୟ କରିବା ସହିତ ଥାନାରେ ଅଭିଯୋଗ କରିଛି। କିନ୍ତୁ ପୁଲିସର ତଦନ୍ତ ହେବା ପରେ ଘଟଣା ପଦାରେ ପଡ଼ିଛି।

ସ୍ବାଧୀନ କୁଆଡେ ଜୁଆ ( ୩ ପତି) ଖେଳି ଟଙ୍କାତକ ହାରି ଦେଇଥିବାରୁ ଘରେ ଧରାପଡିଯିବା ଭୟରେ ମିଥ୍ୟା ମାମଲା ଦାୟର କରିଥିବା କଥା ପୁଲିସକୁ କହିଛି। ବୀରମହାରାଜପୁର ପୁଲିସ ପକ୍ଷରୁ ମିଳିଥିବା ସୁଚନା ଅନୁସାରେ ସ୍ବାଧୀନର ମା’ କିଛିଦିନ ପୂର୍ବେ ୫୦ହଜାର ଟଙ୍କାର ଋଣ କରିଥିଲେ। ସେଥିରୁ ସ୍ବାଧୀନ ୧୦ହଜାର ଟଙ୍କା ଉଠାଇ ତାଙ୍କ ମା’ଙ୍କୁ ଦେଇଥିଲେ। ବାକି ଟଙ୍କା ନିଜ ପଖରେ ରଖିଥିବା ବେଳେ ଗୁରୁବାର ଅନ୍‌ଲାଇନରେ ୩ପତି(ଜୁଆ) ଖେଳି ୩୫ ହଜାର ଟଙ୍କା ହାରି ଯାଇଥିଲେ।

ପୁଲିସର ସୂଚନା ଅନୁସାରେ, ଗୁରୁବାର ରାତିରେ ସୁବଳୟା ଥାନା ଜଟେସିଂହା ଗାଁର ସ୍ବାଧୀନ ସାହୁ ନାମକ ବ୍ୟକ୍ତି ବୀରମହାରାଜପୁରରୁ ଘରକୁ ଫେରୁଥିଲେ। ଏହି ସମୟରେ ବାଗବର ନିକଟରେ ତାଙ୍କଠାରୁ ମୁଖାପିନ୍ଧା ଲୁଟେରା ୩୫ ହଜାର ଟଙ୍କା ଲୁଟିନେଇଥିଲେ ବୋଲି ସେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ପୁଲିସ ବିଭିନ୍ନ ସ୍ଥାନରେ ଲୁଟେରାକୁ ଧରିବା ପାଇଁ ପ୍ରୟାସ କରିଥିଲା। ଏହା ସହ ସ୍ବାଧୀନର ଘର ଜଟେସିଂହାକୁ ଯାଇ ପଚରାଉଚରା କରିଥିଲା। କିନ୍ତୁ, ପୁସିସକୁ ଟଙ୍କା ଲୁଟ୍‌ ଘଟଣା ଉପରେ ସନ୍ଦେହ ଜାତ ହେଲା। କାରଣ ସ୍ବାଧୀନ ଏଟିଏମରୁ ଟଙ୍କା ବାହାର କରିଥିବା କଥା କହୁଥିବା ବେଳେ ବିଭିନ୍ନ ସମୟରେ କଥାର ତାଳମେଳ ରହୁନଥିଲା। ଶନିବାର ବ୍ୟାଙ୍କ ଖୋଲିବା ପରେ ପାସ୍‌ବହି ଅପ୍‌ଡେଟ୍‌ କରିବା ପରେ ଘଟଣା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଜଣାପଡ଼ିଥିଲା।

ସ୍ବାଧୀନ କୁଆଡ଼େ ଆଗରୁ ଜୁଆ ଖେଳି ଟଙ୍କାତକ ହାରି ଦେଇଥିବାରୁ ଘରେ ଧରାପଡ଼ିଯିବା ଭୟରେ ମିଥ୍ୟା ଏତଲା ଦେଇଥିବା କଥା କହିଥିଲେ। ଲୁଟ୍‌ ହୋଇଛି ଭାବି ରାତି ସାରା ପୁଲିସ ଖୋଜାଖୋଜି କରି ନୟାନ୍ତ ହେବା ସାର ହୋଇଥିଲା। ଏ ନେଇ ଗଣମାଧ୍ୟମକୁ ଥାନାଧିକାରୀ ପଦ୍ମାସିନୀ ମେହେର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର